ସଇଁତଲା, (ଖୁସିରାଣୀ ସାହୁ) : ବୃକ୍ଷ ରୋପଣ ନାଁରେ କୋଟି କୋଟି ଟଙ୍କା ସରକାରୀ ଧନ ଖର୍ଚ୍ଚ ହେଉଥିବା ବେଳେ ଅସଲ୍ରେ ଘଟୁଥିବା ବାସ୍ତବତା ଅତ୍ୟନ୍ତ ଚିନ୍ତାଜନକ । ଏପଟେ ସରକାର ପରିବେଶ ସୁରକ୍ଷା, ହରିତ୍ ଭାରତ ଯୋଜନା, ବନମହୋତ୍ସବ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଗଛ ଲଗାଇବାକୁ ଲୋକଙ୍କୁ ସଚେତନ କରୁଛନ୍ତି, ଅନ୍ୟପଟେ ବନ ବିଭାଗର ନିଷ୍କ୍ରିୟତା ଓ କାଠ ମାଫିଆଙ୍କ ଦୌରାତ୍ମ୍ୟ ଯୋଗୁଁ ମୂଲ୍ୟବାନ ଜଙ୍ଗଲ ସମ୍ପଦ ଦିନକୁ ଦିନ ଧଂସ ହେବାରେ ଲାଗିଛି । ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ ତାଲବାହାଲ ପଞ୍ଚାୟତର ଶୁଳିଆମାଲ ଜଙ୍ଗଲ ଏହାର ସ୍ପଷ୍ଟ ଉଦାହରଣ । ଏହି ଜଙ୍ଗଲରେ ଶାଳ, ସାଗୁଆନ, ବିଜାଶାଳ, ଆସନ, କରଞ୍ଜ ଭଳି ହଜାର ହଜାର ମୂଲ୍ୟବାନ ଗଛ ରହିଥିବା ବେଳେ ବର୍ତ୍ତମାନ ସେଗୁଡ଼ିକ କାଠ ମାଫିଆଙ୍କ ଟାର୍ଗେଟରେ ପଡ଼ିଛି । ଖୋଲାଖୋଲି ରାତି ଅନ୍ଧକାରରେ ଗଛ କାଟାଯାଉଛି, କାଠ ଟ୍ରାକ୍ଟର ଓ ଟ୍ରକ୍ରେ ଚାଲାଣ ହେଉଛି ବୋଲି ସାଧାରଣରେ ଆଲୋଚନା ହେଉଥିବା ବେଳେ ପ୍ରଶାସନ ଓ ବନ ବିଭାଗ ନିଦାବିଷ୍ଣୁ ସାଜିଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଗ୍ରାମବାସୀଙ୍କ କହିବାନୁସାରେ ଏହି ଅଞ୍ଚଳରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ନୂଆ ନୁହେଁ । ବର୍ଷ ବର୍ଷ ଧରି ଏଠାରୁ ଅବୈଧ କାଠ ଚୋରାଚାଲାଣ ହେଉଛି । ଅନେକ ସମୟରେ ଗ୍ରାମବାସୀ ଏନେଇ ବନ ବିଭାଗକୁ ଖବର ଦେଇଥିଲେ ମଧ୍ୟ କୌଣସି ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇ ନଥିବା ଅଭିଯୋଗ ହେଉଛି । ଫଳସ୍ୱରୂପ ମାଫିଆମାନଙ୍କ ସାହସ ଦିନକୁ ଦିନ ବଢ଼ିଚାଲିଛି । ସବୁଠାରୁ ଚିନ୍ତାର ବିଷୟ ହେଉଛି, ଯେଉଁ ବନ ବିଭାଗକୁ ଜଙ୍ଗଲ ସୁରକ୍ଷାର ଦାୟିତ୍ୱ ଦିଆଯାଇଛି, ସେଇ ବିଭାଗର କିଛି ଅଧିକାରୀ ଓ କର୍ମଚାରୀ, କାଠ ମାଫିଆଙ୍କ ସହ ଗୁପ୍ତ ସଂପର୍କ ରହିଥିବା ଚର୍ଚ୍ଚା ସାଧାରଣରେ ଜୋର ଧରିଛି । ଯଦି ବନ ବିଭାଗ ସଚେତନ ଥାଆନ୍ତା, ତେବେ ହଜାର ହଜାର ଗଛ କାଟାଯିବା କିପରି ସମ୍ଭବ ହେଉଥାଆନ୍ତା ବୋଲି ସାଧାରଣରେ ପ୍ରଶ୍ନ ଉଙ୍କି ମାରୁଛି । ଜଙ୍ଗଲ କେବଳ କାଠର ଉତ୍ସ ନୁହେଁ, ଏହା ପରିବେଶ ସହ ଅଙ୍ଗାଙ୍ଗୀ ଭାବେ ଜଡିତ । ଶୁଳିଆମାଲ ଜଙ୍ଗଲ ଧ୍ୱଂସ ହେଲେ ଆଖପାଖର ଗ୍ରାମଗୁଡ଼ିକରେ ପରିବେଶ ଅସନ୍ତୁଳନ ସମସ୍ୟା ଗମ୍ଭୀର ଆକାର ନେବ । ଜଙ୍ଗଲ ଉପରେ ନିର୍ଭରଶୀଳ ଆଦିବାସୀ ଲୋକଙ୍କ ଜୀବନଜୀବିକା ମଧ୍ୟ ପ୍ରଭାବିତ ହେବ । ଏନେଇ ସଇଁତଲା ରେଞ୍ଜର ସାଗର ରାଜ ନାଏକଙ୍କୁ ପଚାରିବାରୁ ଆଗରୁ ବହୁତ ଗଛ କଟୁଥିଲା, ଏବେ ଗଛ ମାଫିଆମାନେ କମ୍ ଗଛ କାଟୁଥିବା କହିଛନ୍ତି ।