ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ ସରକାରୀ ମହାବିଦ୍ୟାଳୟ । ବଲାଙ୍ଗିରର ଉଭୟ ଯୁକ୍ତଦୁଇ ଏବଂ ଯୁକ୍ତତିନିର ମିଳିତ ବାର୍ଷିକ ଉତ୍ସବ ‘ମଲ୍ଲାର’ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର କୌତୁକ ପନ୍ଦରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ପଦ୍ମଶ୍ରୀ ହଳଧର ନାଗ ଯୋଗଦେଇ ବିଦ୍ୟାର୍ଥୀଙ୍କ ଚେତନାର ବିକାଶରେ ଶିକ୍ଷାର ଭୂମିକା ଓ ଲୋକସଂସ୍କୃତିର ମହତ୍ତ୍ୱ ସଂପର୍କରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟତମ ଅତିଥି ଭାବେ ବଲାଙ୍ଗିର ଜିଲ୍ଲାର ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଯୋଗଦେଇ ମହାବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ସମସ୍ତେ ମିଳିମିଶି କାର୍ଯ୍ୟ କରିବା ପାଇଁ ଆହ୍ୱାନ ଦେଇଥିଲେ । ମୁଖ୍ୟବକ୍ତା ଭାବରେ ବିଶିଷ୍ଟ ଶିକ୍ଷାବିତ ତଥା ସାହିତ୍ୟିକ ଡକ୍ଟର ଛାୟାକାନ୍ତ ଷଡ଼ଙ୍ଗୀ ଯୋଗଦେଇ ବଲାଙ୍ଗିର ଜିଲ୍ଲାର ସଂସ୍କୃତି, ଐତିହ୍ୟ ଓ ସାଂପ୍ରତିକ ସମାଜରେ ଛାତ୍ରଛାତ୍ରୀଙ୍କ ଭୂମିକା ସଂପର୍କରେ ଆଲୋଚନା କରିଥିଲେ । କ୍ରୀଡ଼ା ପରିଷଦର ଉପ-ସଭାପତି ବନ୍ଦନା ବାର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସହକାରୀ ପ୍ରଫେସର ଡକ୍ଟର ଶ୍ରୀକାନ୍ତ କୁମାର ବାରିକ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ । ସାଂସ୍କୃତିକ ଓ କ୍ରୀଡ଼ା ପ୍ରତିଯୋଗିତାରେ କୃତି ଅର୍ଜନ କରିଥିବା ବିଦ୍ୟାର୍ଥୀଙ୍କୁ ପୁରସ୍କୃତ କରାଯାଇଥିଲା । ଅଧ୍ୟାପକ ଡକ୍ଟର ଅଶୋକ ମହାରଣା ଏବଂ ଅଧ୍ୟାପକ ହୃଷୀକେଶ ଦାସ ଏଥିରେ ସହଯୋଗ କରିଥିଲେ । ଛାତ୍ରଛାତ୍ରୀଙ୍କ ଦ୍ୱାରା ଏକ ମନୋରମ ନାଟକ ‘କଂସ ଦରବାର’ ଅନୁଷ୍ଠିତ ହୋଇଥିବା ବେଳେ ଶାସ୍ତ୍ରୀୟ ଓ ଲୋକ ସଂଗୀତ, ନୃତ୍ୟ ପରିବେଷଣରେ ସାଂସ୍କୃତିକ କାର୍ଯ୍ୟକ୍ରମ ମନୋରମ ହୋଇଥିଲା । ଶେଷରେ ନାଟ୍ୟ ଓ ସାଂସ୍କୃତିକ ପରିଷଦର ସହଯୋଗୀ ଉପସଭାପତି ଡକ୍ଟର ରମଣୀ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ, ଗଣମାଧ୍ୟମ ପ୍ରତିନିଧି ତଥା ନିମନ୍ତ୍ରିତ ଅତିଥିମାନେ ଉପସ୍ଥିତ ଥିଲେ ।