ବରଗଡ, (ମୁନ୍ନା ସାହୁ) : ରଞ୍ଜିତ ବଗର୍ତ୍ତୀ ଆଉନାହାନ୍ତି । ସେ ଜୀବିତ ଥିବା ବେଳେ ଶରୀର ଦାନ କରିବା ପାଇଁ ଘୋଷଣା କରିଥିଲେ । ଆଜି ମରଣାନ୍ତର ପରେ ପରିବାର ବର୍ଗ ତାଙ୍କର ମର ଶରୀର ବୁର୍ଲା ମେଡିକାଲକୁ ହସ୍ତାନ୍ତର କରିଛନ୍ତି । ଭାରତ ସ୍ୱାଭିମାନର ସଦସ୍ୟ, ଯୋଗ ଶିକ୍ଷିକ, ପରୋପକାରୀ, ମିଷ୍ଟଭାଷୀ, ସମାଜସେବୀ ଭାବରେ ବରଗଡ଼ ତଳିପଡ଼ା ଅଞ୍ଚଳରେ ସେ ବେଶ ପରିଚିତ । ବାବା ରାମଦେବ ବରଗଡ଼ ଆସିଥିବା ସମୟରେ ରଞ୍ଜିତ ଭାଇ ବଡ ଭୂମିକା ନେଇଥିଲେ ଏବଂ ସେହିଦିନ ଠାରୁ ସ୍ୱଦେଶୀ ଭାବନାରେ ଉଦବୁଦ୍ଧ ହୋଇ ସଭାସମିତି କରି ଲୋକଙ୍କୁ ଚେତନାର ବାର୍ତ୍ତା ଦେଉଥିଲେ । କିଛି ଦିନ ହେବ ଅସୁସ୍ଥତା କାରଣରୁ ବୁର୍ଲା ପରେ ରାୟପୁର ଠାରେ ଚିକିତ୍ସିତ ହେଉଥିଲେ । ହଠାତ ତାଙ୍କର ଦେହ ଅସୁସ୍ଥ ହେବାରୁ ହସ୍ପିଟାଲ ନେବା ପାଇଁ ବାହାରୁଥିବା ବେଳେ ତାଙ୍କର ଜୀବନ ଚାଲିଯାଇଛି । ଏହି ଖବର ପାଇ ମ୍ୟୁନିସିପାଲଟି ଚେୟାରମ୍ୟାନ କଳ୍ପନା ମାଝୀ, ଚାଷୀ ନେତା ରମେଶ ମହାପାତ୍ର, ସଂକଳ୍ପ ପରିବାରର ବିକାଶ ଅଗ୍ରୱାଲ ଏବଂ ମାରୱାଡି ଯୁବାମଞ୍ଚର ସଦସ୍ୟମାନେ ପହଂଚି ଶ୍ରଦ୍ଧାଞ୍ଜଳି ଜଣାଇ ଥିଲେ । ସେ ତାଙ୍କ ପଛରେ ସ୍ତ୍ରୀ, ପୁଅ, ବୋହୂ, ନାତି ଏବଂ ତିନୋଟି ବିବାହିତ ଝିଅ ଓ ତାଙ୍କର ପରିବାର ବର୍ଗଙ୍କୁ ଛାଡି ଚାଲିଯାଇଛନ୍ତି । ତାଙ୍କର ମୃତ୍ୟୁର ଖବର ପାଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।