ବଲାଙ୍ଗିର, (କେପିଏନ୍ଏସ୍) : କୋଶଳ କଳା ମଣ୍ଡଳ ଠାରେ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ଏବଂ କୃଷି ଯନ୍ତ୍ରପାତି ମେଳା ଉଦ୍ଘାଟନ ହୋଇଛି । ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାରଙ୍କ ସଭାପତିତ୍ଵରେ ଅନୁଷ୍ଠିତ, ଏହି ମେଳାରେ ମୁଖ୍ୟଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ, କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ, ଓଡିଶା କନକ ବର୍ଦ୍ଧନ ସିଂହ ଦେଓ ଯୋଗଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହ ଦେଓ, ଜିଲ୍ଲାପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଧୀରେନ୍ଦ୍ର ସିଂ ବରିହା, ମୁଖ୍ୟ ଯନ୍ତ୍ରୀ ସମ୍ବଲପୁର ନରେନ୍ଦ୍ର କୁମାର ପଣ୍ଡା ଯୋଗଦେଇଥିଲେ । ଜିଲ୍ଲାପାଳ ନିଜର ବକ୍ତବ୍ୟରେ କହିଥିଲେ ଆମର ପାରମ୍ପରିକ ଜ୍ଞାନ ଓ ଆଧୁନିକ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ କୃଷକଙ୍କ ଜୀବନ ଜୀବିକା ଓ ବିତ୍ତୀୟ ଅଭିବୃଦ୍ଧି ହୋଇପାରୁଛି । ଜୈବିକ ଚାଷ ପ୍ରଣାଳୀ ଦ୍ଵାରା ବିଭିନ୍ନ ଚାଷକରି ଚାଷୀମାନେ ଅଧିକ ପରିମାଣରେ ଲାଭ ପାଇପାରିବେ, ସେଥିପାଇଁ ଜିଲ୍ଲାପ୍ରଶାସନ ଚେଷ୍ଟା କରୁଛି । ଏହି ମେଳା ମାଧ୍ୟମରେ ଚାଷୀମାନଙ୍କୁ ନୂତନ ଚାଷ ପଦ୍ଧତି ଏବଂ ଚାଷ ସମ୍ବନ୍ଧୀୟ ବିଭିନ୍ନ ଯୋଜନା ଗୁଡିକ ବିଷୟରେ ଅବଗତ କରାଯାଉଛି । ଆଗାମୀଦିନରେ ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ଯନ୍ତ୍ରପାତି ବ୍ୟବହାର କରି ଚାଷୀମାନେ ଅଧିକ ଲାଭବାନ ହୋଇପାରିବେ । ସେହିପରି ରାଜ୍ୟ ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଗୁଡିକରେ ଜନସାଧାରଣ କିପରି ଅଧିକ ଲାଭବାନ ହୋଇପାରିବେ, ସେଥି ନିମନ୍ତେ ଗ୍ରାମ ପଞ୍ଚାୟତ ଠାରୁ ଆରମ୍ଭ କରି ଜିଲ୍ଲା ସ୍ତରୀୟ ମେଳାଗୁଡ଼ିକର ବ୍ୟବସ୍ଥା କରାଯାଇ ଚାଷୀଙ୍କୁ ଜଡିତ କରାଯାଉଅଛି । ଜିଲ୍ଲାର ବିଭିନ୍ନ ଗ୍ରାମ ତଥା ରାଜ୍ୟସ୍ତରରେ ପାରମ୍ପରିକ ଚାଷ କାମରେ ବ୍ୟବହୃତ ପୁରାତନ ଯନ୍ତ୍ରପାତି ସଂଗ୍ରହ କରି ଆଗାମୀ ଦିନରେ ଜିଲ୍ଲା ମୁଖ୍ୟାଳୟରେ ଏକ ସଂଗ୍ରହାଳୟ ନିର୍ମାଣ କରାଯିବ । ଯାହା ଦ୍ଵାରା ଜନସାଧାରଣଙ୍କୁ ଅବଗତ କରାଯିବ ଯେ ସମୟ ସହ ପରିବର୍ତ୍ତନ ହେବାକୁ ପଡିବ ଏବଂ ପୁରୁଣା ପଦ୍ଧତି ନ ଭୁଲି ଆଗକୁ ବଢିବାର ଅଛି ବୋଲି ମୁଖ୍ୟ ଅତିଥି କହିଥିଲେ । ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ସାରଦା ପ୍ରସାଦ ସିଂ ବରିହା ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ ଓ ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରଫୁଲ କୁମାର କହର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସଫଳ ଚାଷୀମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବ୍ଲକର ଚାଷୀ, ପ୍ରାଣୀ ଚିକିତ୍ସା ବିଭାଗ ଓ ମତ୍ସ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ଏବଂ କୃଷି ଯନ୍ତ୍ରପାତି ମେଳା ଫେବୃୟାରୀ ୪ ରୁ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ।