ରାଷ୍ଟ୍ରପତିଙ୍କ ଗସ୍ତ ଉପଲକ୍ଷେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ

  • ତ୍ରୁଟିଶୂନ୍ୟ ପରିଚାଳନାକୁ ଗୁରୁତ୍ୱ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଆସନ୍ତା ଫେବୃଆରୀ ୪ ରୁ ୬ ତାରିଖ ପର୍ଯ୍ୟନ୍ତ ତିନି ଦିନିଆ ମୟୂରଭଞ୍ଜ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହାକୁ ନେଇ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳାର ସହିତ ସମ୍ପାଦନ କରିବାକୁ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ଏହାସହ ବର୍ତ୍ତମାନର ସ୍ଥିତିକୁ ନେଇ ଜିଲ୍ଲାପାଳ ସମୀକ୍ଷା କରିଥିଲେ । ଏହି ଗସ୍ତ ସମୟରେ କଡ଼ା ପ୍ରୋଟୋକଲର ଅନୁପାଳନ ସହ ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ସମସ୍ତ କାର୍ଯ୍ୟକୁ ସୁବ୍ୟବସ୍ଥିତ ରୂପେ ସମ୍ପାଦିତ କରିବାକୁ ପ୍ରତ୍ୟେକ ସ୍ଥାନରେ ସ୍ୱତନ୍ତ୍ର ବରିଷ୍ଠ ଅଧିକାରୀଙ୍କୁ ନୋଡାଲ ଅଧିକାରୀ ଭାବେ ନିୟୋଜିତ କରି ଟିମ ଗଠନ କରାଯାଇଛି । ଦାଣ୍ଡବୋଷ୍ ଏୟାରଷ୍ଟ୍ରିପଠାରେ ଅବତରଣ ପରେ ରାଷ୍ଟ୍ରପତିଙ୍କ କାର୍ଯ୍ୟସୂଚୀ ଅନୁଯାୟୀ ବିଭିନ୍ନ ସ୍ଥାନକୁ ଗସ୍ତ ତଥା ବିଭିନ୍ନ କାର୍ଯ୍ୟକ୍ରମ ଯୋଗଦାନ ସ୍ଥଳ ପର୍ଯ୍ୟନ୍ତ ପ୍ରତ୍ୟେକ କାର୍ଯ୍ୟକୁ ଦାୟିତ୍ୱର ସହିତ ସମ୍ପାଦନ କରିବା ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ସଜାଗ ରଖାଯାଇଛି । ଗସ୍ତ କାର୍ଯ୍ୟକ୍ରମ ସମୟରେ ନିରବଛିନ୍ନ ବିଦ୍ୟୁତ ସରବରାହ ପ୍ରତି ସଜାଗ ରହିବା ପାଇଁ ଟାଟା ପାୱାରକୁ ନିର୍ଦ୍ଦେଶ ଦେଇଛନ୍ତି । ଯୋଗାଯୋଗରେ ସମନ୍ୱୟ ରକ୍ଷା ପାଇଁ ପୋଲିସ୍ ଓ ବନ ବିଭାଗ ପକ୍ଷରୁ ଏକ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକରିବ । ଏହାସହ ସମାନ୍ତରାଳ ଭାବେ ପ୍ରଶାସନ ମଧ୍ୟ କାର୍ଯ୍ୟକରିବ ବୋଲି ଚୂଡାନ୍ତ ହୋଇଛି । ସେଭଳି କାର୍ଯ୍ୟକ୍ରମ ସ୍ଥଳରେ ପାୱାର ବ୍ୟାକ-ଅପ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ତା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସଭାସ୍ଥଳ ଗୁଡିକରେ ପର୍ଯ୍ୟାପ୍ତ ପାନୀୟ ଜଳର ବ୍ୟବସ୍ଥା କରିବା ପାଇଁ ୱାଟକୋ ଏବଂ ଆର ଡବ୍ଲ୍ୟୁ ଏସ ଏସ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଆକସ୍ମିକ ଦୁର୍ଘଟଣାର ମୁକାବିଲା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ସହିତ ପ୍ରସ୍ତୁତ ରହିବା ପାଇଁ ଅଗ୍ନିଶମ ସେବା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଜରୁରୀ କାଳୀନ ସ୍ୱାସ୍ଥ୍ୟ ସେବା ଉପଲବ୍ଧ କରାଇବା ସହିତ ଆବଶ୍ୟକ ସଂଖ୍ୟକ ଆମ୍ବୁଲାନ୍ସ ସେବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ, ଦୁଖ ବନ୍ଧୁ ନାୟକ, ଇଶ୍ୱର ଚନ୍ଦ୍ର ନାଏକ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଧର୍ମାନନ୍ଦ ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ କିଶୋର କୁମାର ଆଚାର୍ଯ୍ୟ, ଏ ଡି ଏମ ଓ, ଡ. ବିଜୟ କୁମାର ଦାଶ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦୀପକ କୁମାର ଗୋଛାୟତ, ଶ୍ରୀମତୀ ସବିତା ମାଝୀ ପ୍ରମୁଖଙ୍କ ସମେତ ବିଭିନ୍ନ ଲାଇନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ । ସେହିପରି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲ୍ଲୀ, ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ସୂଚାରୁ କୁମାର ବଳ, ଉପଜିଲ୍ଲାପାଳ ସୌମ୍ୟ ରଞ୍ଜନ ପ୍ରଧାନ କରଞ୍ଜିଆ ଉପଜିଲ୍ଲାପାଳ ଶ୍ରୀମତୀ କସ୍ତୁରୀ ପଣ୍ଡା ରାଇରଙ୍ଗପୁର ଅତିରିକ୍ତ ଆରକ୍ଷୀ ଅଧକ୍ଷକ ଯଦୁନାଥ ଜେନା, ବିଭିନ୍ନ ବ୍ଲକର ଵି ଡି ଓ, ତହସିଲଦାର ଓ ଅନ୍ୟାନ୍ୟ ଲାଇନ ବିଭାଗର ଅଧିକାରୀମାନେ ଆଭାସୀ ମାଧ୍ୟମରେ ଯୋଗଦେଇଥିଲେ ।

Leave A Reply

Your email address will not be published.