ୟୁଜିଆଇଇର ବାର୍ଷିକୋତ୍ସବ ମହା ସମାରୋହରେ ସମ୍ପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳମଣି ଗୋପବନ୍ଧୁ ଇନ୍‌ଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟରିଂ (ୟୁଜିଆଇଇ)ର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ୟୁଜିଆଇଇର ଅଧ୍ୟକ୍ଷ ଇଂ. ଶରତ କୁମାର ମୁଦାଲିଙ୍କ ସଭାପତିତ୍ୱ, ସାଂସ୍କୃତିକ ଉପସଭାପତି ଦୀପକ ରଞ୍ଜନ ପଟ୍ଟନାୟକଙ୍କ ଆବାହକତ୍ୱ ଓ ଅନୀମା ଏକ୍କାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିପିୟୁଟିର କୁଳପତି ପ୍ରଫେସର ଅମୀୟ କୁମାର ରଥ ମୁଖ୍ୟଅତିଥି, ୟୁଜିଆଇଇର ପ୍ରାକ୍ତନ ଅଧ୍ୟକ୍ଷା ପ୍ରଗତି ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳା, ସମୟାନୁବର୍ତ୍ତିତା ତଥା ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଆବଶ୍ୟକ ହେଉଥିବା ମାନବୀୟ ଗୁଣ ଉପରେ ଗୁରୁତ୍ୱାରୋପ କରିଥିଲେ । ସେହିପରି ଯେଉଁ ଅନୁଷ୍ଠାନ ତୁମକୁ ପରିଚୟ ଦେଇଛି, ସେହି ଅନୁଷ୍ଠାନ ପ୍ରତି ସମର୍ପିତ ଭାବ ହିଁ ତୁମକୁ ଏକ ସ୍ୱତନ୍ତ୍ର ମଣିଷ ଭାବେ ଗଢିତୋଳିବ ବୋଲି ମତ ରଖିଥିଲେ । ୧୯ ତାରିଖରୁ ୨୦ ତାରିଖ ଦୁଇଦିନ ବାର୍ଷିକ କ୍ରୀଡା ଉତ୍ସବ ଓ ୨୧ ତାରିଖ ବାର୍ଷିକୋତ୍ସବ ପାଳନ କରାଯାଇ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ପ୍ରାରମ୍ଭରେ ଅଧ୍ୟକ୍ଷ ଇଂ. ମୁଦୁଲି ସ୍ୱାଗତ ଭାଷଣ ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଅଧ୍ୟାପିକା କଣନିକା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଛାତ୍ର ଛାତ୍ରୀଙ୍କ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପରିଚାଳନାରେ ରାଜେଶ ତ୍ରିପାଠୀ, ଶିଶିର ଦଳେଇ, ସ୍ମୃତିରଞ୍ଜନ ମିଶ୍ର, ମୌସୁମୀ ସୁବୁଦ୍ଧି, ରଶ୍ମିତା ସେନାପତି, ସୁବାସିନୀ ଜେନା, ପଙ୍କଜ ସାମନ୍ତ, ସଦାଶିବ ପାତ୍ର ଓ ପୁରାତନ ଛାତ୍ର ସଂସଦ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.