କେନ୍ଦୁପାଲି ପ୍ରାଥମିକ ବିଦ୍ୟାଳୟରେ ଗଜବନ୍ଧ କ୍ଲଷ୍ଟର ସ୍ତରୀୟ ଶିକ୍ଷାସଭା

ଏସ.ରାମପୁର/ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ କେନ୍ଦୁପାଲି ପ୍ରାଥମିକ ବିଦ୍ୟାଳୟରେ ଗଜବନ୍ଧ କ୍ଲଷ୍ଟର ସ୍ତରୀୟ ଶିକ୍ଷାସଭା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ନରେନ୍ଦ୍ର ପୁରୋହିତଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ତୁଳସୀରାମ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗଜବନ୍ଧ ପଂଚାୟତ ସରପଞ୍ଚ ବାସନ୍ତୀ ଖେତୀ ମୁଖ୍ୟ ଅତିଥିଭାବେ ଉପସ୍ଥିତ ଥିଲେ । ସରକାରଙ୍କ “ଆସ ସ୍କୁଲ ଯିବା” କାର୍ଯ୍ୟକ୍ରମକୁ ସଫଳ କରିବା ଓ ତାହାର ବିଭିନ୍ନ ଦିଗ ସମ୍ବନ୍ଧରେ କ୍ଲଷ୍ଟରରୁ ଆସିଥିବା ସମସ୍ତ ପ୍ରଧାନଶିକ୍ଷକ ଓ ଏସ ଏମ ସି ଚେୟାରମ୍ୟାନ, ନିର୍ବାଚିତ ପ୍ରତିନିଧି, ଅଙ୍ଗନବାଡି କର୍ମୀ, ଆଶା ଦିଦି ଓ ଅଭିଭାବକମାନଙ୍କ ମଧ୍ୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ସମସ୍ତ ପ୍ରଧାନଶିକ୍ଷକ ନିଜ ବିଦ୍ୟାଳୟ ଅନ୍ତର୍ଗତ ଥିବା ବିଦ୍ୟାଳୟକୁ ଆସୁନଥିବା ଛାତ୍ରମାନଙ୍କର ତଥ୍ୟ ପ୍ରଦାନ ଓ ତା’ର ନିଦାନ ସମ୍ପର୍କିତ ପଦକ୍ଷେପ ବିଷୟରେ ଜଣାଇଥିଲେ । କୌଣସି କାରଣରୁ ବିଦ୍ୟାଳୟ ଶିକ୍ଷା ସମାପ୍ତ ନ କରି ଅଧାରୁ ପାଠ ଛାଡି ଦେଇଥିବା ଛାତ୍ରଛାତ୍ରୀଙ୍କୁ ଶିକ୍ଷର ମୁଖ୍ୟ ସ୍ରୋତକୁ ଫେରାଇ ଆଣିବା, ଅଠର ବର୍ଷ ପୁରିବା ପର୍ଯ୍ୟନ୍ତ ନିଶ୍ଚିତ ଭାବେ ବିଦ୍ୟାଳୟ ଗୁଡିକରେ ନାମ ଲେଖାଇ ପାଠ ପଢିବା, ଆର୍ଥିକ ଅଭାବ ଥିଲେ ଧନ୍ଦାମୂଳକ ଶିକ୍ଷାରେ ନାମ ଲେଖାଇବା, ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟରେ ପାଠ ପଢିବା ପାଇଁ ସହାୟତା କକ୍ଷ ଖୋଲାଯାଇଥିଲା । ଅଧାରୁ ପାଠ ଛାଡ଼ିଥିବା ଶିକ୍ଷାର୍ଥୀ ଓ ଅଭିଭାବକଙ୍କ ମତାମତ ଗ୍ରହଣ କରାଯାଇ ମୁଖ୍ୟ ସ୍ରୋତରେ ସାମିଲ ପାଇଁ ଉତ୍ସାହିତ କରାଯାଇଥିଲା । ଶିକ୍ଷଣ ଉପକରଣ କୋଣ ମାଧ୍ୟମରେ, ଖେଳ ମାଧ୍ୟମରେ ଶିକ୍ଷାର କୌଶଳ ପ୍ରଦର୍ଶନ କରାଯାଇଥିଲା । ଉଲ୍ଲାସ କାର୍ଯ୍ୟକ୍ରମ, ଆପାର ପରିଚୟ ପତ୍ର, ପଞ୍ଚମ ଓ ଅଷ୍ଟମ ବୋର୍ଡ ପରୀକ୍ଷା, ବିଭିନ୍ନ ବୃତ୍ତି ପରୀକ୍ଷା ଓ ସରକାରୀ ସହାୟତା ବିଷୟରେ ସଚେତନତା ସୃଷ୍ଟି କରାଯାଇଥିଲା । ଶେଷରେ ସ୍ଥାନୀୟ ବିଦ୍ୟାଳୟର ଶିକ୍ଷକ ଶମ୍ଭୁ ପ୍ରସାଦ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ମୋହନ ଚରଣ ନାଏକ, ନନ୍ଦକିଶୋର ବିଶି, ହାରାଧନ ବେରିଆ, ନିତାଇ ମଟାରୀ, ଗୋକୁଳାନନ୍ଦ ସାହୁ, କେନ୍ଦୁପାଲି ଗ୍ରାମବାସୀ, ପୁରାତନ ଛାତ୍ରଛାତ୍ରୀ, ବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଅଭିଭାବକ ସହଯୋଗ କରିଥିଲେ ।

Leave A Reply

Your email address will not be published.