ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆସନ୍ତାକାଲି ଫେବୃୟାରୀ ୧ ରବିବାର ଦିନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ଚୁଡାନ୍ତ ହୋଇଛି । ଏହି ଅବସରରେ ସେ ୧୦.୩୦ଟାରେ ରାମେଶ୍ୱର ଷ୍ଟାଡିୟମ୍ ନିକଟସ୍ଥ ହେଲିପ୍ୟାଡରେ ପହଞ୍ଚିବା ପରେ ସେଠାରୁ ପ୍ରଥମେ ଭୀମଭୋଇଙ୍କ ସାଧନା, ସିଦ୍ଧି ଓ ସମାଧି ପୀଠ ଖଲିଆପାଲିରେ ଅନୁଷ୍ଠିତ ହେଉଥିବା ପବିତ୍ର ମାଘମେଳାରେ ଯୋଗ ଦେବେ । ମୁଖ୍ୟମନ୍ତ୍ରୀ ଏଠାରେ ପହଞ୍ଚି ପାଦୁକା ମନ୍ଦିର ଓ ଭୀମଭୋଇଙ୍କ ସମାଧି ଦର୍ଶନ କରି ୨ ଶହ ୧୨କେଜିରେ ନିର୍ମିତ ଏକ ବିରାଟ ଘଣ୍ଟିର ଉଦଘାଟନ କରିବେ । ପରେ ସୋନପୁର ଗୋପାଳଜୀ ମନ୍ଦିରରେ ପ୍ରତିଷ୍ଠା ହେବାକୁ ଥିବା ୧୨ଟି ଦୁର୍ଲଭ ଗୋପାଳଜୀ ମୂର୍ତ୍ତିଙ୍କୁ ଦର୍ଶନ କରିବେ ଓ ମହାପ୍ରଭୁଙ୍କ ଗମ୍ଭୀରା ବିଜେ ଉତ୍ସବରେ ଯୋଗଦେଇ ପ୍ରଭୁକୃପା ଲାଭ କରିବେ । ପ୍ରକାଶ ଥାଉ କି ୪୨ ବର୍ଷ ପୂର୍ବେ ଉକ୍ତ ୧୨ଟି ଦୁର୍ଲଭ ମୂର୍ତ୍ତି ଶ୍ରୀ ଗୋପାଳଜୀ ମନ୍ଦିରରୁ ଦୁର୍ବୃତ୍ତମାନେ ଚୋରି କରି ନେଇଥିଲେ । ୧୯୯୩ ମସିହାରେ ଦିଲ୍ଲୀରେ ସିବିଆଇ ଦ୍ୱାରା ୧୨ଟି ମୂର୍ତ୍ତି ଜବତ କରାଯାଇଥିଲା । ପରେ ଭୁବନେଶ୍ୱର ସିବିଆଇ ମାଲାଖାନାରେ ଉକ୍ତ ୧୨ଟି ମୂର୍ତ୍ତି ପଡି ରହିଥିଲା । ଏବେ ରାଜ୍ୟ ସରକାର ଓ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ୍ ସାହୁ ଏବଂ ଜିଲ୍ଲା ପ୍ରଶାସନର ଉଦ୍ୟମରେ ଏହି -ମୂର୍ତ୍ତିଗୁଡ଼ିକର ପୁନରୁଦ୍ଧାର ହୋଇଛି । ଗତ ୨୫ ତାରିଖରୁ ସ୍ଥାନୀୟ ଗୋପାଳଜୀ ମନ୍ଦିରରେ ମୂର୍ତ୍ତିଗୁଡ଼ିକର ପୂଜାର୍ଚ୍ଚନା ଓ ଶୋଧନ କାର୍ଯ୍ୟକ୍ରମ ଜାରି ରହିଛି । ଯଜ୍ଞ ଓ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ପ୍ରତ୍ୟହ ଭକ୍ତଙ୍କ ଭିଡ଼ ଲାଗି ରହିଛି । ପରେ ରାମେଶ୍ୱର ଷ୍ଟାଡିୟମରେ ୭ ଦିନ ବ୍ୟାପି ହେବାକୁ ଥିବା ଜିଲ୍ଲା ସ୍ତରୀୟ ସୁଭଦ୍ରା ମେଳାର ଶୁଭାରମ୍ଭ କରିବା ସହ ଉଦବୋଧନ୍ ଦେବେ । ଅଗଣିତ ଭକ୍ତ ଏବଂ ଜନସାଧାରଣଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ପ୍ରଶାସନ ଓ ଦେବୋତ୍ତର ବିଭାଗ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ଆଜି ସହରରେ ପୁଲିସ ଫ୍ଲାଗ ମାର୍ଚ୍ଚ କରିଛି ।
Prev Post