ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶା ଲେଖିକା ସଂସଦ ସୁନ୍ଦରଗଡ ଶାଖା ରାଉରକେଲା ତରଫରୁ ୧୬ତମ ବାର୍ଷିକୋତ୍ସବ ଛେଣ୍ଡ ସ୍ଥିତ ଗୋପବନ୍ଧୁ ପାଠାଗାର ଠାରେ ଅନୁଷ୍ଠିତ ହୋଇଯାଇଛି । ଡା ଗୀତାଞ୍ଜଳି ପତ୍ରୀଙ୍କ ସଭାପତିତ୍ୱ, ସମ୍ପାଦିକା ସ୍ନେହଲତା ନାୟକଙ୍କ ଆବାହକତ୍ୱ ଓ ମଞ୍ଜୁଳା କୁମାରୀ ରଥଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏନଆଇଟି ଉପ କୁଳସଚିବ ଡ଼ଃ ସ୍ୱାଗତିକା ସାହୁ ମୁଖ୍ୟଅତିଥି ତଥା ବକ୍ତା ଭାବେ ଯୋଗଦେଇ ଆଲୋଚ୍ୟ ବିଷୟ ସାମ୍ପ୍ରତିକ ସମାଜରେ ମାନବିକ ମୂଲ୍ୟବୋଧ ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟଅତିଥି ଡ଼ଃ. ସାହୁ ତାଙ୍କ ବକ୍ତବ୍ୟରେ ଅର୍ଥ ଓ ପ୍ରତିପତ୍ତି ପାଇଁ ମଣିଷ କିପରି ସମ୍ପର୍କକୁ ହନନ କରିଚାଲିଛି ତଥା ମାନବୀୟ ମୂଲ୍ୟବୋଧ କିପରି ହ୍ରାସ ପାଇବାରେ ଲାଗିଛି, ଏହାର ନିରାକରଣ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଆଲୋଚ୍ୟ ପ୍ରସଙ୍ଗରେ କବି ବିଜୟିନୀ ଜେନା ଓ କବି ବିଜୟଲକ୍ଷ୍ମୀ ପଟ୍ଟନାୟକ, ଜୋସ୍ନା ପଟ୍ଟନାୟକ ପ୍ରମୁଖ ନିଜ ନିଜର ମତ ଉପସ୍ଥାପନ କରିଥିଲେ । ଆଲୋଚନା ପର୍ଯ୍ୟାୟକୁ ଡ. କିଶୋରୀ ଦାଶ ସମ୍ପାଦନା ସହ ସଂଚାଳନ କରିଥିଲେ । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ କବିତା ପାଠୋତ୍ସବକୁ ସୁସ୍ମିତା ମହାପାତ୍ର, ରୀନାରାଣୀ ଲେଙ୍କା ସଂଯୋଜନା କରିଥିବା ବେଳେ ରାଉରକେଲା, ରାଜଗାଙ୍ଗପୁର ଓ ସୁନ୍ଦରଗଡ଼ ଜିଲ୍ଲାରୁ ଆସିଥିବା କବି କବୟିତ୍ରୀ ଡ. ସରୋଜିନୀ ସାହୁ, ଭୀମସେନ ସାହୁ, ଗଣେଶ୍ୱର ବେହେରା, ସ୍ନେହଲତା ପଟ୍ଟନାୟକ, ସୁମିତ୍ରା ବାରିକ, କଳ୍ପନା ନନ୍ଦଙ୍କ ସମେତ ବହୁ କବି ଓ ସଂଯୋଜକ ଦ୍ୱୟ କବିତା ପାଠ କରିଥିଲେ । ଏହି ଅବସରରେ ସଂସଦର ମୁଖପତ୍ର ପୁଣ୍ୟତୋୟାକୁ ଅତିଥି ମାନେ ଉନ୍ମୋଚନ କରିଥିଲେ । କାର୍ଯ୍ୟକ୍ରମରେ ଡ଼ଃ. ସ୍ୱାଗତିକା ସାହୁଙ୍କୁ ଇନ୍ଦୁମଣୀ ଦାଶ ସ୍ମୃତି ସମ୍ମାନ ଓ ଚାନ୍ଦମଣୀ ସାଣ୍ଡିଲଙ୍କୁ ରାଧାରାଣୀ ସାହୁ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ବବିତା ମହାପାତ୍ର ଓ ଡ. ଚନ୍ଦ୍ରକାନ୍ତୀ ନାଏକ ମାନପତ୍ର ପାଠ କରିଥିଲେ । ସେହିପରି ଗୃହିଣୀ ମାନଙ୍କ ମଧ୍ୟରେ ଗଳ୍ପ ଲିଖନ ପ୍ରତିଯୋଗିତା କରାଯାଇ ଏଥିରେ ଅଂଶଗ୍ରହଣ କରିଥିବା ଅର୍ଚ୍ଚନା ପାତ୍ର, ଝୁଲୁ ପଣ୍ଡା, ସବିତା ପ୍ରଧାନ, ସ୍ୱପ୍ନା ବିଶ୍ୱାଳ, ପୂର୍ଣ୍ଣିମା ପ୍ରିୟଦର୍ଶିନୀ ପାତ୍ର ପ୍ରମୁଖଙ୍କୁ ଶୈଳ ଗୋବର୍ଦ୍ଧନ ପୁଜାରୀ ସ୍ମାରକୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ପ୍ରାରମ୍ଭରେ ସ୍ନେହଲତା ପଟ୍ଟନାୟକ ଅତିଥି ପରିଚୟ, ନିନାରାଣୀ ଜେନା ସ୍ୱାଗତ ଭାଷଣ, ସଭାପତି ଡା. ପତ୍ରୀ ସଭାପତିତ୍ୱ ଅଭିଭାଷଣ ଓ ସାଧାରଣ ସମ୍ପାଦିକା ଶ୍ରୀମତୀ ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଜୟଶ୍ରୀ ସାବତ, ଉଷାରାଣୀ ଶତପଥୀଙ୍କ ସମେତ ବହୁ କବି ସହଯୋଗ କରିଥିଲେ ।
Next Post