ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆସନ୍ତା ଫେବୃୟାରୀ ୧୫ ତାରିଖରେ ହେବ ପବିତ୍ର ମହା ଶିବରାତ୍ରି । ତେବେ ଏହାକୁ ଦୃଷ୍ଟିରେ ରଖି ସୋମବାର ଦିନ ଟିଟିଲାଗଡ଼ ଦଧିବାମନ ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ବାଳକ ଉଚ୍ଚ ବିଦ୍ୟାଳୟ ସଭା ଗୃହରେ ଟ୍ରଷ୍ଟ ସଭାପତି ତଥା ଟିଟିଲାଗଡ଼ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି ବୈଠକରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ, ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ, ସାଂସଦ ପ୍ରତିନିଧି ପ୍ରଶାନ୍ତ ଷଡ଼ଙ୍ଗୀ, ଏସ୍ଡିପିଓ ଯଶୋବନ୍ତ ନାରାୟଣ ପ୍ରଧାନି, ପୌର ନିର୍ବାହୀ ଅଧିକାରୀ ଚନ୍ଦନ ଶତପଥୀ, ତହସିଲଦାର ଶଙ୍କର ବାଗ, ଟ୍ରଷ୍ଟି ସଞ୍ଜୀବ ପାଢ଼ୀ, ଟ୍ରଷ୍ଟର ରାଧାକାନ୍ତ ପାଢ଼ୀ, ଭବାନୀ ପ୍ରସାଦ ହୋତାଙ୍କ ସମେତ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ତେବେ ଏହି ପ୍ରସ୍ତୁତି ବୈଠକରେ ଟିଟିଲାଗଡ଼ ଥାନାଧିକାରୀ ଶ୍ରୀମତୀ କଲ୍ୟାଣୀ ବେହେରା, ନୂତନ ଭାବେ ଯୋଗ ଦେଇଥିବା ଅତିରିକ୍ତ ଥାନାଧିକାରୀ, ମନୋଜ କୁମାର ମୁଣ୍ଡା ଏବଂ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ସେହିପରି ସହରର ବହୁତ ମାନ୍ୟଗଣ୍ୟ ବ୍ୟକ୍ତି, ବିଭିନ୍ନ ଅନୁଷ୍ଠାନର ସଦସ୍ୟ, ସମାଜସେବୀମାନେ କିଭଳି ଅତି ସୁନ୍ଦର ଭାବରେ ସୁରୁଖୁରୁରେ ସମ୍ପନ୍ନ ହେବ ସେନେଇ ଉପସ୍ଥିତ ସଦସ୍ୟମାନେ ନିଜ ନିଜର ମତ ପୋଷଣ କରିଥିଲେ । ଶେଷରେ ସହାୟକ ଜିଲ୍ଲାପାଳ ତୁଷାର କାନ୍ତ ମହଲା ଧନ୍ୟବାଦ୍ ଜ୍ଞାପନ କରିଥିଲେ ।