ସୃଜନ ସାହିତ୍ୟ ସଂସଦର ବର୍ଷର ଶେଷ କବିତା ଆସର ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅଗ୍ରଣୀ ସଂଗଠନ ସୃଜନ ସାହିତ୍ୟ ସଂସ୍କୃତି ସଂସଦ, ଛତ୍ରପୁର ଆନୁକୂଲ୍ୟରେ କବି ଡ଼ଃ. ପ୍ରଶାନ୍ତ କୁମାର ଶତପଥୀଙ୍କ ସଭାପତିତ୍ୱରେ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ କାର୍ଯ୍ୟାଳୟ ଠାରେ ୨୦୨୫ ବର୍ଷର ଶେଷ ଆଲୋଚନା ଚକ୍ର ଓ କବିତା ଆସର ବର୍ଣ୍ଣାଢ଼୍ୟ ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଭାପତି ଡ଼ଃ. ପ୍ରଶାନ୍ତ କୁମାର ଶତପଥୀ, ସମ୍ପାଦକ ସୋମନାଥ ସାହୁ, ଶିଶୁକବି ନିରଞ୍ଜନ ତ୍ରିପାଠୀ, ଜି. ପାପା ରାଓ, ବିଜୟ ରାଉଳ, ଯତିରାଜ ନାୟକ ମଞ୍ଚାସିନ ହୋଇଥିଲେ । ନୂତନ ଇଂରାଜୀ ବର୍ଷ ୨୦୨୬ରେ କବିଙ୍କ ଲିଖନୀ ମାଧ୍ୟମରେ ଓଡ଼ିଆ ସାହିତ୍ୟର ବିକାଶ ଧାରାକୁ ଶୀର୍ଷରେ ପହଞ୍ଚାଇବା ପାଇଁ ଏବଂ ସୁନ୍ଦର ଗଳ୍ପ, କବିତା, ପ୍ରବନ୍ଧ ଓ ଉପନ୍ୟାସର ରଚନା କରିଲେ ଏହା ପାଠକ ମହଲରେ ଖୁବ୍ ଆଦୃତ ହୋଇପାରିବ ବୋଲି ଉପସ୍ଥିତ ସମସ୍ତ କବି ଓ କବୟିତ୍ରୀମାନଙ୍କୁ ସଭାପତି ନିଜ ଅଭିଭାଷଣରେ ଅନୁରୋଧ କରିଥିଲେ । ସମ୍ପାଦକ ସୋମନାଥ ସାହୁ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ । କାର୍ଯ୍ୟକ୍ରମରେ କବି ନିରଞ୍ଜନ ତ୍ରିପାଠୀ, ଶୈଳବାଳା ପାଣିଗ୍ରାହୀ, ଉମାକାନ୍ତ ବେହେରା, ଜ୍ୟୋତିରାଜ ନାୟକ, ବଳରାମ ପଲେଇ, ଟି. ରାମାନୁଜ ଦାସ, ବିଜୟ ରାଉଳ, ଜି. ପାପା ରାଓ, ଅଶ୍ୱିନୀ ଚୌଧୁରୀ, ଟଙ୍କଧର ଛଟାଇ, ଚିତ୍ତରଞ୍ଜନ ପଣ୍ଡା, ରାମଚନ୍ଦ୍ର ନନ୍ଦ, ନରେନ୍ଦ୍ର ପଣ୍ଡା, ରୀତା ରଥ ଏବଂ ଆହୁରି ଅନେକ ସାହିତ୍ୟ ପ୍ରେମୀ ଯୋଗଦେଇ ସ୍ୱରଚିତ କବିତା ପଠନ କରିଥିଲେ । କବି ବିଜୟ ରାଉଳ କାର୍ଯ୍ୟକ୍ରମର ସଂଯୋଜନା ଏବଂ ଶିଶୁକବି ନିରଞ୍ଜନ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.