
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ନ୍ୟାୟାଳୟ ସମେତ, ଜିଲ୍ଲାରେ ଥିବା ସମସ୍ତ ତାଲୁକ ସ୍ତର ଓ ତୁଷୁରା କୋର୍ଟଠାରେ ଚଳିତ ବର୍ଷର ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକ ଅଦାଲତ ଜିଲ୍ଲା କୋର୍ଟ ପରିସରରେ ଜିଲ୍ଲା ନ୍ୟାୟାଳୟର ଜିଲ୍ଲା ନ୍ୟାୟାଧିଶ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ (ଭାରପ୍ରାପ୍ତ) ମଳୟ ରଂଜନ ଦାଶଙ୍କ ଉପସ୍ଥିତିରେ ପରିଚାଳନା କରାଯାଇଥିଲା । ଏଥିରେ ବିମଲ କୁମାର ଚାନ୍ଦ, ଚେୟାରମ୍ୟାନ, ପି ଏଲ୍ ଏ, (ପି ୟୁ ଏସ୍), ବିକ୍ରମ କେଶରୀ ପଟ୍ଟନାୟକ, ଜଜ୍ ଫ୍ୟାମିଲି କୋର୍ଟ, ଶ୍ରୀମତୀ ଅଞ୍ଜଳି ପାଢ଼ୀ, ଅତିରିକ୍ତ ଜିଲ୍ଲା ଜଜ୍ (ଦ୍ଵିତୀୟ), ମୁଖ୍ୟ ବିଚାର ବିଭାଗୀୟ ଅଧିକାରୀ, ଶଙ୍ଖ ଚକ୍ରବର୍ତୀ, ରେଜିଷ୍ଟ୍ରାର, ସିଭିଲ କୋର୍ଟ, ଶ୍ରୀଦୀପ ମିଶ୍ର, ଆଶିଷ କୁମାର ସାହୁ, ସିଭିଲ୍ ଜଜ୍ (ବରିଷ୍ଠ), ଶ୍ରୀମତୀ ବୈଶାଳୀ ନାୟକ, ସିଭିଲ ଜଜ୍ (ବରିଷ୍ଠ), ଶ୍ରୀମତୀ ଅର୍ଣ୍ଣପୂର୍ଣ୍ଣା ଷଡଙ୍ଗୀ, ଅତିରିକ୍ତ ସିଭିଲ୍ ଜଜ୍ (ବରିଷ୍ଠ), ଶ୍ରୀମତୀ ଦୀପାରାଣୀ ଜେନା, (ଏସ୍ଡିଜେଏମ୍) ଶ୍ରୀମତୀ ସାସ୍ୱତୀ ମହାପାତ୍ର, ସିଭିଲ୍ ଜର୍ଜ (କନିଷ୍ଠ), ଶିଶିର ଭୋଇ (ଗ୍ରାମ ନ୍ୟାୟାଧିକାରୀ) ଦୀପାଳି ଦାସ (ଜେ.ଏମ୍.ଏଫ୍.ସି), ଅର୍ଘ୍ୟରୂପା ମିଶ୍ର (ଜେ.ଏମ୍.ଏଫ୍.ସି) ଏବଂ ଜିଲ୍ଲାର ସମସ୍ତ ଅଧିବକ୍ତାମାନେ ଉପସ୍ଥିତ ଥିଲେ । ଏହା ସହିତ ଜିଲ୍ଲାର ବିଭିନ୍ନ ରାଜସ୍ଵ ଅଧିକାରୀ, ଜାତୀୟକରଣ ବ୍ୟାଙ୍କ, ଜଳ ବିଭାଗ, ବିଦ୍ୟୁତ ବିଭାଗ, ଦୂର ସଂଚାର ଏବଂ ଅନ୍ୟ ବିଭାଗମାନଙ୍କର କର୍ମଚାରୀ ମଧ୍ୟ ଏହି ଲୋକ ଅଦାଲତରେ ଭାଗ ନେଇଥିଲେ । ପ୍ରାଧିକରଣର ଭାରପ୍ରାପ୍ତ ଅଧ୍ୟକ୍ଷ ମଳୟ ରଂଜନ ଦାଶଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗିର ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ସହଯୋଗରେ ଡ଼ା. ନନ୍ଦ କିଶୋର ପାଢିଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର କର୍ମଚାରୀ, ଆଶାକର୍ମୀଙ୍କ ମାଧ୍ୟମରେ ପ୍ରାଧିକରଣ ପରିସରରେ ଉପସ୍ଥିତ ଥିବା ବ୍ୟକ୍ତିବିଶେଷ ମାନଙ୍କର ବିଭିନ୍ନ ସ୍ଵାସ୍ଥ୍ୟ ସମସ୍ୟା ପରୀକ୍ଷା କରାଯିବା ସହିତ, ବଲାଙ୍ଗିର ଜିଲ୍ଲା କାରାଗାରର ଅନ୍ତେବାସୀ ମାନଙ୍କର ଉତ୍ସାହ ବୃଦ୍ଧି କରିବା ପାଇଁ ସେମାନଙ୍କ ଦ୍ଵାରା ତିଆରି କରାଯାଇଥିବା ବିଭିନ୍ନ ହସ୍ତତନ୍ତ୍ର ବସ୍ତ୍ର ଗୁଡିକର ଜିଲ୍ଲା କାରାଗାର କର୍ମଚାରୀଙ୍କ ଦ୍ଵାରା ବିକ୍ରି କରାଯାଇଥିଲା, ତତ ସହିତ ଦ୍ଵିତୀୟ ମଧ୍ୟସ୍ଥତା ଅଭିଯାନ ସଚେତନ ଶିବିର ମଧ୍ୟ ଖୋଲା ଯାଇଥିଲା । ଏହି ରାଷ୍ଟ୍ରିୟ ଲୋକ ଅଦାଲତରେ ୪୩ଟି ଦେୱାନୀ ମକଦ୍ଦମା, ୪୩୬ଟି ଫୌଜଦାରି ମକଦ୍ଦମା, ୦୬ଟି ବ୍ୟାଙ୍କ ମକଦ୍ଦମା, ୧୨ଟି ମଟର ଦୁର୍ଘଟଣା ଜନିତ ମାମଲା, ୧୪ଟି ପାରିବାରିକ ମାମଲା ଫଇସଲା ହୋଇଥିଲା । ତତସହିତ ୯୦୨୩ଟି ରାଜସ୍ୱ ମାମଲା, ୧୪୨୩ଟି ପ୍ରାକ୍ ମକଦ୍ଦମା ମାମଲାର ସମାଧାନ କରାଯାଇ ମୋଟ ୧୦୯୫୭ଟି ମକଦ୍ଦମା ଫଇସଲା କରାଯିବା ସହିତ ୫,୦୮,୭୮,୭୯୬/- ଟଙ୍କାରେ ସମାଧାନ ହୋଇଥିଲା । ଉକ୍ତ ଲୋକ ଅଦାଲତକୁ ପବିତ୍ରାନନ୍ଦ ପ୍ରଧାନ, ସଚିବ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବଲାଙ୍ଗିର ପରିଚାଳନା କରିଥିଲେ । ଆଇନ ଶୃଙ୍ଖଳା ରକ୍ଷା କରିବାରେ ଜିଲ୍ଲା ପୋଲିସ ପ୍ରଶାସନ ସହଯୋଗ କରିଥିଲେ ।