ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାର ପୁଇଁତଲା ବ୍ଲକ ଅନ୍ତର୍ଗତ ଭାଲେରଠାରେ ଭାଲେର ଧନୁଯାତ୍ରା ସାଂସ୍କୃତିକ ପରିଷଦ ପକ୍ଷରୁ ହେବାକୁଥିବା ୧୦୬ ତମ ଧନୁଯାତ୍ରା ମହୋତ୍ସବ ପାଇଁ ଶୁଭସ୍ତମ୍ଭ ସ୍ଥାପିତ ହୋଇଯାଇଛି । ଗ୍ରାମର ଇଷ୍ଟଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିରଠାରୁ ଗ୍ରାମବାସୀମାନେ ଏକ ଶୋଭାଯାତ୍ରାରେ ବାହାରି ଧନୁଯାତ୍ରା ମଣ୍ଡପଠାରେ ପହଞ୍ଚି ସେଠାରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ଶୁଭସ୍ତମ୍ଭ ସ୍ଥାପନ କରିଥିଲେ । ଏହି ଶୁଭସ୍ତମ୍ଭ ସ୍ଥାପନ କାର୍ଯ୍ୟର କର୍ତ୍ତା ଭାବରେ ଶ୍ରୀମତୀ ତାରିଣୀ ନାଏକ ଓ ସୁବଳ ନାଏକ କାର୍ଯ୍ୟ ତୁଲାଇ ଥିବା ବେଳେ ପଣ୍ଡିତ ହିମାଂଶୁ ନନ୍ଦ ପୂଜାକାର୍ଯ୍ୟ ସମ୍ପାଦନା କରିଥିଲେ । ଏହି ଧନୁଯାତ୍ରା ମହୋତ୍ସବ ଚଳିତ ମାସ ୨୯ ତାରିଖ ଠାରୁ ଆରମ୍ଭ ହୋଇ ଜାନୁୟାରୀ ୦୩ ତାରିଖ ପର୍ଯ୍ୟନ୍ତ ମହାସମାରୋହରେ ଅନୁଷ୍ଠିତ ହେବ । ମହୋତ୍ସବର ବିଭିନ୍ନ ଦିବସରେ ସ୍ଥାନୀୟ ଜନ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ ମାନେ ଯୋଗଦେବାକୁ ସ୍ୱୀକୃତି ପ୍ରଦାନ କରିଛନ୍ତି । ପ୍ରତ୍ୟେହ ସନ୍ଧ୍ୟାରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଜିଲ୍ଲା ଓ ଜିଲ୍ଲା ବାହାରର ସାଂସ୍କୃତିକ ଦଳ ଗୁଡିକ ତାଙ୍କର କଳା ପ୍ରଦର୍ଶନ କରିବେ । ମହୋତ୍ସବର ମୁଖ୍ୟ ଆକର୍ଷଣ ମହାରାଜ କଂସ ଭୂମିକାରେ ଚଳିତ ବର୍ଷର ବରଗଡ ଜିଲ୍ଲା ଦେଓଗାଁର ଜଗଦା ନନ୍ଦ ମିଶ୍ର ଅଭିନୟ କରିବେ ବୋଲି ମହୋତ୍ସବ କମିଟୀ ସଭାପତି ରାଜ କିଶୋର ନାଏକ ପ୍ରକାଶ କରିଛନ୍ତି । ଏହି ଶୁଭସ୍ତମ୍ଭ ସ୍ଥାପନ କାର୍ଯ୍ୟକ୍ରମରେ ମହୋତ୍ସବ କମିଟୀର ଉପସଭାପତି ଭାଗିରଥି ସେଠ, ସାଧାରଣ ସଂପାଦକ ସୁମନ୍ତ ନାଏକ, ସହ ସଂପାଦକ ମାନସ ରାଉତ, କୋଷାଧ୍ୟକ୍ଷ ସୁବଳ ନାଏକଙ୍କ ସମେତ କମିଟୀର କର୍ମକର୍ତ୍ତା ଓ ଗ୍ରାମବାସୀମାନେ ଉପସ୍ଥିତ ଥିଲେ ।