ରାଉରକେଲା, (ସସ୍ମିତା ପ୍ରଧାନ) : ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ବାହିନୀର ୬୩ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ପୋଲିସ ରିଜର୍ଭ ପଡ଼ିଆରେ ପାଳିତ ହୋଇଯାଇଛି । ଶନିବାର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆରକ୍ଷୀ ଉପନିରୀକ୍ଷକ (ଡିଆଇଜି) ପଶ୍ଚିମାଞ୍ଚଳ ବ୍ରିଜେଶ ରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଅବସରରେ ଅନୁଷ୍ଠିତ ପରେଡର ଅଭିବାଦନ ଗ୍ରହଣ କରିଥିଲେ । ଏହି ଅବସରରେ ସେ କହିଥିଲେ ଯେ, ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ଆଇନ ଶୃଙ୍ଖଳା ବଜାୟ ରଖିବା ଓ ଦଙ୍ଗା ମୁକାବିଲା ପାଇଁ ୧୯୪୬ ମସିହାରେ ଆମ ଦେଶର ମୁମ୍ବାଇରେ ପ୍ରଥମ ଥର ପାଇଁ ଗୃହରକ୍ଷୀ ବାହିନୀର ଗଠନ କରାଯାଇଥିଲା । ଗୃହରକ୍ଷୀ ବାହିନୀର ଗଠନ ହେବା ଦିନ ଠାରୁ ସମ୍ପୂର୍ଣ୍ଣ ଉତ୍ସଗ୍ରୀକୃତ ମନୋଭାବ ସହ ପୋଲିସର କାନ୍ଧରେ କାନ୍ଧ ମିଶାଇ ଆଭ୍ୟନ୍ତରୀଣ ଶାନ୍ତି ଶୃଙ୍ଗଳା ରକ୍ଷା ଦିଗରେ କାର୍ଯ୍ୟ କରିଆସୁଛି । ସେହିପରି ବେସାମରିକ ପ୍ରତିରକ୍ଷା ବାହିନୀ ୧୯୬୮ରେ ଏକ ଆକ୍ଟ ମାଧ୍ୟମରେ ଗଠନ କରାଯାଇଥିଲା ଏହାର ମୂଳ ଉଦ୍ଧେଶ୍ୟ ଜୀବନ ରକ୍ଷା କରିବା, ସମ୍ପତ୍ତିର କ୍ଷୟକ୍ଷତିକୁ କମ୍ କରିବା, ଜନସାଧାରଣ ମନୋବଳ ଏବଂ ଅତ୍ୟାବଶ୍ୟକ ସେବାକୁ ବଜାୟ ରଖିବା ସହ ଅଭ୍ୟନ୍ତରୀଣ ଅଞ୍ଚଳକୁ ସୁରକ୍ଷା ପ୍ରଦାନ କରିବା, ଆଇନ ଶୃଙ୍ଖଳା ବଜାୟ ରଖିବାରେ ତଥା ପ୍ରାକୃତିକ ଦୁର୍ବିପାକ ସମୟରେ ଗୃହରକ୍ଷୀ ଏବଂ ବେସାମରିକ ବାହିନୀର ଭୂମିକା ପୋଲିସଠାରୁ କୌଣସି ପକ୍ଷେ କମ୍ ନୁହେଁ ବୋଲି କହିଛନ୍ତି । ଏହାସହିତ ଡିଆଇଜି ଶ୍ରୀ ରାୟ ଗୃହରକ୍ଷୀ ପ୍ରତିଷ୍ଠା ଦିବସରେ ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଦ୍ୱାରା ପ୍ରେରିତ ବାର୍ତ୍ତା ମଧ୍ୟ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ନିୟନ୍ତ୍ରକ ବେସାମରିକ ବାହିନୀ ସୁଶ୍ରୀ ଦୀନା ଦସ୍ତଗୀର, ରାଉରକେଲା ଏସ୍ପି ତଥା ଗୃହରକ୍ଷୀ କମାଣ୍ଡାଣ୍ଟ ନିତେଶ ୱାଧୱାନି, ଅତିରିକ୍ତ ଏସ୍ପି ରାଜକିଶୋର ମିଶ୍ରଙ୍କ ସମେତ ସମସ୍ତ ଥାନା ଅଧିକାରୀ, ଗୃହରକ୍ଷୀ ବାହିନୀର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଚଳିତ ବର୍ଷ ଜିଲ୍ଲାରେ ଅତି ଉତ୍କର୍ଷ ଓ ଉତ୍ତମ ସେବା ପୁରସ୍କାର ପାଇଁ ଶ୍ରେଷ୍ଠ ବିବେଚିତ ବେସାମରିକ ପ୍ରତିରକ୍ଷା ବାହିନୀର ଭୋଲେଣ୍ଟିୟର ଓ ଗୃହରକ୍ଷୀଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ପୁରସ୍କୃତ କରାଯାଇଥିଲା । ରାଷ୍ଟ୍ରପତି ପଦକ ପୁରସ୍କାର ପ୍ରାପ୍ତ ଝାଗୁ ବରୁଆ DG DISC ପୁରସ୍କାର ପ୍ରାପ୍ତ ଶୁକଦେବ କୁମ୍ଭାର, ଏବଂ ଶରତ ଖଡ଼ିଆ ପୁରସ୍କୃତ କରିଥିଲେ । ସେହିପରି ବେସାମରିକ ପ୍ରତିରକ୍ଷା ବାହିନୀର ଶରତ ଚନ୍ଦ୍ର ଖାଡ଼ିଆ ଓ କୁମାରୀ ରଞ୍ଜିତା ନାୟକଙ୍କୁ ମଧ୍ୟ ମାନପତ୍ର ଦେଇ ପୁରସ୍କୃତ କରିଥିଲେ । ଏହା ସହିତ ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ୟ୍ୟାଳୟ ଦ୍ୱାରା ଆୟୋଜିତ ଓଡ଼ିଆ ଓ ଇଂରାଜୀ ରଚନା ଲିଖନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଶେଷରେ ରାଉରକେଲା ଷ୍ଟିଲ୍ ପ୍ଳାଣ୍ଟର ଅଗ୍ନିଶମ ବାହିନୀ ଘର ପୋଡ଼ି, ତରଳ ଇନ୍ଧନ ଓ ଗ୍ୟାସ୍ ଜନିତ ଅଗ୍ନିକାଣ୍ଡର ଅତ୍ୟାଧୁନିକ ଯନ୍ତ୍ରପାତି ସହାୟତାରେ କିଭଳି ମୁକାବିଲା କରାଯାଏ ତାହାର ଡେମୋ ପ୍ରଦର୍ଶନ କରିଥିଲେ। ଏବଂ ବେସାମରିକ ପ୍ରତିରକ୍ଷା ବାହିନୀ ଦ୍ଵାରା ବିମାନ ଆକ୍ରମଣ, ଗ୍ୟାସ ଲିକ ହେଲେ କିପରି ଉଦ୍ଧାର କାର୍ଯ୍ୟ କରାଯାଇ ଲୋକଙ୍କୁ ସୁରକ୍ଷିତ ପହଞ୍ଚାଇବା ଏହାର ପ୍ରଦର୍ଶନ କରିଥିଲେ । ଅତିରିକ୍ତ ଏସପି ରାଉରକେଲା ରାଜ କିଶୋର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।