୧୬.୪୨ କୋଟିର ଷ୍ଟାଡିୟମ : ଖପ୍ରାଖୋଲରେ ବିକାଶର ଗର୍ଜନ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଦୀର୍ଘବର୍ଷର ଅବହେଳା, ଦାରିଦ୍ର୍ୟ ଓ ପ୍ରବାସ ସମସ୍ୟାରେ ପୀଡ଼ିତ ଖପ୍ରାଖୋଲ ଅଞ୍ଚଳ ଏବେ ବିକାଶର ନୂଆ ଆଶା ଦେଖୁଛି । ବୁଧବାର ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଗସ୍ତ ଏହି ସଙ୍କଳ୍ପକୁ ସ୍ପଷ୍ଟ କରିଛନ୍ତି । ବଡ଼ଗୁର୍ଜିଭଟାରେ ୧୦ ଏକର ଜମିରେ ୧୬.୪୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଯାଉଥିବା ଆଧୁନିକ ଷ୍ଟାଡିୟମର ଶିଳାନ୍ୟାସ କରି ଉପମୁଖ୍ୟମନ୍ତ୍ରୀ କହିଥିଲେ ଯେ, କ୍ରୀଡା ସାମାଜିକ ପରିବର୍ତ୍ତନର ଶକ୍ତିଶାଳୀ ମାଧ୍ୟମ । ଏଠାରେ ଆଥଲେଟିକ୍ସ, ଫୁଟବଲ, ଭଲିବଲ, ଖୋ-ଖୋ, କବାଡି ଓ ହ୍ୟାଣ୍ଡବଲ ପାଇଁ ଆଧୁନିକ ସୁବିଧା ରହିବ । ଖପ୍ରାଖୋଲ ବିକାଶରୁ ଆଉ ବଞ୍ଚିତ ହେବ ନାହିଁ ବୋଲି କହିବା ସହ ନିମ୍ନମାନର କାମ ପ୍ରତି ଶୂନ୍ୟ ସହନଶୀଳତା ନୀତି ରହିବ ବୋଲି ଚେତାବନୀ ଦେଇଥିଲେ । ଏହା ସହ ଉପମୁଖ୍ୟମନ୍ତ୍ରୀ ଖପ୍ରାଖୋଲ ଥାନାର ନୂତନ ଇ-ଟାଇପ ପୋଲିସ ଆବାସିକ କ୍ୱାର୍ଟରର ଉଦ୍‌ଘାଟନ କରି, ଉନ୍ନତ ପୋଲିସିଂ ଓ ସାଧାରଣ ଲୋକଙ୍କ ସୁରକ୍ଷା ଉପରେ ଜୋର ଦେଇଥିଲେ । କାର୍ଯ୍ୟକ୍ରମରେ ପଶ୍ଚିମାଞ୍ଚଳ ଡିଆଇଜି ହିମାଂଶୁ ଲାଲ, ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ବୁଦ୍ଧଦେବ ମହାପାତ୍ର, ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀ, ପୋଲିସ ଓ ପ୍ରଶାସନିକ ଅଧିକାରୀ, ଜନପ୍ରତିନିଧି ଏବଂ ବହୁ ଜନସାଧାରଣ ଉପସ୍ଥିତ ଥିଲେ ।

Leave A Reply

Your email address will not be published.