ମାଲେସିଆର ଅଗ୍ରଣୀ ବ୍ୟବସାୟୀମାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମାଲେସିଆର ଚାରିଜଣ ଶିଳ୍ପପତିଙ୍କ ସହ ମତବିନିମୟ କରିଛନ୍ତି । ସେ ପେଟ୍ରୋନାସର ସଭାପତି ତଥା ଗ୍ରୁପ୍ ସିଇଓ ତନ୍ ଶ୍ରୀ ତେଙ୍ଗକୁ ମହମ୍ମଦ ତୌଫିକ; ବରଜୟା କର୍ପୋରେସନର ବରହାଦର ପ୍ରତିଷ୍ଠାତା ତନ୍ ଶ୍ରୀ ଦାତୋ ସେରି ଭିନ୍ସେଣ୍ଟ ତନ୍ ଚି ୟିଉନ୍; ଖଜାନାହ ନେସନାଲ ବରହାଦ ପରିଚାଳନା ନିର୍ଦ୍ଦେଶକ ଦାତୋ ଅମୀରୁଲ ଫୈସଲ ୱାନ ଜାହିର; ଏବଂ ଫିସନ୍ ଇଲେକ୍ଟ୍ରୋନିକ୍ସର ପ୍ରତିଷ୍ଠାତା ଦାତୋ ପୁଆ ଖେନ୍ ସାଙ୍ଗଙ୍କ ସହ କଥା ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଭାରତ ଏବଂ ମାଲେସିଆ ମଧ୍ୟରେ ବଢ଼ୁଥିବା ବ୍ୟବସାୟିକ ସମ୍ପର୍କ ଏବଂ ଭାରତର ବିକାଶ କାହାଣୀରେ ମାଲେସୀୟ କମ୍ପାନୀଗୁଡ଼ିକର ଆଗ୍ରହକୁ ପ୍ରଶଂସା କରିଥିଲେ । ସେ ସାମ୍ପ୍ରତିକ ବର୍ଷଗୁଡ଼ିକରେ ଭାରତରେ ବ୍ୟବସାୟ କରିବା ଲାଗି ସହଜ ପରିବେଶକୁ ପ୍ରୋତ୍ସାହିତ କରିବା ଏବଂ ଏକ ସ୍ଥିର, ଦକ୍ଷ ଓ ପୂର୍ବାନୁମାନଯୋଗ୍ୟ ବ୍ୟବସାୟ ଏବଂ ନୀତିଗତ ପରିବେଶ ସୃଷ୍ଟି କରିବା ପାଇଁ ନିଆଯାଇଥିବା ପଦକ୍ଷେପ ଓ ସଂସ୍କାରଗୁଡ଼ିକୁ ଉଲ୍ଲେଖ କରିଥିଲେ । ସେ ବିଶେଷକରି ଭିତ୍ତିଭୂମି, ଅକ୍ଷୟ ଶକ୍ତି, ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା, ସେମିକଣ୍ଡକ୍ଟର, କୃତ୍ରିମ ବୁଦ୍ଧିମତ୍ତା ଏବଂ ସ୍ୱାସ୍ଥ୍ୟସେବା ଭଳି କ୍ଷେତ୍ରରେ ମାଲେସୀୟ ବ୍ୟବସାୟ ସଂସ୍ଥାଗୁଡ଼ିକୁ ଭାରତ ଦ୍ୱାରା ପ୍ରଦାନ କରାଯାଇଥିବା ସୁଯୋଗର ଲାଭ ନେବାକୁ ଉତ୍ସାହିତ କରିଥିଲେ । ଏହି ପରିପ୍ରେକ୍ଷୀରେ, ପ୍ରଧାନମନ୍ତ୍ରୀ ୭ ଫେବୃଆରୀ ୨୦୨୬ରେ କୁଆଲାଲମ୍ପୁରରେ ଅନୁଷ୍ଠିତ ହେବାକୁ ଥିବା ଦଶମ ଭାରତ-ମାଲେସିଆ ସିଇଓ ଫୋରମକୁ ସ୍ୱାଗତ କରିଥିଲେ । ସେ ଆଶା ପ୍ରକାଶ କରିଥିଲେ ଯେ ଏହି ଆଲୋଚନାଗୁଡ଼ିକ ଭାରତ-ମାଲେସିଆ ବାଣିଜ୍ୟ ଓ ନିବେଶ ସମ୍ପର୍କକୁ ଆହୁରି ମଜବୁତ କରିବ । ଶିଳ୍ପପତିମାନେ ଏକ ବିକଶିତ ଭାରତ ଗଠନ ପାଇଁ ଭାରତ ସରକାରଙ୍କ ଦ୍ୱାରା ନିଆଯାଇଥିବା ସଂସ୍କାରକୁ ପ୍ରଶଂସା କରିଥିଲେ ଏବଂ ଭାରତର ଅଭିବୃଦ୍ଧି କାହାଣୀ ଉପରେ ଦୃଢ଼ ବିଶ୍ୱାସ ପ୍ରକଟ କରିଥିଲେ । ସେମାନେ ନିଜର ନିବେଶ ପୋର୍ଟଫୋଲିଓକୁ ବିସ୍ତାର କରି ଏବଂ ଭାରତୀୟ ପ୍ରତିପକ୍ଷଙ୍କ ସହିତ ମିଳିତ ଉଦ୍ୟୋଗ ଅନୁସନ୍ଧାନ କରି ଭାରତରେ ସେମାନଙ୍କର ବ୍ୟବସାୟିକ ଉପସ୍ଥିତିକୁ ବିସ୍ତାର କରିବାକୁ ଆଗ୍ରହ ପ୍ରକାଶ କରିଥିଲେ ।

Leave A Reply

Your email address will not be published.