ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭାର ମାସିକ ବୈଠକ ସ୍ଥାୟୀ ସଭାପତି ପ୍ରାଣବଲ୍ଲଭ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଶ୍ରୀ ନୃସିଂହ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା । ସଭା ପ୍ରାରମ୍ଭରେ ତ୍ରିବାର ଓଁକାର ଧ୍ୱନି ଉଚ୍ଛାରଣ କରାଯିବା ପରେ କେତେକ ସଭ୍ୟ /ସଭ୍ୟାଙ୍କର ବିୟୋଗରେ ତାଙ୍କର ଅମର ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ସଂପାଦକ ନରେନ୍ଦ୍ର କୁମାର ଆଚାର୍ଯ୍ୟ ପୂର୍ବ ବୈଠକର ବିବରଣୀ ପଠନ କରିବା ସଙ୍ଗେ ସଙ୍ଗେ ବିଭିନ୍ନ କାର୍ଯ୍ୟକ୍ରମ ଯଥା ସ୍ମରଣିକା ପ୍ରକାଶନ, ନିଶୁଳ୍କ ପ୍ରତୋପନୟନ, ଆରଟିଓ ଛକ ଠାରେ ଭଗବାନ ପର୍ଶୁରାମ ମୂର୍ତ୍ତି ସ୍ଥାପନ, ଆଗାମୀ ପର୍ଶୁରାମ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ, ସାଂଗଠନିକ ଅଭିଯାନ ବ୍ୟତିତ ମହାସଭାର ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋକପାତ କରିଥିଲେ । କୋଷାଧ୍ୟକ୍ଷ ରାଜେନ୍ଦ୍ର ମିଶ୍ର ଆୟ ବ୍ୟୟ ତାଲିକା ବୈଠକରେ ଉପସ୍ଥାପିତ କରିବା ପରେ ତାହା ସର୍ବସମ୍ମତି କ୍ରମେ ସ୍ୱୀକୃତି ପ୍ରାପ୍ତ ହୋଇ ଅନୁମୋଦନ ଲାଭ କରିଥିଲା । ପ୍ରକାଶ ଥାଉ କି ଆଗାମୀ ତା.୧୬.୦୩.୨୦୨୬ ରେ ଅନୁଷ୍ଠିତ ହେବାକୁ ଥିବା ନିଶୁଳ୍କ ବ୍ରତ ପାଇଁ ସଭାପତି/ ସଂପାଦକଙ୍କ ଫୋନ ନମ୍ବର ଯଥା ୯୯୩୭୭୪୧୪୧୦ ଓ ୯୪୩୭୨୪୧୭୩୨ ରେ ଯୋଗାଯୋଗ କରିବା ପାଇଁ ନିବେଦନ କରାଗଲା । ଏତଦ୍ ବ୍ୟତିତ ସଭାରେ ୟୁଜିସିଙ୍କ ଦ୍ୱାରା ଅଣାଯାଇଥିବା ନୂତନ ବିଲ ଶିକ୍ଷା ବ୍ୟବସ୍ଥା, ଛାତ୍ରଙ୍କ ଭବିଷ୍ୟତ ଓ ଶିକ୍ଷାର ସ୍ୱାଧିନତା ପାଇଁ ଗଭୀର ଅଶଙ୍କା ସୃଷ୍ଟି କରୁଥିବାରୁ ମହାସଭା ତରଫରୁ କ୍ଷୋଭ ପ୍ରକାଶ କରାଯିବା ସହିତ ଦୃଢ ନିନ୍ଦା କରାଯାଇ ଏହି ଅଧିନିୟମ ବିଲ ବିରୁଦ୍ଧରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଗଣତାନ୍ତ୍ରିକ ପଦ୍ଧତିରେ ଶାନ୍ତି ଶୃଙ୍ଖଳା ସହିତ ପ୍ରଥମ ପର୍ଯ୍ୟାୟ ସ୍ୱରୁପ ଆସନ୍ତା ତା.୦୩.୦୨.୨୬ (ମଙ୍ଗଳବାର) ଦିନ ଘ.୧୦ ସମୟରେ ଏକ ସ୍ମାରକ ପ୍ରତିବାଦ ପତ୍ର ଦେବାପାଇଁ ସ୍ଥିର କରାଗଲା । ଉପରୋକ୍ତ ବୈଠକରେ ମହାସଭାର ବହୁ ସଂଖ୍ୟାରେ ସଭ୍ୟ / ସଭ୍ୟା, ପର୍ଶୁରାମ ବାହୀନି, ଶକ୍ତି ବାହୀନି ଯୋଗଦାନ କରି ନିଜର ମତାମତ ଦେଇ ସମ୍ପୁର୍ଣ୍ଣ ସହଯୋଗ କରିବା ପାଇଁ ସର୍ବସମ୍ମତିକ୍ରମେ ସହମତି ପ୍ରଦାନ କରିଥିଲେ । ସଭା ଶେଷରେ ବରିଷ୍ଠ ଉପଦେଷ୍ଟା ଆଇନଜୀବୀ ଜୟରାମ ମିଶ୍ର ତାଙ୍କର ବକ୍ତବ୍ୟରେ ଅଭିଭାଷଣ ଦେବା ସହ ଭବିଷ୍ୟତ କାର୍ଯ୍ୟପନ୍ଥା ଅତିଶୀଘ୍ର ଜଣାଇ ଦିଆଯିବ ବୋଲି କହିବା ସହିତ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ ।