ବଲାଙ୍ଗିର, (କେପିଏନ୍ଏସ୍) : ଆଜି ଆଭାଷୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ତାଙ୍କ କରକମଳରେ ନୂତନ ଭାବେ ବଲାଙ୍ଗିର ଜିଲ୍ଲାର ବେଲପଡା, ଖପ୍ରାଖୋଲ, ସଇଁତଳା ଓ ଦେଓଗାଁରେ ସବ୍ ରେଜିଷ୍ଟ୍ରାର ବା ଉପ ନିବନ୍ଧକଙ୍କ କାର୍ଯ୍ୟାଳୟର ଉଦ୍ଘାଟନ କରିଛନ୍ତି । ଏହା ସହ “ଆମ ସାଥି” ସହାୟକ ୟୁନିଫାଏଡ୍ ହ୍ଵାଟ୍ସଆପ୍ ବଟ୍ ଲୋକାର୍ପଣ କରିଥିଲେ । ଜିଲ୍ଲା ମୁଖ୍ୟାଳୟର ଅସ୍ଵାନ ବୈଠକଗୃହ ଠାରେ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର, ଅତିରିକ୍ତ ଜିଲ୍ଲାପାଳ ପବିତ୍ର କୁମାର ବେହେରା, ଉପ ଜିଲ୍ଲାପାଳ ଆଲୋକ କୁମାର ପଟେଲ, ଡେପୁଟି କଲେକ୍ଟର ପ୍ରଶାନ୍ତ କୁମାର ମହାପାତ୍ର, ଦେବସ୍ମିତ ମଲ୍ଲିକ, ସୌମ୍ୟରଞ୍ଜନ ବେହେରା ଓ ସହକାରୀ ଜିଲ୍ଲାପାଳ ସରିତା ରାଣୀ ଶତପଥି, ସସ୍ମିତା ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରାଜେନ୍ଦ୍ର ମାଝି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଜନସାଧାରଣ ୟୁନିଫାଏଡ୍ ହ୍ଵାଟ୍ସଆପ୍ ବଟ୍ ସହ ଯୋଡି ହୋଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ବିଭିନ୍ନ ସରକାରୀ ସେବା ସୁବିଧା ଗୁଡିକ ପାଇ ପାରିବେ, ଏହାର ହ୍ଵାଟ୍ସଆପ୍ ନମ୍ବର ହେଉଛି ୯୪୩୭୨୯୨୦୦୦ । ଉପ ନିବନ୍ଧକଙ୍କ କାର୍ଯ୍ୟାଳୟ ତଥା “ଆମ ସାଥି” ସେବା ଦ୍ଵାରା ଜନସାଧାରଣ ଆଉ ଦୂରରେ ଥିବା ଜିଲ୍ଲା କାର୍ଯ୍ୟାଳୟକୁ ଯିବାକୁ ପଡିବନାହିଁ । ଏଣିକି ସମ୍ପୃକ୍ତ ତହସିଲରେ ବସବାସ କରୁଥିବା ଜନସାଧାରଣ ଜମି ଘର କ୍ରୟ ବିକ୍ରୟ ଦଲିଲ ତଥା ଜମି ସଂକ୍ରାନ୍ତ, ପ୍ରମାଣପତ୍ର ସମ୍ପର୍କିତ ସମସ୍ତ ସେବା ନିଜ ନିଜ ତହସିଲରେ ପାଇପାରିବେ । ସ୍ଥାୟୀ କାର୍ଯ୍ୟଶଳୟ ନିର୍ମାଣ ପର୍ଯ୍ୟନ୍ତ ସବ୍ ରେଜିଷ୍ଟ୍ରାର ଅଫିସ୍ ଅସ୍ଥାୟୀ ଭାବେ ତହସିଲ୍ କାର୍ଯ୍ୟାଳୟରେ କାର୍ଯ୍ୟ କରିବ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ କାର୍ଯ୍ୟାଳୟର ସମସ୍ତ ରାଜସ୍ୱ ଅଧିକାରୀ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ ।