ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ସଦର ମହକୁମା ନୂତନ ବସଷ୍ଟାଣ୍ଡ କାର୍ଯ୍ୟ ଆରମ୍ଭ ନ ହେଉଣୁ ଗତକାଲି ସକାଳୁ ସକାଳୁ ଏକ ନୂଆ ବିବାଦ ଦେଖାଯାଇଥିଲା । ବସଷ୍ଟାଣ୍ଡ ନିର୍ମାଣ ପାଇଁ ସେହି ପୁରୁଣା ଜାଗାରେ ବ୍ୟାରିଗେଟ୍ କରିଥିଲା ନିର୍ମାଣକାରୀ ଠିକା ସଂସ୍ଥା । ସକାଳୁ ଦେଖିଲା ବେଳକୁ ସବୁ ଖୋଲି ଦିଆଯିବା ଓ ଷ୍ଟାଣ୍ଡ ଭିତରେ ପୁଣି ଟ୍ୟାକ୍ସି ଓ ଅଟୋ ଦେଖି ଜନସାଧାରଣରେ ଚର୍ଚ୍ଚା ଜୋର ଧରିଲା ଯେ ବସଷ୍ଟାଣ୍ଡ କାମ ଜଣେ ବ୍ୟକ୍ତି ହାଇକୋର୍ଟରୁ ଷ୍ଟେ ଅର୍ଡର ଆଣି ବ୍ୟାରିଗେଡ଼ ଖୋଲି ଦେବା ସହ କାମ ବନ୍ଦ କରି ଦେଇଛନ୍ତି । ସକାଳୁ ସକାଳୁ ବୁଦ୍ଧିଜୀବୀ ଓ ଜନସାଧାରଣ ସେଠାରେ ପହଞ୍ଚିବା ସହ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ସ୍ଥାନୀୟ ଜନ ପ୍ରତିନିଧି ଓ ଜନ ସାଧାରଣ ଠିକାସଂସ୍ଥା କର୍ମଚାରୀଙ୍କୁ ଭେଟି କାମ ଶୀଘ୍ର ଆରମ୍ଭ କରିବା ପାଇଁ ତାଗିଦ୍ କରିଥିବା ଦେଖିବାକୁ ମିଳିଥିଲା । ଏହି ଖବର ଜିଲ୍ଲାପାଳ ଡ. ନୃପରାଜ ସାହୁଙ୍କ ଠାରେ ପହଞ୍ଚିବା ପରେ ଜିଲ୍ଲାପାଳ ଡୁଙ୍ଗୁରିପାଲି ଗସ୍ତ କରି ନିଜେ ଘଟଣାସ୍ଥଳକୁ ପରିଦର୍ଶନ କରି ତଦନ୍ତ କରିବା ସହ ଭିତରେ ଥିବା ସୁରେଶ୍ଵରୀ କମ୍ପ୍ୟୁଟର୍ସ ମାଲିକ ବ୍ରଜବନ୍ଧୁ ମିଶ୍ରଙ୍କ ସହ ଆଲୋଚନା କରିଥିଲେ । ଏବଂ ସୋନପୁର ବାସୀଙ୍କ ଦୀର୍ଘଦିନର ଦାବି ନୂତନ ଭବ୍ୟ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟରେ ବାଧା ଦେଉଥିବା ବିଭିନ୍ନ ବ୍ୟକ୍ତି ବିଶେଷ ତଥା ବାଧାପ୍ରାପ୍ତ ହେଉଥିବା ଷ୍ଟଲ ଗୁଡ଼ିକୁ ଶୀଘ୍ର ଖାଲି କରିବାକୁ ପୌର ଅଧିକାରୀଙ୍କୁ ନିର୍ଦ୍ଦେଶ କରିଥିଲେ । ପରେ ପୌର ପରିଷଦ ପକ୍ଷରୁ ତିନିଦିନ ଭିତରେ ଷ୍ଟଲ ଗୁଡ଼ିକୁ ଖାଲି କରିବା ସହ ନୂଆ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟରେ ସମ୍ପୂର୍ଣ୍ଣ ସହଯୋଗ ପାଇଁ ପ୍ରଚାର ପ୍ରସାର ଗାଡି ମାଧ୍ୟମରେ ଘୋଷଣା କରାଇଥିଲେ । ଏବଂ ନୂତନ ବସଷ୍ଟାଣ୍ଡ ନିର୍ମାଣ ନେଇ ତାଙ୍କ ପ୍ରତିକ୍ରିୟା ନେବାରୁ ବିକାଶ କାର୍ଯ୍ୟରେ ବାଧା ଉପୁଜିଲେ କଠୋର ହେବ ପ୍ରଶାସନ ବୋଲି ସ୍ପଷ୍ଟ ମତ ରଖିଛନ୍ତି ଜିଲ୍ଲାପାଳ ଡ. ସାହୁ । ସମାଜସେବୀ ଗୋବିନ୍ଦ ମହାରଣା କହିଛନ୍ତି ଯେ ପୌର ପରିଷଦର ଅବହେଳା ହିଁ ନୂତନ ବସଷ୍ଟାଣ୍ଡ ନିର୍ମାଣରେ ବାଧକ ସାଜିଛି ଏବଂ ଏହାକୁ ଆମେ ଘୋର ନିନ୍ଦା କରୁଛୁ । ଏହି ସବୁ ଘଟଣା ଦେଖାଯିବା ପରେ ସହରରେ ସବୁଠି ଚର୍ଚ୍ଚା । ଲୋକେ ସଚେତନ ନ ହେଲେ ପ୍ରଶାସନକୁ ସହଯୋଗ ନ କଲେ କେବେ କେଉଁଠି ବି ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇପାରିବ ନାହିଁ । ସେପଟେ ଜିଲ୍ଲାପାଳ ଆଜି ମଧ୍ୟ ବସଷ୍ଟାଣ୍ଡ ନିର୍ମାଣ ସ୍ଥଳକୁ ଆସି ସ୍ଥିତି ପରଖିବା ସହ ବସଷ୍ଟାଣ୍ଡ ଭିତରେ ଥିବା ଟ୍ୟାକ୍ସି ଚାଳକମାନଙ୍କ ସାଙ୍ଗରେ କଥାବାର୍ତ୍ତା ହେବା ସହ ଦୋକାନୀମାନେ ମଧ୍ୟ ସହଯୋଗ କରିବାକୁ ଅନୁରୋଧ କରିଥିଲେ । ସେପଟେ ନୂତନ ବସଷ୍ଟାଣ୍ଡ ନିର୍ମାଣ ସ୍ଥଳକୁ ଜିଲ୍ଲାପାଳଙ୍କ ଘନ ଘନ ଗସ୍ତ ସହ ସମସ୍ୟାର ସମାଧାନ ପ୍ରତି ଦୃଷ୍ଟି ଦେଉଥିବାରୁ ସହରବାସୀଙ୍କ ମଧ୍ୟରେ ଶୀଘ୍ର ବସଷ୍ଟାଣ୍ଡ ନିର୍ମାଣ ପାଇଁ ଆଶା ଉଜ୍ଜିବୀତ ହେଉଛି । ଜନସାଧାରଣରେ ଚର୍ଚ୍ଚା ଜିଲ୍ଲାପାଳ ହେବ ତ ଏମିତି ।