ସପ୍ତମ ରାଜ୍ୟସ୍ତରୀୟ ଖଲିଆପାଲି ଫୁଟବଲ କପ୍ ଉଦଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମ୍ୟୁନିସିପାଲଟି ଅନ୍ତର୍ଗତ ୱାର୍ଡ ନମ୍ବର ୧୭ ସ୍ଥିତ ଖଲିଆପାଲି ଡ. ବି. ଆର୍ ଆମ୍ବେଦକର ମିନି ଷ୍ଟାଡିୟମ୍ ଠାରେ ସପ୍ତାହ ବ୍ୟାପି ଆୟୋଜିତ ହୋଇଥିବା ସପ୍ତମ ରାଜ୍ୟସ୍ତରୀୟ ଖଲିଆପାଲି ଫୁଟବଲ କପ୍ ଉଦଯାପିତ ହୋଇଛି । ଫାଇନାଲ ମ୍ୟାଚରେ ସୋନପୁର ଜିଲ୍ଲାରୁ ଆସିଥିବା ମା’ ମଙ୍ଗଳା ଏଫସି ଦଳ, ବଲାଙ୍ଗିର ସ୍ପୋର୍ଟସ ହଷ୍ଟେଲ ଦଳକୁ ୪ ଗୋଲ ଦେଇ ବିଜୟୀ ହେବା ସହିତ ଚାମ୍ପିଅନ ମଧ୍ୟ ହୋଇଛନ୍ତି । ସୋନପୁର ଦଳ ମ୍ୟାଚର ପ୍ରଥମାର୍ଦ୍ଧରୁ ସ୍ପୋର୍ଟସ ହଷ୍ଟେଲ ବିପକ୍ଷରେ ଏକ ଗୋଲ ଦେଇ ଦଳକୁ ଆଗେଇ ରଖିବା ସହିତ ସ୍ପୋର୍ଟସ ହଷ୍ଟେଲର ଖେଳାଳୀମାନଙ୍କୁ ଗୋଲ କରିବା ପାଇଁ କୌଣସି ସୁଯୋଗ ଦେଇ ନଥିଲା । ଦ୍ଵିତୀୟାର୍ଦ୍ଧରେ ମଧ୍ୟ ସୋନପୁର ଦଳ ଆହୁରି ୩ ଗୋଲ ଦେଇ ଆଗୁଆ ରହିଥିଲା । ସ୍ପୋର୍ଟସ ହଷ୍ଟେଲ ଦଳର ଖେଳାଳୀମାନେ ଅନେକ ଚେଷ୍ଟା କରିଥିଲେ ହେଁ କୌଣସି ଗୋଲ କରିପାରିନଥିଲେ । ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବରେ ପୌରାଧ୍ୟକ୍ଷା ଲିକା ସାହୁ ଯୋଗଦେଇଥିଲେ । ମୁଖ୍ୟଅତିଥି ଲିକା ସାହୁ ରୂପାନ୍ତରିତ ହୋଇଥିବା ପଡିଆକୁ ଉଦଘାଟନ କରିଥିଲେ । ବିଜେତା ଦଳକୁ ଟ୍ରଫି ଓ ୩୧ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା ଓ ଭାଲେର ଧନୁଯାତ୍ରା ସାଂସ୍କୃତିକ କମିଟିର ପୂର୍ବତନ ସଭାପତି ବ୍ରହ୍ମାନନ୍ଦ ନାଏକଙ୍କ ଦ୍ଵାରା ୩ ହଜାର ବୋନସ ରାଶି ପ୍ରଦାନ କରାଯାଇଥିଲା । ସେହିଭଳି ଉପବିଜେତା ଦଳକୁ ଟ୍ରଫି ଓ ୨୧ ହଜାର ଟଙ୍କା ପୁରସ୍କାର ରାଶି ସହିତ ୱାର୍ଡ ନମ୍ବର ୧୭ ର ପୂର୍ବତନ କାଉନସିଲର୍ ଭାଲେର୍ ସମବାୟ ସମିତିର ସଭାପତି ସତ୍ୟପୀର ପାତ୍ରଙ୍କ ଦ୍ଵାରା ୨ ହଜାର ଟଙ୍କା ବୋନସ ରାଶି ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave A Reply

Your email address will not be published.