ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଭାରତର ସ୍ୱାଧୀନତା ସଂଗ୍ରାମ ଇତିହାସରେ ଅମର ନାମ ଲେଖାଇ ଯାଇଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ଓଡ଼ିଶାର ବୀରତ୍ୱପୂର୍ଣ୍ଣ ସଂଗ୍ରାମର ପ୍ରତୀକ ମହାନ ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଉତ୍ସବ ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଗରିମା ଓ ଦେଶଭକ୍ତିମୟ ପରିବେଶ ମଧ୍ୟରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଅବସରରେ ଅଞ୍ଚଳର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ସାଂସ୍କୃତିକ ଅନୁଷ୍ଠାନ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ତଥା ବିଭିନ୍ନ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା ବୁଦ୍ଧିଜୀବୀ ଓ ଦେଶପ୍ରେମୀ ନାଗରିକ ନିଜ ନିଜ ଅନୁଷ୍ଠାନରେ ଉପସ୍ଥିତ ରହି ଦୁଇ ମହାନ ବରପୁତ୍ରଙ୍କ ଫଟୋଚିତ୍ରରେ ଦୀପ ଧୂପ ପ୍ରଜ୍ୱଳନ ପୂର୍ବକ ପୁଷ୍ପ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପରେ ପରେ ଏକ ସଭାର ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦୃଢ଼ ନେତୃତ୍ୱ, “ଆଜାଦ ହିନ୍ଦ” ଆନ୍ଦୋଳନ ଓ ସଶସ୍ତ୍ର ସଂଗ୍ରାମର ସାହସିକ ପଥ ଭାରତୀୟ ସ୍ୱାଧୀନତା ଆନ୍ଦୋଳନକୁ ଏକ ନୂଆ ଦିଗ ଦେଇଥିଲା । ସେହିପରି ଭାବେ ବୀର ସୁରେନ୍ଦ୍ର ସାଏ ଦୀର୍ଘ ବର୍ଷ ଧରି ଇଂରେଜ ଶାସନ ବିରୋଧରେ ଅବିରତ ସଂଘର୍ଷ କରି ଓଡ଼ିଶାର ମାଟିରୁ ସ୍ୱାଧୀନତାର ଆଗ୍ନିଶିଖାକୁ ପ୍ରଜ୍ୱଳିତ କରିଥିଲେ । ତାଙ୍କର ତ୍ୟାଗ, ବୀରତ୍ୱ ଓ ଦେଶପ୍ରେମ ଆଜି ମଧ୍ୟ ଜାତିକୁ ପ୍ରେରଣା ଦେଇ ଆସୁଛି । ଏଣୁ ଦେଶପ୍ରେମ, ବଳିଦାନ ଓ ସ୍ୱାଧୀନତାର ମୂଲ୍ୟବୋଧକୁ ଆଗାମୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବାର ଆବଶ୍ୟକତା ଉପରେ ଆଲୋଚନା କରାଯାଇଥିଲା ।
Next Post