ଦିନିକିଆ ଗସ୍ତରେ ପୂର୍ବତନ ରେଲୱେ ବିଭାଗର ମହାପ୍ରବନ୍ଧକ

ସଇଁତଲା, (ଖୁସରାଣୀ ସାହୁ) : ଦିନିକିଆ ଗସ୍ତରେ ପୂର୍ବତନ ରେଲୱେ ବିଭାଗର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୁୱାଲ । ଆଜି ବାର୍ଷିକ ନିରୀକ୍ଷଣ ଓ ସମୀକ୍ଷା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ପାହାନ୍ତିଆ ସମୟରେ ପ୍ରଥମେ ଟିଟିଲାଗଡ଼ ରେଲୱେର ବିଶେଷ ସ୍ୱତନ୍ତ୍ର (ସ୍ପେଶାଲ) ଟ୍ରେନ ଯୋଗେ ସେ ଟିଟିଲାଗଡ ରେଳଷ୍ଟେସନରେ ପହଞ୍ଚିଥିଲେ । ଷ୍ଟେସନରେ ପହଞ୍ଚିବା ସହିତ ସେ ପ୍ରଥମେ ରେଲୱେ ଷ୍ଟେସନ ପରିସରରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଉପରେ ନିକଟରୁ ତଦାରଖ କରିଥିଲେ । ଯାତ୍ରୀ ସୁବିଧା, ପରିସ୍କାରତା, ପ୍ଲାଟଫର୍ମ ବ୍ୟବସ୍ଥା, ପାନୀୟ ଜଳ, ଆଲୋକ ବ୍ୟବସ୍ଥା ସହିତ ସୁରକ୍ଷା ସମ୍ପର୍କିତ ବିଭିନ୍ନ ବିଷୟ ଉପରେ ସେ ଗୁରୁତ୍ୱ ଦେଇ ନିରୀକ୍ଷଣ କରିଥିଲେ । ଏହା ସହିତ ରେଲୱେ ଷ୍ଟେସନ ପରିସରରେ ଅବସ୍ଥିତ ଇଆଇ (ଇଲେକ୍ଟ୍ରିକାଲ୍ ଏବଂ ଇଣ୍ଟରଲକିଂ) ବିଲ୍ଡିଂକୁ ଯାଇ ସେଠାରେ ଥିବା ସୁରକ୍ଷା ବ୍ୟବସ୍ଥା ଓ ପ୍ରାଯୁକ୍ତିକ ପରିଚାଳନା ସମ୍ପର୍କରେ ଗଭୀର ନିରୀକ୍ଷଣ କରିଥିଲେ । ରେଲ ଚଳାଚଳ ସମୟରେ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେବାକୁ ସେ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରେ ମହାପ୍ରବନ୍ଧକ କର୍ମଚାରୀମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରି ତାଙ୍କର କାର୍ଯ୍ୟ ଅନୁଭବ, ସମସ୍ୟା ଓ ପ୍ରସ୍ତାବ ଶୁଣିଥିଲେ । କାର୍ଯ୍ୟରେ ଉତ୍କୃଷ୍ଟ ପ୍ରଦର୍ଶନ କରୁଥିବା କିଛି କର୍ମଚାରୀଙ୍କୁ ସେ ପ୍ରୋତ୍ସାହନ ରାଶି ପ୍ରଦାନ କରି ଉତ୍ସାହିତ କରିଥିଲେ, ଯାହା ଫଳରେ କର୍ମଚାରୀମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିଲା । ଏହା ପରେ ମହାପ୍ରବନ୍ଧକ ରେଲୱେର ବିଶେଷ ଟ୍ରେନରେ ବସି ଟିଟିଲାଗଡରୁ ବଡ଼ମାଳ ଷ୍ଟେସନ ପର୍ଯ୍ୟନ୍ତ ରେଳପଥ ଓ ଟ୍ରାକ ନିରୀକ୍ଷଣ କାର୍ଯ୍ୟ ଆରମ୍ଭ କରିଥିଲେ । ବଡ଼ମାଳ ଷ୍ଟେସନରେ ପହଞ୍ଚିବା ପରେ ସେ ଟ୍ରେନ ଷ୍ଟେସନର ସମଗ୍ର ବ୍ୟବସ୍ଥା ଉପରେ ତଦାରଖ କରିଥିଲେ । ଏହି ସମୟରେ ବିଭିନ୍ନ ପ୍ରକାରର ଖାତା ଓ ରେକର୍ଡ ମେଣ୍ଟେନେନ୍ସ ଠିକ୍‌ ଭାବେ ହୋଇନଥିବା ଦେଖି ସେ ଗଭୀର ଅସନ୍ତୋଷ ପ୍ରକାଶ କରିଥିଲେ, ଏବଂ ସମ୍ପୃକ୍ତ ଅଧିକାରୀମାନଙ୍କୁ ତୁରନ୍ତ ସୁଧାର ଆଣିବାକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ । ଅନ୍ୟପଟେ ବଡ଼ମାଳ ଷ୍ଟେସନରେ ସ୍ଥାନୀୟ ସରପଞ୍ଚ ମନେଶ ସୁନାଙ୍କ ସମେତ ସ୍ଥାନୀୟ ଜନ ସାଧାରଣ ସମେତ ଗୋଳାବାରୁଦ କାରଖାନାର କର୍ମଚାରୀମାନେ ମଧ୍ୟ ସାମିଲ ହୋଇ ମହାପ୍ରବନ୍ଧକଙ୍କ ସମ୍ମୁଖରେ ସମଲେଶ୍ୱରୀ ଏକ୍ସପ୍ରେସ, ଇସ୍ପାତ ଏକ୍ସପ୍ରେସ, ଧନବାଦ ଏକ୍ସପ୍ରେସ ଓ ଏଲଟିଟି ଏକ୍ସପ୍ରେସର ରହିବା ପାଇଁ ଦାବି ଉଠାଇଥିଲେ । ଏହି ଦାବିକୁ ସେ ଗୁରୁତ୍ୱ ସହ ଶୁଣି ଉଚ୍ଚ ଅଧିକାରୀ ସ୍ତରରେ ଆଲୋଚନା କରାଯିବ ବୋଲି ଆଶ୍ୱାସନ ଦେଇଥିଲେ । ମହାପ୍ରବନ୍ଧକଙ୍କ ଏହି ଗସ୍ତ ପରେ ବଲାଙ୍ଗିରରୁ ସମ୍ବଲପୁର ପର୍ଯ୍ୟନ୍ତ ରେଳପଥ ଓ ଷ୍ଟେସନ ନିରୀକ୍ଷଣ କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି ।

Leave A Reply

Your email address will not be published.