ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ନୂତନ ସମ୍ମିଳନୀ କକ୍ଷରେ ଶକ୍ତି ଶ୍ରୀ ସଶକ୍ତି କରଣ ପ୍ରକୋଷ୍ଠ ଏବଂ ଆଭ୍ୟନ୍ତରୀଣ ଅଭିଯୋଗ ପ୍ରକୋଷ୍ଠର ମିଳିତ ଆନୁକୂଲ୍ୟରେ ଓ ଅଧ୍ୟକ୍ଷ ପ୍ରଫେସର ଖଗେଶ୍ୱର ଦାଶଙ୍କ ସଭାପତିତ୍ୱରେ “ଜାତୀୟ ପ୍ରଗତି ପାଇଁ ଲିଙ୍ଗଗତ ସମାନତା ଏକ ଅପରିହାର୍ଯ୍ୟ ପୂର୍ବସୂଚକ” ଶୀର୍ଷକ ଏକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ଅଧ୍ୟାପିକା ରୀନା ଧର୍ମବିନାୟକ ଅତିଥି ମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିବା ବେଳେ ଅଧ୍ୟକ୍ଷ ପ୍ରଫେସର ଦାଶ ସଭାର ବିଷୟବସ୍ତୁର ଗୁରୁତ୍ୱ ଉପରେ ଆଲୋକପାତ କରି ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ମଞ୍ଚରେ ସମ୍ମାନିତ ଅତିଥି ଭାବେ ଆଭ୍ୟନ୍ତରୀଣ ଅଭିଯୋଗ ପ୍ରକୋଷ୍ଠର ମୁଖ୍ୟା ପ୍ରାଧ୍ୟାପିକା ଝୁନୁ ପରିଡ଼ା, ଶକ୍ତିଶ୍ରୀ ସଶକ୍ତିକରଣ ପ୍ରକୋଷ୍ଠର ସଂଯୋଜିକା ତଥା ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପିକା ଶର୍ମିଳା ପଣ୍ଡା ଏବଂ ସଦସ୍ୟା ଅଧ୍ୟାପିକା ରୀନା ଧର୍ମବିନାୟକ ଉପସ୍ଥିତ ରହି ଲିଙ୍ଗଗତ ସମାନତା ଓ ସାମାଜିକ ବିକାଶର ବିଭିନ୍ନ ଦିଗ, ସମାଜର ମୁଖ୍ୟଧାରାରେ ମହିଳାମାନଙ୍କୁ ସମାନ ସୁଯୋଗ ଓ ସମ୍ମାନ ପ୍ରଦାନ କରାଗଲେ ହିଁ ଏକ ସମୃଦ୍ଧ ରାଷ୍ଟ୍ର ଗଠନ ସମ୍ଭବ ଏବଂ ବିଶେଷ କରି ଶିକ୍ଷା ଓ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ଲିଙ୍ଗଗତ ବୈଷମ୍ୟକୁ ଦୂର କରିବା ଏକ ସୁସ୍ଥ ଗଣତନ୍ତ୍ର ପାଇଁ ଜରୁରୀ ବୋଲି ସେମାନେ ନିଜ ବକ୍ତବ୍ୟରେ କହିଥିଲେ । ଏହି ଅବସରରେ ଛାତ୍ରୀ ଧରିତ୍ରୀ ବରିହା ବିଷୟବସ୍ତୁ ସମ୍ପର୍କିତ ଭିତ୍ତିପ୍ରବନ୍ଧ ଉପସ୍ଥାପନ କରିଥିଲେ । ସଭାରେ ପ୍ରାଧ୍ୟାପିକା ତାପିନୀ ପଣ୍ଡା, ପୂର୍ଣ୍ଣିମା ଦୋରା, ଅଧ୍ୟାପିକା ମୋନାଲିସା ସ୍ୱାଇଁ, ନିକିତା ଭୋଇ, ସୁରେଶ୍ୱରୀ ପାଣ୍ଡେ, ପ୍ରାଧ୍ୟାପକ ପ୍ରଭାତ କୁମାର ମହାପାତ୍ର, ଅଧ୍ୟାପକ ସନ୍ତୋଷ ମିଶ୍ର ଓ ନିର୍ମଳ କୁମ୍ଭାରଙ୍କ ସମେତ ଶତାଧିକ ଛାତ୍ରୀ ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଶେଷରେ ଛାତ୍ରୀ ବେଦମତୀ ମିରି ସମସ୍ତଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post
Next Post