ନଟରାଜ କଳା ପରିଷଦ ବଲାଙ୍ଗିରର ନାଟକ ମହୋତ୍ସବ

  • ଦ୍ୱିତୀୟ ସନ୍ଧ୍ୟାରେ ନାଟକ ଜମିଦାର ଓ ତ୍ରିଶଙ୍କୁ ମଞ୍ଚସ୍ଥ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନଟରାଜ କଳା ପରିଷଦ ବଲାଙ୍ଗିର ନାଟକ ମହୋତ୍ସବ -୨୦୨୫ର ଦ୍ୱିତୀୟ ସନ୍ଧ୍ୟାର କାର୍ଯ୍ୟକ୍ରମର ସାଂସ୍କୃତିକ ସଭାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ତରଣୀସେନ ସୁନା ଯୋଗ ଦେଇଥିବା ବେଳେ ବଲାଙ୍ଗିର ପୌର ପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ବେହେରା ଓ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ସମ୍ମାନିତ ଅତିଥି ରୂପେ ମଂଚାସୀନ ଥିଲେ । ବିଶିଷ୍ଟ ସମାଜସେବୀ ଡ. ଶ୍ରୀକର ମିଶ୍ର ସଭାରେ ସଭାପତିତ୍ୱ କରିଥିଲେ । ନଟରାଜ କଳା ପରିଷଦର ଅନ୍ୟତମ ନିର୍ଦ୍ଦେଶକ ରାମ ପ୍ରସାଦ ଦାଶ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ନଟରାଜ କଳା ପରିଷଦର ପୂର୍ବତନ ବରିଷ୍ଠ ସଦସ୍ୟ ସ୍ୱର୍ଗତ ଜ୍ୟୋତି ରଂଜନ ପାଣିଗ୍ରାହୀଙ୍କ ସ୍ମୃତିରେ ମିସ୍‌ ନୁରଙ୍କୁ ଯୁବ କଳାକାର ନଟରାଜ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା । ଧନ୍ୟବାଦ ଅର୍ପଣ କରିଥିଲେ ପ୍ରାଧ୍ୟାପକ ଶମ୍ଭୁ ପ୍ରସାଦ ଦାଶ । ପରେ ପରେ ଦୁଇଟି ଚିତ୍ତା କର୍ଷକ ନାଟକ ପ୍ରଦର୍ଶିତ ହୋଇଥିଲା । ମଣିଷ ପେଟର ଭୋକ ଯେ ମେଣ୍ଟାଉଛି ସେ ହିଁ ମହାନ ଆଶା ଓ ଆକାଂକ୍ଷା ମଣିଷର ସହଜାତ ପ୍ରକୃତିଗତ ଓ ଅନ୍ନଦାତା ଚାଷୀ ବି ସେଥିରୁ ମୁକ୍ତ ହୋଇନାହିଁ । ଜୀବନର ସଂଘର୍ଷ ସମାଜିକ ଅର୍ଥନୈତିକ ଚାପରେ ଚାଷିଟି ବାଛି ନିଏ ଏକ ଭୟଙ୍କର ବାଟ । ଏହା ଉପରେ ପ୍ରଦର୍ଶିତ ହୋଇଥିଲା ନାଟକ ‘ଜମିଦାର’ । ଆଲେଖ୍ୟ ନକୁଳ ବାଦୀ ଓ ନିର୍ଦ୍ଦେଶକ ପ୍ରହଲ୍ଲାଦ ଦର୍ଜି । ପ୍ରଥମ ନାଟକର କଳାକାର ସଂଜୀବ । ସମାଜରେ ଏମିତି କିଛି ମଣିଷ ଅଛନ୍ତି ଯେଉଁମାନେ ସାଧନା ପଥରେ ଆଦର୍ଶକୁ ହିଁ ପାଥେୟ କରିଥାନ୍ତି । ସମାଜ ସେମାନଙ୍କୁ ବାମଚକ୍ଷୁରେ ସରବ୍ୟ କରି ଅବମର୍ଯ୍ୟାଦା ଭିତରକୁ ଠେଲି ଦିଏ । ସେମାନେ କିନ୍ତୁ ସମସ୍ତ ବାଧା ବିଘ୍ନକୁ ଅତିକ୍ରମ କରି ତ୍ରିଶଙ୍କୁ ହୋଇଯାନ୍ତି । ମାତ୍ର ଲକ୍ଷ୍ୟ ପଥରେ ବିଚ୍ୟୁତ ହୁଅନ୍ତି ନାହିଁ । ଏହା ଉପରେ ପର୍ଯ୍ୟାବେଷିତ ତଥ୍ୟକୁ ଆଧାର କରି ପ୍ରଦର୍ଶିତ ହୋଇଥିବା ଦ୍ୱିତୀୟ ନାଟକ ‘ତ୍ରିଶଙ୍କୁ’ । ଉଗ୍ରସେନ ଷଡଙ୍ଗୀଙ୍କ ରୂପାନ୍ତରଣ ଓ ସତ୍ୟବ୍ରତ ଆଚାର୍ଯ୍ୟଙ୍କ ନିର୍ଦ୍ଦେଶନାରେ ପ୍ରଦର୍ଶିତ ଏହି ନାଟକରେ ଅଭିନୟ କରିଥିଲେ କୁମୁଦ, ପ୍ରଶାନ୍ତ, ଦେବବ୍ରତ, ଶୈଲିନ, ମାନସ ଓ ଆନନ୍ଦ । ଏହି ଦୁଇ ନାଟକରେ ସଂଗୀତ ଦେଇଥିଲେ ଦିଲୀପ କୁମାର ସିଂଦେଓ ଓ ଜୟ ପ୍ରକାଶ ପୁଝାରୀ । ବଲାଙ୍ଗିର ସହରର ଅନେକ ନାଟ୍ୟପ୍ରେମୀ, କଳାକାର, ବୁଦ୍ଧିଜୀବୀ ଓ ଜନସାଧାରଣ ନାଟକକୁ ଉପଭୋଗ କରିଥିଲେ ।

Leave A Reply

Your email address will not be published.