ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ଏବଂ କୃଷି ଯନ୍ତ୍ରପାତି ମେଳା ଉଦ‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଦର ମହକୁମା ସ୍ଥିତ କୋଶଳ କଳା ମଣ୍ଡଳ ଠାରେ ଫେବୃଆରୀ ୪ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଇଥିବା ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ଏବଂ କୃଷି ଯନ୍ତ୍ରପାତି ମେଳା ଆଜି ଉଦ‌ଯାପିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା ଯୋଗ ଦେଇଥିଲେ । କୃଷି ବିଭାଗର ନିର୍ବାହୀ ଯନ୍ତ୍ରୀ ଲସ ମୁର୍ମୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା କୃଷି ଅଧିକାରୀ ପ୍ରମୋଦ କୁମାର ବଡପଣ୍ଡା, ଉଦ୍ୟାନ ବିଭାଗ ଉପ ନିର୍ଦ୍ଦେଶକ ସୁଦେଶ କୁମାର ଚୌଧୁରୀ, ମୁଖ୍ୟ ଜିଲ୍ଲା ପଶୁଚିକିତ୍ସା ଅଧିକାରୀ ଡାଃ. ସାରଦା ପ୍ରସାଦ ସିଂ ବରିହା, ଜିଲ୍ଲା ମତ୍ସ ଅଧିକାରୀ ପ୍ରଫୁଲ୍ଲ କଅଁର ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ଶ୍ରୀ ବେହେରା ନିଜ ବକ୍ତବ୍ୟରେ କହିଥିଲେ, ଆଧୁନିକ ଜ୍ଞାନ କୌଶଳର କୃଷି ଯନ୍ତ୍ରପାତିର ବ୍ୟବହାର ଦ୍ଵାରା ଚାଷୀମାନେ ଚାଷ କ୍ଷେତ୍ରରେ ଉନ୍ନତି କରିପାରିବା ସହ ଅର୍ଥନୀତିରେ ସୁଦୃଢ ହୋଇପାରିବେ । ଏହାସହ ନୂତନ ବୈଷୟିକ ଜ୍ଞାନ କୌଶଳ ଓ କୃଷି ଯନ୍ତ୍ରପାତିର ବ୍ୟବହାର ପୂର୍ବକ ବଲାଙ୍ଗିର ଜିଲ୍ଲାକୁ କୃଷି କ୍ଷେତ୍ରରେ ଅଗ୍ରଣୀ ଜିଲ୍ଲା ଭାବେ ପରିଗଣିତ କରିବାକୁ ଚେଷ୍ଟା କରିବା ପାଇଁ କହିଥିଲେ । ଜିଲ୍ଲା କୃଷି ଅଧିକାରୀ ପ୍ରମୋଦ କୁମାର ବଡପଣ୍ଡା ନିଜର ଅଭିଭାଷଣରେ କୃଷି ଭିତ୍ତିକ ଆଧୁନିକ ଜ୍ଞାନ କୌଶଳ ପ୍ରୟୋଗ ତଥା ପ୍ରୋତ୍ସାହନ କୃଷି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଉପରେ ଗୁରୁତ୍ଵାରୋପ କରିଥିଲେ । ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରଫୁଲ୍ଲ କଅଁର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ମେଳାରେ ଗତ ୫ ଦିନ ଧରି ଉନ୍ନତ କୃଷି ଯନ୍ତ୍ରପାତିର ପ୍ରଦର୍ଶନ ଓ ବିକ୍ରୟ, ସରକାରୀ ଆର୍ଥିକ ସହାୟତାର ସଚେତନତା ସହ ଅଗ୍ରଣୀ ଚାଷୀଙ୍କୁ ସମ୍ବର୍ଦ୍ଧନା, ସେମିନାର, ବୈଷୟିକ ଅଧିକାରୀ ଓ କୃଷି ବୈଜ୍ଞାନିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଅଗ୍ରଣୀ ଚାଷୀ, ସ୍ଵୟଂ ସହାୟକ ଦଳଙ୍କୁ ସମ୍ମାନିତ କରିବା ସହ ପ୍ରୋତ୍ସାହନ ରାଶି ପ୍ରଦାନ କରିଥିଲେ । ଏହି ସଭାରେ ଜିଲ୍ଲା ତଥା ବ୍ଲକ ସ୍ତରୀୟ କୃଷି ବିଭାଗୀୟ ଅଧିକାରୀ ଓ କର୍ମଚାରୀ, ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଚାଷୀ, ଏନଜିଓର କର୍ମକର୍ତ୍ତା, ବୁଦ୍ଧିଜୀବୀ ଏବଂ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.