ଭବାନୀପାଟଣା, (ଶୁଭେନ୍ଦୁ କୁମାର ପଣ୍ଡା) : ସହରର ମଦନ ମୋହନ ମନ୍ଦିରରେ ଗତବର୍ଷ ମାଘ ଶୁକ୍ଳ ବଡ ଏକାଦଶୀ ଠାରୁ ଆରମ୍ଭ ହୋଇଥିବା ଏକାଦଶୀ ବ୍ରତ ଶୁକ୍ରବାର ଉଦ୍ୟାପନ ହୋଇଯାଇଛି । ପାଞ୍ଚଜଣ ସମେତ ୧୮ ଗୋଟି ଦମ୍ପତି ଗତବର୍ଷ ମାଘ ବଡ ଏକାଦଶୀ ଦିନ ସଂକଳ୍ପ କରି ଏକାଦଶୀ ବ୍ରତ ଆରମ୍ଭ କରିଥିଲେ । ବର୍ଷର ୨୪ଟି ଏକାଦଶୀ ଓ ଷଡ ଜୟନ୍ତୀ ଶିବରାତ୍ରି, ଶ୍ରୀରାମ ନବମୀ, ଜନ୍ମାଷ୍ଟମୀ, ଦୂର୍ଗାଷ୍ଟମୀ, ବାମନ ଜନ୍ମ ଓ ନୃସିଂହ ଚତୁର୍ଦ୍ଦଶୀ ମିଶାଇ ୩୦ ଦିନ ସମ୍ପୂର୍ଣ୍ଣ ଉପବାସ ରହି ଆଧ୍ୟାତ୍ମିକ ପରିବେଶରେ ଏହି ୪୧ ଜଣ ବ୍ରତୀ ଏକାଦଶୀ ବ୍ରତ ପାଳନ କରିଥିଲେ । ସେମାନଙ୍କ ମଧ୍ୟରେ ୮୬ ବର୍ଷ ବୟସ୍କ ମଧୁସୂଦନ ମହାପାତ୍ର ବୟୋଜ୍ୟେଷ୍ଠ ବ୍ରତୀ ଥିଲେ । ମହେନ୍ଦ୍ର କୁମାର ପଣ୍ଡା ଓ ତାଙ୍କ ପତ୍ନୀ ରଞ୍ଜିତା ପଣ୍ଡା ଏହି ବାର୍ଷିକ ଏକାଦଶୀ ବ୍ରତର କର୍ତ୍ତା ହୋଇଥିଲେ । ଆଚାର୍ଯ୍ୟ ନିରଞ୍ଜନ ଦାସ ଓ ଶରତ କୁମାର ମିଶ୍ରଙ୍କ ତତ୍ତ୍ୱାବଧାନରେ ଏକ ବର୍ଷର ଏହି ଧର୍ମୀୟ ଅନୁଷ୍ଠାନ ସମ୍ପାଦିତ ହୋଇଥିଲା । ପ୍ରତ୍ୟେକ ଏକାଦଶୀ ଓ ଷଡ ଜୟନ୍ତୀ ନିମନ୍ତେ ଦଶମୀ ଓ ଦ୍ଵାଦଶୀ ତିଥିରେ ବ୍ରତୀମାନେ ହବିଷାନ୍ନ କରୁଥିଲେ ଏବଂ ଏକାଦଶୀ ଦିନ ସମ୍ପୂର୍ଣ୍ଣ ଉପବାସ ରହି ମଦନ ମୋହନ ମନ୍ଦିରରେ ଜାଗର ଜାଳି ଉଜାଗର ରହୁଥିଲେ । ରାତି ତମାମ ଗୀତା, ବିଷ୍ଣୁ ସହସ୍ରନାମ ଓ ଭାଗବତ ପରାୟଣ ସାମୁହିକ ଭାବରେ କରୁଥିଲେ । ଉଦ୍ୟାପନ ନିମନ୍ତେ ବୁଧବାର କଳସ ଯାତ୍ରା ଓ ଅଙ୍କୁରାରୋପଣ କରାଯାଇଥିଲା । ଗୁରୁବାର ବଡ଼ ଏକାଦଶୀରେ ଷୋଡଶ ଉପଚାର ପୂଜା, ଶ୍ରୀମଦ୍ଭାଗବତ ଗୀତା ଓ ବିଷ୍ଣୁ ସହସ୍ରନାମରେ ଘୃତ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ବଡ ଏକାଦଶୀ ସନ୍ଧ୍ୟାରେ ପ୍ରତ୍ୟେକ ବ୍ରତୀ ଏକ ଲକ୍ଷ ଲେଖାଏଁ ଦୀପ ସମୁଦାୟ ୨୩ ଲକ୍ଷ ଦୀପ ସହ ମନ୍ଦିର ପରିକ୍ରମା କରି ମଦନ ମୋହନଙ୍କୁ ମହାଦୀପ ସମର୍ପଣ କରିଥିଲେ । ଶୁକ୍ରବାର ମଧ୍ୟାହ୍ନରେ ଯଜ୍ଞର ପୂର୍ଣ୍ଣାହୁତି ହୋଇଥିଲା । ନିରଞ୍ଜନ ଦାସ, ମନୋରଞ୍ଜନ ଦାସ ଓ ଗଦାଧର ଦାସ ଏକାଦଶୀ ବ୍ରତ ଉଦ୍ୟାପନର ଆଚାର୍ଯ୍ୟ ହୋଇଥିଲେ । ପୂର୍ଣ୍ଣାହୁତି ପରେ ଅନ୍ନ ଯଜ୍ଞର ଆୟୋଜନ ପରେ ଏକାଦଶୀ ବ୍ରତ ଉଦଯାପିତ ହୋଇଥିଲା ।