ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ସିଦ୍ଧିଦାତ୍ରୀ ମା’ ସରସ୍ୱତୀଙ୍କ ପୂଜାର୍ଚ୍ଚନା ବାଲିଗୁଡା ଟାଉନ ତଥା ଏହାର ଆଖପାଖ ପୁରପଲ୍ଲୀରେ ପରମ୍ପରା ଓ ବିଧିବିଧାନ ଅନୁସାରେ ଧୁମଧାମରେ ପାଳିତ ହୋଇଯାଇଛି । ସେଥିପାଇଁ ଶିକ୍ଷାନୁଷ୍ଠାନଠାରୁ ଆରମ୍ଭ କରି ବିଭିନ୍ନ ପୂଜା ଅନୁଷ୍ଠାନ ଚଳଚଞ୍ଚଳ ହୋଇ ଉଠିଥିଲା । ସମସ୍ତଙ୍କ ମନରେ ଉତ୍ସାହ ଦେଖା ଦେଇଥିଲା । ସେହିପରି ଆଜିର ଦିନରେ ନୂଆ କରି ପଢା ଆରମ୍ଭ କରୁଥିବା କୁନି ପିଲାମାନେ ମଧ୍ୟ ଖଡ଼ି ଛୁଇଁଛନ୍ତି । କେଉଁଠି ମା’ ସରସ୍ୱତୀଙ୍କ ବିଶାଳ ମୂର୍ତ୍ତି, ତ ଆଉ କେଉଁଠି ବିରାଟ ପେଣ୍ଡାଲ, ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି ପୂଜା ମଣ୍ଡପ । ଗାଁ ଦାଣ୍ଡ, ସହର, ବଜାର ସବୁ ଚଳଚଞ୍ଚଳ । ରଙ୍ଗୀନ ତୋରଣ ଓ ସୁସଜ୍ଜିତ ପୂଜା ମଣ୍ଡପ ଶୋଭାପାଉଥିବା ବେଳେ ମା’ଙ୍କ ପୂଜା ପାଇଁ ସବୁଠି ଭରପୁର ଉତ୍ସାହ ଓ ଉତ୍କଣ୍ଠା । ବିଭିନ୍ନ ଥିମକୁ ନେଇ ସବୁଠି ପ୍ରସ୍ତୁତ ହୋଇଛି ସୁନ୍ଦର ତୋରଣ ଓ ମୂର୍ତ୍ତି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଟାଉନର ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜନ ହୋଇଥିବା ବେଳେ ଦିନ ତମାମ ଛାତ୍ରଛାତ୍ରୀ ଓ ସାଧାରଣ ଭକ୍ତଙ୍କ ସମାଗମ ହୋଇଥିଲା ।