ଜୟପାଟଣା, (ଶେଷଦେବ ବେହେରା) : ଇନ୍ଦ୍ରାବତୀ ଜଳ ସମ୍ପଦ ବିଭାଗର ଉନ୍ନୟନ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିକୁ ନେଇ ସମାଜସେବୀ ଚିନ୍ତାମଣି କୁମାର ଇନ୍ଦ୍ରାବତୀ ଜଳ ସମ୍ପଦ ବିଭାଗର ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପରିସରରେ ଆମରଣ ଅନଶନ ଆରମ୍ଭ କରିଥଲେ । ଅନଶନର ଛଅ ଘଣ୍ଟା ପରେ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଗୋବର୍ଦ୍ଧନ ନାଏକ ଏକ ଲିଖିତ ପ୍ରତିଶ୍ରୁତି ଦେବା ପରେ ଆହୂତ ଅନଶନ ଭଙ୍ଗ ହୋଇଥିଲା । ବିଭିନ୍ନ ସମୟରେ ଇନ୍ଦ୍ରାବତୀ ଜଳ ସମ୍ପଦ ବିଭାଗର ବାମ ଓ ଦକ୍ଷିଣ ପରିସରର ମରାମତି ନାମରେ ଅନେକ ଦୁର୍ନୀତିକୁ ନେଇ ଜନସାଧାରଣ ଓ ଚାଷୀଙ୍କ ମଧ୍ୟରେ ବ୍ୟାପକ ଆଲୋଚନା ହେଉଥିଲେ ମଧ୍ୟ କତ୍ର୍ତ୍ତୃପକ୍ଷଙ୍କ ନିରବତା ଦୁର୍ନୀତିକୁ ଅଧିକ ପ୍ରୋତ୍ସାହନ ଦେଉଛି ବୋଲି ସାଧାରଣରେ ଆଲୋଚନା ହେଉଛି । ସାଂପ୍ରତିକ ଅନଶନ ପରେ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ନେତୃତ୍ୱରେ ଏକ ତଦନ୍ତକାରୀ ଦଳ ପିପଲଗୁଡ଼ା, ବାନେର ଓ ଝଙ୍କାରପଡ଼ା ଅଞ୍ଚଳର ବିଭିନ୍ନ କେନାଲର ଉନ୍ନୟନ କାର୍ଯ୍ୟ ମାନଙ୍କର ବାସ୍ତବ ରୂପରେଖ ଦେଖି ଫେରିଥିବା ସୂଚନା ମିଳୁଛି । ଇନ୍ଦ୍ରାବତୀ କେନାଲ ବ୍ୟବସ୍ଥାରେ ଅନେକାଂଶ ମାଇନର ଓ ସବ ମାଇନର କେନାଲ ମାନଙ୍କର ଅନ୍ତିମ ଭାଗକୁ ପାଣି ପହଞ୍ଚିବା ଦୁରାସାଧ୍ୟ ହେଇ ପଡ଼ିଥିବା ବେଳେ କତ୍ର୍ତ୍ତୃପକ୍ଷ ଚାଷର ଆବଶ୍ୟକତା ସ୍ଥଳେ କାର୍ଯ୍ୟ ସମ୍ପାଦନ ପରିବର୍ତ୍ତେ ଠିକାଦାର ମାନଙ୍କ ଇଚ୍ଛା ମୁତାବକ କାମ ହେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଏପରିକି ସର୍ଟ ଟେଣ୍ଡର ନାମରେ କୋଟି କୋଟି ଟଙ୍କାର ରାଜକୋଷରୁ ଅର୍ଥର ଅପବ୍ୟବହାର କରୁଥିବା ଅଭିଯୋଗ ହେଉଛି । ଗତ ଦୁଇବର୍ଷ ମଧ୍ୟରେ ଇନ୍ଦ୍ରାବତୀ ଜଳ ସମ୍ପଦ ବିଭାଗ ପରିସର ମଧ୍ୟରେ କେତେ ଟଙ୍କାର କାର୍ଯ୍ୟ ସମ୍ପାଦନ ହୋଇଛି ତାହାରି ଏକ ରିପୋର୍ଟକୁ ସାର୍ବଜନୀନ କରିବା ପାଇଁ ଦାବୀ ହେଉଛି । ସମଗ୍ର ଓଡ଼ିଶାରେ ଦୁର୍ନୀତି ମୁକ୍ତ ଶାସନର ଏକ ନୂଆ ରୂପରେଖ ଚାଲିଥିବା ବେଳ ପରବର୍ତ୍ତୀ ସମୟରେ ସରକାର ଇନ୍ଦ୍ରାବତୀ ପାଇଁ ମଧ୍ୟ ସମୁଚିତ ଭାବ ଦେଖାଇ ଜନସାଧାରଣଙ୍କ ବିଶ୍ୱାସ ଭାଜନ ହେବା ପାଇଁ ସ୍ୱର ଉଠୁଛି ।