csstore

ଡିସେମ୍ବର ୩୧ରୁ ଜାନୁୟାରୀ ୩ ପର୍ଯ୍ୟନ୍ତ ଦେଷଣ୍ଢରେ ଚାନ୍ଦଲି ମହୋତ୍ସବ : ଲୋଗୋ ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଦେଷଣ୍ଢଠାରେ ପ୍ରସିଦ୍ଧ ଚାନ୍ଦଲି ପର୍ଯ୍ୟଟନସ୍ଥଳୀରେ ଆସନ୍ତା ଡିସେମ୍ବର ୩୧ ତାରିଖରୁ ୪ଦିନ ଧରି ଜାନୁୟାରୀ ୩ ତାରିଖ ପର୍ଯ୍ୟନ୍ତ ୯ମ ଚାନ୍ଦଲି ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଚାନ୍ଦଲି ପର୍ଯ୍ୟଟନସ୍ଥଳୀରେ ମହୋତ୍ସବ କମିଟି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ବିଳନୀରେ ଏନେଇ ସୂଚନା ଦିଆଯାଇଛି । ମହୋତ୍ସବର ଲୋଗୋ ଉନ୍ମୋଚିତ ହୋଇଯାଇଛି । ମହୋତ୍ସବ କମିଟିର ସଂଯୋଜକ ଲକ୍ଷ୍ମଣ କୁମାର ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟଅତିଥି ଭାବରେ ପୌରାଧ୍ୟକ୍ଷା ଲିକା ସାହୁ ଓ ବିଶିଷ୍ଟ ସଂସ୍କୃତି ଗବେଷକ ଗୁରୁଶ୍ରୀ ଡ. ଘାସିରାମ ମିଶ୍ର ଯୋଗଦେଇ ଏହି ଲୋଗୋକୁ ଉନ୍ମୋଚନ କରିଥିଲେ । ଏଠାରେ ପ୍ରତ୍ୟହ ନାମଯଜ୍ଞ, ସଂକିର୍ତ୍ତନ୍ୟ, ମହିମାଧର୍ମିଙ୍କ ହୋମଯଜ୍ଞ, ରାବଣ ଦରବାର ସହ ସାଂସ୍କୃତିକ ସଭା ଅନୁଷ୍ଠିତ ହେବ । ମୀନାବଜାର ଲାଗିବା ସହ ହଜାର ହଜାର ଲୋକଙ୍କ ସମାଗମ ହେବ ବୋଲି ସୂଚନା ଦିଆଯାଇଛି । ମଞ୍ଚରେ ଚାନ୍ଦଲି ମହୋତ୍ସବ କମିଟିର ସଭାପତି ରାଧେଶ୍ୟାମ ମେହେର,ସଂପାଦକ ସ୍ୱୟଂମ୍ବର ମେହେର, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ସୁଶିଳ ଚାନ୍ଦ, ବନ୍ଧପଡା ସରପଞ୍ଚ ଗୋପାଳ ମିଶ୍ର, ମଧୁସୂଦନ ନାୟକ, ପ୍ରମୋଦ ବହିଦାର, ଶୈଳେନ୍ଦ୍ର ସାହୁ, ଘାସିରାମ ରଣା, ଇନ୍ଦ୍ରଜିତ ରାଉତ, ରଘୁମଣୀ ରଣା, ପ୍ରଦ୍ୟୁମ୍ନ ଷଢଙ୍ଗୀ ପ୍ରମୁଖ ରହିଥିଲେ । ମହୋତ୍ସବର ସଂଯୋଜକ ଲକ୍ଷ୍ମଣ କୁମାର ମେହେର ଚାନ୍ଦଲି ପାହାଡର ବିକାଶ ତଥା ପର୍ଯ୍ୟଟନସ୍ଥଳୀ ଘୋଷଣା ପ୍ରସଙ୍ଗରେ ସହଯୋଗ କରିଥିବା ବ୍ୟକ୍ତିବିଶେଷଙ୍କୁ କୃତଜ୍ଞତା ଜଣାଇଥିଲେ । ପୂର୍ବତନ ସରକାର ଓ ବର୍ତ୍ତମାନ ସରକାର ଏହି ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ନେଇଥିବା ପଦକ୍ଷେପ ବିଷୟରେ ଲୋକଙ୍କୁ ସୂଚନା ଦେଇଥିଲେ । ପୂର୍ବରୁ ଚାନ୍ଦଲି ପର୍ଯ୍ୟଟନସ୍ଥଳିର ବିକାଶ ପାଇଁ ନବୀନ ସରକାର ୧କୋଟି ଟଙ୍କାର ଅନୁଦାନ ସହିତ ରାସ୍ତାପାଇଁ ଗ୍ରାମ୍ୟଉନ୍ନୟନ ବିଭାଗ ୩.୫କୋଟି ଟଙ୍କା ଦେଇଥିଲେ । ଏବେ ଭୁଲିଆକଟାର ପୁନଃରୁଦ୍ଧାର ପାଇଁ ୫୦ଲକ୍ଷ ଟଙ୍କାର ଅନୁଦାନ ଆସିଥିବା ଓ ଆଗକୁ ବିଧାୟକଙ୍କ ଉଦ୍ୟମରେ ଆହୁରି ଅନୁଦାନ ଆସିବ ବୋଲି କହିଥିଲେ । ମୋହନ ସରକାରଙ୍କ ଦୁଇ ଉପମୁଖ୍ୟମନ୍ତ୍ରୀ, ସାଂସଦ ଓ ବଲାଙ୍ଗିର ବିଧାୟକଙ୍କ ସଦିଚ୍ଛା ରହିଛି ତେଣୁ ଅନୁଦାନ ଆସିବାରେ ଅସୁବିଧା ରହିବ ନାହିଁ ବୋଲି ଶ୍ରୀ ମେହେର କହିଥିଲେ । ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ପର୍ଯ୍ୟଟନସ୍ଥଳୀକୁ ବିକାଶ କରାଇବାରେ ଅଞ୍ଚଳବାସୀଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । ଠିକ ସେହିପରି ଗୁରୁଶ୍ରୀ ଡ. ଘାସିରାମ ମିଶ୍ର ତାଙ୍କ ବକ୍ତବ୍ୟରେ ବଲାଙ୍ଗିରର ଖୋଲ ବା ପାଟ୍ କଥା କହି ଚାନ୍ଦଲିପାହାଡ ମଧ୍ୟ ଏକ ପାଟ ବୋଲି କହିଥିଲେ । ଏହି ଚାନ୍ଦଲି ପାହାଡ ପ୍ରକୃତିକୁ ସୁରକ୍ଷା ଦେଉଛି ଓ ଯୁଗ ଯୁଗ ଧରି ସ୍ଥାନୀୟ ଅଞ୍ଚଳକୁ ସୁରକ୍ଷା କରୁଛି ବୋଲି କହିଥିଲେ । ତେଣୁ ଏହାକୁ ଆମେ ସୁରକ୍ଷା ଦେଇ ମାନବ ସମାଜଙ୍କୁ ସୁରକ୍ଷା ଦେଉଛୁ ବୋଲି କହିଥିଲେ ।

jayashree
Leave A Reply

Your email address will not be published.