ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆର୍ଥିକ ସାକ୍ଷରତା ସପ୍ତାହ ୨୦୨୬ ର ଉଦ୍‌ଘାଟନ

ଭୁବନେଶ୍ୱର, (ପିଆଇବି) : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)୨୦୧୬ ମସିହାରୁ ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ବିଷୟବସ୍ତୁ ଉପରେ ଆର୍ଥିକ ସାକ୍ଷରତା ସପ୍ତାହ (ଏଫଏଲଡବ୍ଲୁ) ପାଳନ କରିଆସୁଛି । ଏହି କ୍ରମରେ ଆର୍ଥିକ ସାକ୍ଷରତା ସପ୍ତାହ ୨୦୨୬ ଫେବୃଆରୀ ୦୯ ରୁ ୧୩ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ପାଳନ କରାଯାଉଛି । ଏହା ଏହି ଅଭିଯାନର ଏକାଦଶ ସଂସ୍କରଣ । ଏହି ବର୍ଷ ଆର୍ଥିକ ସାକ୍ଷରତା ସପ୍ତାହର ବିଷୟବସ୍ତୁ ହେଉଛି “KYC – ସୁରକ୍ଷିତ ବ୍ୟାଙ୍କିଙ୍ଗ ଆଡ଼କୁ ପ୍ରଥମ ପଦକ୍ଷେପ”। ଉପ ବିଷୟବସ୍ତୁ ଭାବେ “ତୁମର ଗ୍ରାହକଙ୍କୁ ଜାଣିବାର ମୌଳିକ ବିଷୟ (KYC)”, “କେନ୍ଦ୍ରୀୟ KYC ରେଜିଷ୍ଟ୍ରି (CKYC)” ଏବଂ “ଆକାଉଣ୍ଟ ସ୍ୱଚ୍ଛତା ଓ ଶୃଙ୍ଖଳା” ଉପରେ ଗୁରୁତ୍ୱ ଦିଆଯାଇଛି ।
ଆର୍ଥିକ ସାକ୍ଷରତା ସପ୍ତାହ ୨୦୨୬ ର ଉଦ୍ଘାଟନୀ ଉତ୍ସବ ଆରବିଆଇ, ଭୁବନେଶ୍ୱର ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆରବିଆଇ ଭୁବନେଶ୍ୱରର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ସାରଦା ପ୍ରସନ ମହାନ୍ତି ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଆର୍ଥିକ ସାକ୍ଷରତାର ଆବଶ୍ୟକତା ଓ ବ୍ୟାଙ୍କ ଜମା ଖାତାରେ KYC ଅପଡେଟ୍ କରିବାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗର ପ୍ରମୁଖ ସଚିବ ଶ୍ରୀ ସଂଜୀବ କୁମାର ମିଶ୍ର, କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଏହାସହ ନାବାର୍ଡର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ବିନୋଦ କୁମାର ଆର୍ୟା ଓ ଭାରତୀୟ ରିଜର୍ଭ ବ୍ୟାଙ୍କର ମହାପ୍ରବନ୍ଧକ ଶ୍ରୀମତୀ ଅନିତା ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ ।
କାର୍ଯ୍ୟକ୍ରମରେ ବ୍ୟାଙ୍କିଂ ଅମ୍ବଡସମ୍ୟାନ, ଡିଆଇଏଫ, ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗ, ନାବାର୍ଡ, ସିଡବି, ଏନଏଚବି ସହ ବିଭିନ୍ନ ବ୍ୟାଙ୍କର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ସେଥିସହ ସ୍ୱୟଂ ସହାୟକ ଗୋଷ୍ଠୀ, ଛାତ୍ରଛାତ୍ରୀ, ଚାଷୀ, ଉଦ୍ୟୋଗୀ ଓ ବରିଷ୍ଠ ନାଗରିକ ଭଳି ବିଭିନ୍ନ ଲକ୍ଷ୍ୟ ଗୋଷ୍ଠୀର ପ୍ରତିନିଧିମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଆରବିଆଇ, ଭୁବନେଶ୍ୱରର କର୍ମଚାରୀମାନଙ୍କ ଦ୍ୱାରା ଆର୍ଥିକ ସାକ୍ଷରତା ଉପରେ ଏକ ସଚେତନତାମୂଳକ ନୁକ୍କଡ଼ ନାଟକ ପରିବେଷଣ କରାଯାଇଥିଲା ।

Leave A Reply

Your email address will not be published.