ଜିଲ୍ଲାସ୍ତରୀୟ ପିଏମଶ୍ରୀ ଉତ୍ସବ -୨୦୨୬ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାସ୍ତରୀୟ ପିଏମଶ୍ରୀ ଉତ୍ସବ -୨୦୨୬ ଉଦ୍‌ଯାପିତ ହୋଇଯାଇଛି । ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାରଙ୍କ ସଭାପତିତ୍ଵରେ ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗଙ୍କ ଆବାହନ କ୍ରମେ ପିଆର ହାଇସ୍କୁଲ ଖେଳ ପଡିଆରେ ଦୁଇ ଦିନିଆ ପିଏମଶ୍ରୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଲୋକସଭା ସାଂସଦ ସଙ୍ଗୀତା କୁମାରୀ ସିଂହ ଦେଓ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଦ୍ଵାରା କରାଯାଇଥିବା ପ୍ରଦର୍ଶନୀ ଷ୍ଟଲ ଗୁଡିକ ବୁଲି ଦେଖିବା ସହ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଅପରାହ୍ନ ଆୟୋଜିତ ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ୱାସ୍ଥ୍ୟମନ୍ତ୍ରୀ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା, ଓଡ଼ିଶା ସରକାର ଡଃ ମୁକେଶ ମହାଲିଙ୍ଗ ଉପସ୍ଥିତ ଥିଲେ । ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ସହ ଛାତ୍ରଛାତ୍ରୀଙ୍କର ସର୍ବାଙ୍ଗୀନ ଉନ୍ନତି କରିବା ପିଏମଶ୍ରୀ ସ୍କୁଲର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମୁଖ୍ୟ ଅତିଥି ଶ୍ରୀ ମହାଲିଙ୍ଗ ମତବ୍ୟକ୍ତ କରିଥିଲେ । କେନ୍ଦ୍ର ସରକାରଙ୍କ ନୂତନ ଶିକ୍ଷାନୀତି ପୁସ୍ତକ ଶିକ୍ଷା ଠାରୁ ଜ୍ଞାନ ଆହରଣ କରି ତାହାକୁ ପ୍ରାୟୋଗିକ କାର୍ଯ୍ୟରେ ଲଗାଇବା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରୁଛି, ଯାହା ସେମାନଙ୍କ ସୁଭବିଷ୍ୟତ ଗଠନରେ ସହାୟକ ହେବ ବୋଲି କହିବା ସହ ଭାରତ ସରକାରଙ୍କ ଏଆଇ (କୃତ୍ରିମ ବୁଦ୍ଧିମତା) ମିଶନ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ । ପୂର୍ବତନ ଛାତ୍ରଛାତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟି ସହ ବିଚାରବିମର୍ଷ ଦ୍ଵାରା ବିଦ୍ୟାଳୟ ଏବଂ ଶିକ୍ଷା କ୍ଷେତ୍ରରେ କିଭଳି ପରିବର୍ତ୍ତନ ଆଣିପାରିବା ସେ ଦିଗରେ ଗୁରୁତ୍ଵ ଦେବାକୁ ଜିଲ୍ଲାପାଳ ଶିକ୍ଷାଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ରୂପେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପ୍ରବୀର କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ରୀନା କୁମାରୀ ବେହେରା ଓ ସେବାଶ୍ରୀ ଭୋଇଙ୍କ ସହ ଜିଲ୍ଲା ବିଜ୍ଞାନ ତତ୍ତ୍ୱାବଧାରକ ନବଘନ ସାହୁ ମଞ୍ଚାସୀନ ଥିଲେ । ଶ୍ରେଷ୍ଠ ପ୍ରଦର୍ଶନୀ ଷ୍ଟଲ ଗୁଡିକୁ ପୁରସ୍କୃତ କରାଯାଇଥିଲା । ସେହିପରି ବେଶଭୂଷା, ଅଭିନୟ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବିଜ୍ଞାନ ଭିତ୍ତିକ ଡ୍ରାମା ପରିବେଷଣରେ ଉତ୍ତମ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ବ୍ଲକ ଶିକ୍ଷାଧିକାରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଏବଂ ସାମ୍ବାଦିକଗଣ ଉପସ୍ଥିତ ଥିଲେ ।

Leave A Reply

Your email address will not be published.