ବହ୍ନୀକନ୍ୟା ପାର୍ବତୀ ଗିରିଙ୍କର ଜନ୍ମ ଶତବାର୍ଷିକୀ ସମାରୋହ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଉପକଣ୍ଠରେ ଥିବା ପଥରଚେପା ପାର୍ବତୀ ଗିରି ବାଳନିକେତନଠାରେ ଏହି ଆଶ୍ରମର ସଂସ୍ଥାପିକା ତଥା ସ୍ୱାଧିନତା ସଂଗ୍ରାମୀ, ସମାଜସେବିକା ବହ୍ନୀକନ୍ୟା ପାର୍ବତୀ ଗିରିଙ୍କର ଜନ୍ମ ଶତବାର୍ଷିକୀ ସମାରୋହ ପାଳିତ ହୋଇଯାଇଛି । ବାଳନିକେତନର ସଭାପତି ସୁଶ୍ରୀ ଶାନ୍ତିଲତା ବହିଦାରଙ୍କ ଅଧ୍ୟକ୍ଷତା ଓ ଶିଶୁକଲ୍ୟାଣ ଅଧିକାରୀ ଇପସିତା ପୁରୋହିତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ବଲାଙ୍ଗିର ଭୀମଭୋଇ ମେଡିକାଲକଲେଜର ଡିନ ଡ. ସ୍ୱୟଂପ୍ରଭା ପ୍ରଧାନ, ସମ୍ମାନିତ ଅତିଥି ଭାବରେ ରାଜେନ୍ଦ୍ରବିଶ୍ୱବିଦ୍ୟାଳୟର ପିଜି କାଉନସିଲ ଅଧ୍ୟକ୍ଷ ଡ. ପ୍ରତାପ ଚନ୍ଦ୍ର ଦାସ, କେନ୍ଦ୍ର ମୁଖ୍ୟ ବଲାଙ୍ଗିର ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ବି. ଉଷା, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଦିଗାମ୍ବର କର, ସିଡବ୍ଲୁସିର ଅଧ୍ୟକ୍ଷ ଦାୟିତ୍ୱରେ ଥିବା ଲିନା ବାବୁ ଓ ମୁଖ୍ୟବକ୍ତା ଭାବରେ ପ୍ରଧ୍ୟାପକ ଡ. ପ୍ରେମଚନ୍ଦ ମହାନ୍ତି ଯୋଗ ଦେଇଥିଲେ । ବଡମା’ ପାର୍ବତୀ ଗିରିଙ୍କ ସମାଧି ଓ ପ୍ରତିକୃତୀରେ ମାଲ୍ୟାର୍ପଣ କରି ପୂଜାର୍ଚ୍ଚନା ପରେ ଅନୁଷ୍ଠାନର ସଂପାଦିକା ସଂସ୍କୃତି ପଟ୍ଟନାୟକ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । ଏହି ବିବରଣୀରେ ଅନୁଷ୍ଠାନର ସଫଳ ଛାତ୍ରଛାତ୍ରୀ ମାନଙ୍କ ବିଷୟରେ ସୂଚନା ଦିଆଯାଇ ବଡମା’ ପାର୍ବତୀ ଗିରିଙ୍କ ସ୍ୱପ୍ନ ପୂରଣ ହେଉଛି ବୋଲି ଶ୍ରୀମତୀ ପଟ୍ଟନାୟକ କହିଥିଲେ । ତେବେ ସରକାର ଏହି ଅନୁଷ୍ଠାନକୁ ଏବେ ଅନୁଦାନ ଦେଇ ଚଳାଉଥିଲେ ହେଁ ଜିଲ୍ଲା ପ୍ରଶାସନର ଆଭିମୁଖ୍ୟକୁ ନେଇ ସଭାପତି ଶାନ୍ତିଲତା ବହିଦାର ଅସନ୍ତୋଷ ବ୍ୟକ୍ତ କରିଥିଲେ । ଅନୁଷ୍ଠାନକୁ ଯେଭଳି ଭାବରେ ପ୍ରଶାସନ ନଜର ଦେବା କଥା ତାହା ହୋଇପାରୁନାହିଁ ବୋଲି ସେ ସଭାରେ କହିଥିଲେ । ଡିନ୍‌ ଡ. ପ୍ରଧାନ ତାଙ୍କ ବକ୍ତବ୍ୟରେ ପାର୍ବତୀ ଗିରିଙ୍କର ସେବା ଓ ତ୍ୟାଗ ପାଇଁ ସବୁଦିନ ପାଇଁ ମନେ ରହିବେ ବୋଲି କହିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ୧୨୯ତମ ମନକି ବାତରେ ପାର୍ବତୀ ଗିରିଙ୍କୁ ସ୍ମରଣ କରିଥିବା ବିଷୟରେ କହିଥିଲେ । ବି. କେ ଉଷା ତାଙ୍କ ବକ୍ତବ୍ୟରେ ଜୀବନରେ ଆଧ୍ୟାତ୍ମିକତାର ମୂଲ୍ୟ ଓ ମାନବୀୟଗୁଣ ବିଷୟରେ କହିଥିଲେ । ମୁଖ୍ୟବକ୍ତା ଡ. ମହାନ୍ତି ପାର୍ବତୀ ଗିରିଙ୍କ ସମାଜ ପ୍ରତି ଥିବା ଉତ୍ସର୍ଗୀକୃତ ମନୋଭାବ, ତ୍ୟାଗ ଓ ସେବାକୁ ନେଇ ବକ୍ତବ୍ୟ ରଖିଥିଲେ । ପାର୍ବତୀ ଗିରିଙ୍କ ଦ୍ୱାରା ସ୍ଥାପିତ ଆଶ୍ରମଗୁଡିକରେ ଆଶ୍ରା ନେଇ ଜୀବନରେ ଉନ୍ନତିପଥ ପାଉଥିବା ଛାତ୍ରଛାତ୍ରୀ ନିହାତି ସମାଜ ପାଇଁ କିଛି କରିପାରିବେ ବୋଲି ଆଶାବ୍ୟକ୍ତ କରିଥିଲେ । ଏହି ଅବସରରେ ବାଳାଶ୍ରମର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ସହରର ବିଶିଷ୍ଠବ୍ୟକ୍ତି ଯଥା-ଜଗଦାନନ୍ଦ ଛୁରିଆ, ଡ. ପିକେ ଦାସ, ବାବୁଲା ବହିଦାର, ପ୍ରମୋଦ ବଗର୍ତ୍ତି, ଦେବାଶିଷ ପଟେଲ, ବବିତା ଅଗ୍ରୱାଲ ପ୍ରମୁଖଙ୍କ ସହ ବହୁମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ । ପ୍ରକାଶ୍ୟ ଯେ, ପାର୍ବତୀ ଗିରି ୧୯୯୫ ମସିହାରେ ବଲାଙ୍ଗିର ପଥରଚେପା ଠାରେ ପାର୍ବତୀ ଗିରି ବାଳନିକେତନ ସ୍ଥାପନ କରିଥିଲେ । ତତକାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ୫ ଏକର ପରିମିତ ଜମିରେ ୨୫ଲକ୍ଷ ୬୦ ହଜାର ଟଙ୍କା ଖର୍ଚ୍ଚ କରି ଏଠାରେ ୧୦୦ ଶର୍ୟ୍ୟା ବିଶିଷ୍ଟ ଆଶ୍ରମ ନିର୍ମାଣ କରାଇଥିଲେ ।

Leave A Reply

Your email address will not be published.