ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ପକ୍ଷରୁ ପୋଷ୍ୟ ଗ୍ରାମ ଚାରପାଲିଠାରେ ଅନୁଷ୍ଠିତ ସପ୍ତଦିବସୀୟ ଜାତୀୟ ସେବା ଯୋଜନା ଶୀତକାଳୀନ ସ୍ୱତନ୍ତ୍ର ଶିବିର ଆଜି ମହାସମାରୋହରେ ଉଦ୍ଯାପିତ ହୋଇଯାଇଛି । ଦିବସର ପ୍ରାରମ୍ଭରେ ପତାକା ଉତ୍ତୋଳନ, ଯୋଗାଭ୍ୟାସ ଓ ପରିସର ସଫେଇ ପରେ ଅନୁଭୂତି ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ସ୍ୱେଚ୍ଛାସେବୀମାନେ ଶିବିର ସମୟର ସ୍ମୃତି ଓ ଶିକ୍ଷା ବାବଦରେ ଆଲୋଚନା କରିଥିଲେ । ବିଶେଷ କରି ପୂର୍ବବର୍ଷ ସାଧାରଣତନ୍ତ୍ର ଦିବସ ଓ ଜାତୀୟ ସଂହତି ଶିବିର ପାଇଁ ଚୟନିତ ହୋଇଥିବା ସ୍ୱେଚ୍ଛାସେବୀ କରନ ସାହୁ ଓ ଆଦିତ୍ୟ ବନଛୋରଙ୍କୁ ସମ୍ମାନିତ କରାଯିବା ସହ ସେମାନେ ନିଜର ସଫଳତାର ଅଭିଜ୍ଞତା ବଖାଣିଥିଲେ । ଉଦ୍ଯାପନୀ ସଭାରେ ଅଧ୍ୟକ୍ଷ ପ୍ରଫେସର ଖଗେଶ୍ୱର ଦାଶ ସଭାପତିତ୍ୱ କରି କୃତ୍ତୀ ଶିବିରାର୍ଥୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଡ. ସରୋଜ କୁମାର ନାଏକ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସମ୍ମାନିତ ଅତିଥି ଭାବେ କାର୍ଯ୍ୟକ୍ରମ ଅଧିକାରୀ ବୁନି ସାହୁ, ସଞ୍ଜୟ ତିଗା ଓ ଭୁବନେଶ୍ୱର ବରିହା ଯୋଗଦେଇଥିଲେ । ଏହି ଅବସରରେ ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ଅନ୍ଧବିଶ୍ୱାସ ଦୂରୀକରଣ ଉପରେ ଆଧାରିତ ଏକ ଶିକ୍ଷଣୀୟ ନାଟକ ‘ଟଁଢେଇ’ ପରିବେଷିତ ହୋଇଥିଲା, ଯାହାକୁ ଗ୍ରାମବାସୀ ବେଶ୍ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବାରେ ପ୍ରାଧ୍ୟାପକ ପ୍ରଭାତ କୁମାର ମହାପାତ୍ର, ପ୍ରଦୀପ କୁମାର ପଣ୍ଡା, ନିର୍ମଳ କୁମ୍ଭାର, ଅନନ୍ତ ମଲ୍ଲିକ, ଛାତ୍ରୀ ଭାରତୀ ବେହେରା, ଇତିଶ୍ରୀ ସାହୁ ଓ ଜନନୀ ସାହୁ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । ସନ୍ଧ୍ୟାରେ ପତାକା ଅବତରଣ ଓ କ୍ୟାମ୍ପ ଫାୟାର ସହ ଶିବିରର ସମାପ୍ତି ଘଟିଥିଲା । ପରିଶେଷରେ କାର୍ଯ୍ୟକ୍ରମ ଅଧିକାରୀ ସୁରେଶ୍ୱରୀ ପାଣ୍ଡେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।