ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି । ସେହିଭଳି ସବୁ ସ୍ଥାନରେ ଭୋଜିଭାତର ଆସର ଜମୁଥିବାରୁ ଦର୍ଶନୀୟ ସ୍ଥାନ ସବୁ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ହେଉଥିବାର ଦେଖାଯାଉଛି । ସେହି ସବୁରୁ କିପରି ଦର୍ଶନୀୟ ସ୍ଥାନକୁ ସୁରକ୍ଷା ଦିଆଯିବା ସହ ତାକୁ ଲୋକ ଲୋଚନକୁ ଅଣାଯାଇ ଲୋକଙ୍କ ମନରେ ପରିବେଶ ସ୍ୱଚ୍ଛତାକୁ ନେଇ ଏକ ଆନ୍ଦୋଳନ ସୃଷ୍ଟି କରାଯାଇପାରିବ । ସେହି କଥା ଚିନ୍ତା କରି ଗତ ୨୧-୧୨-୨୦୨୫ ରବିବାର ସକାଳ ୧୦ ଘଟିକାରୁ ଦିବା ୩ ଘଟିକାଯାଏଁ ଗଜପତି ଜିଲ୍ଲା ନ୍ୟାୟାଳୟର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ରଙ୍କ ଡାକରା କ୍ରମେ ବିଭିନ୍ନ ବିଭାଗ ତଥା ବିଭିନ୍ନ ଅନୁଷ୍ଠାନର ସମାଜସେବୀ ଆଗେଇ ଆସିଥିଲେ ଖସଡ଼ା ଜଳପ୍ରପାତକୁ ସଫାକରି ସମାଜକୁ ଏକ ନିଆରା ବାର୍ତ୍ତା ଦେବା ପାଇଁ । ପୂର୍ବ ଯୋଜନା ମୁତାବକ ସମରଝୋଳ ସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଳୟର ସହାୟତାରେ ଭୁବନେଶ୍ୱର ସ୍ଥିତ ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ସେବା ପ୍ରତିନିଧିର ମୁଖ୍ୟ ସଙ୍ଗଠକ ନୀଳମଣି ମିଶ୍ର ତଥା ଗୋପାଳପୁର ସ୍ଥିତ ଆଇ.ଆର.ଇରେ କାର୍ଯ୍ୟରତ ମନୋରଞ୍ଜନ ବେହେରା ଓ ସମାଜସେବୀ ମନୋଜ ମିଶ୍ରଙ୍କ ନେତୃତ୍ୱରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳର ସ୍ୱେଚ୍ଛାସେବୀ, ପାରଳା ଖେମୁଣ୍ଡି ସ୍ଥିତ ଅଖିଳ ଭାରତୀୟ ଯୁବାଜନ ସେବା ସମିତିର ମୁଖ୍ୟ କୁମାର ରେଡ୍ଡୀ ତଥା ଗାୟତ୍ରୀ ପରିବାରର ସନ୍ତୋଷ ଗନ୍ତାୟତଙ୍କ ନେତୃତ୍ୱରେ ଶତାଧିକ ସ୍ୱେଚ୍ଛାସେବୀ ଆଜି ସକାଳେ ଖସଡ଼ା ଜଳପ୍ରପାତ ନିକଟରେ ଏକାଠି ହୋଇ ସଫେଇ କାର୍ଯ୍ୟ ଆରମ୍ଭ କରି ଜଳପ୍ରପାତ ନିକଟରେ ପଡିଥିବା ପ୍ଲାଷ୍ଟିକ ବୋତଲ ତଥା କାଚ ବୋତଲକୁ ସଫା କରିଥିଲେ । ପରେ ଏହି ମହତ କାମରେ ସହଯୋଗର ହାତ ବଢାଇଥିଲେ ଗଜପତି ଜିଲ୍ଲାର ଖଣି ଅଧିକାରୀ ଦିପେନ ପରିଡ଼ା, କନିଷ୍ଠ ଖଣି ଅଧିକାରୀ ବିଶ୍ଵଜିତ କୁମାର ମହନ୍ତ ଓ ମୋହନା ଥାନା ତଥା ଚନ୍ଦ୍ରଗିରି ଫାଣ୍ଡିର ଥାନାଧିକାରୀ ଇନ୍ସପେକ୍ଟର ବସନ୍ତ ସେଠୀ ଓ ସବ-ଇନ୍ସପେକ୍ଟର ସୁନୀଲ କୁମାର ସେଠୀ ଓ ବିଭାଗୀୟ କର୍ମଚାରୀ । ସମସ୍ତଙ୍କ ସହାୟତାରେ ଆଜିର ଏହି କାର୍ଯ୍ୟକ୍ରମ ସୂଚାରୁ ରୂପେ ଶେଷ ହେବା ସହ ଉପସ୍ଥିତ ସମସ୍ତ ପର୍ଯ୍ୟଟକଙ୍କୁ ପରିବେଶର ସୁରକ୍ଷା ପ୍ରତି ଦୃଷ୍ଟି ଦେବା ନେଇ ସଚେତନ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏସ. ରବି, ମାଧବ ସାସମଲ, ଶିବ ବେହେରା, ପି ଗଣେଶ ରେଡ୍ଡୀ, ମୋହନ ବେହେରା, ଦୟାନିଧି ସାହୁ, ବି ସାତେୟା, ସନାତନ ମହାରଣା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସୂଚାରୁ ରୂପେ ପରିଚାଳିତ କରିଥିଲେ ।