- ଓଡ଼ିଆ ଖେଳାଳୀ ତନଭି ପତ୍ରିଙ୍କୁ ଦ୍ୱିମୁକୁଟ
- ଓଡ଼ିଆ ଖେଳାଳୀ ସ୍ଵାତି-ନିମିଶା ହେଲେ ରନର୍ସ ଅପ
- ବାଳକ ୧୫ ବର୍ଷରୁ କମ ପୁଷ୍କର ସାଇ ଚାମ୍ପିୟନ
- ୧୭ ବର୍ଷରୁ କମ ବାଳକରେ ଜଗସେର ସିଂ ଚମ୍ପିୟାନ
ଭୁବନେଶ୍ୱର, (କେପିଏନ୍ଏସ୍) : ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମ ପରିସର ସ୍ଥିତ ଡାଲମିଆ ଭାରତ ଗୋପିଚାନ୍ଦ ବେଡ଼ମିଣ୍ଟନ ଉତ୍କର୍ଷ କେନ୍ଦ୍ର (ସଟଲ)ରେ ଆୟୋଜିତ ୩୭ତମ ଜାତୀୟ ସବ ଜୁନିଅର ବ୍ୟାଡ଼ମିଣ୍ଟନ ଚମ୍ପିୟାନସିପ ଉଦଯାପିତ ହୋଇଯାଇଛି । ଚୂଡାନ୍ତ ଦିବସରେ ଖେଳାଯାଇଥିବା ୧୫ ଓ ୧୭ ବର୍ଷରୁ କମ ଉଭୟ ବିଭାଗରେ ଓଡ଼ିଆ ଖେଳାଳୀ ତନଭି ପତ୍ରି ବିଜୟୀ ହୋଇ ଦ୍ୱିମୁକୁଟ ଲାଭ କରିଛନ୍ତି । ୧୫ ବର୍ଷରୁ କମ ବୟସ ବର୍ଗର ଫାଇନାଲରେ ତନଭି ତେଲେଙ୍ଗାନାର ଅବନୀ ବିକ୍ରମ ଗୋବିନ୍ଦଙ୍କୁ ୨୧-୯ ଓ ୨୧-୧୩ ପଏଣ୍ଟର ଦୁଇଟି ଗେମରେ ପରାଜିତ କରି ଚାମ୍ପିୟନ ହୋଇ ଥିବାବେଳେ ୧୭ ବର୍ଷରୁ କମ ବାଳିକା ସିଙ୍ଗଲ ଫାଇନାଲରେ ତନଭି ଉଚ୍ଚକୋଟିର ଖେଳ ପ୍ରଦର୍ଶନ କରି ତାମିଲନାଡୁର ଖେଳାଳୀ ଦୀକ୍ଷା ଏସ. ଆରଙ୍କୁ ୨୦-୨୧,୨୧-୧୭ ଓ ୨୨-୨୦ ପଏଣ୍ଟରେ ହରାଇ ଚାମ୍ପିୟନ ହୋଇଛନ୍ତି । ବାଳକ ୧୫ ବର୍ଷରୁ କମ ବିଭାଗର ଫାଇନାଲ ଲଢେଇରେ କର୍ଣ୍ଣାଟକର ପୁଷ୍କର ଦିଲ୍ଲୀର ହର୍ଷିତ ଖତ୍ରୀଙ୍କୁ ୨୧-୧୭, ୨୧-୧୨ ପଏଣ୍ଟର ଦୁଇଟି ଗେମରେ ହରାଇ ଚାମ୍ପିୟନ ହୋଇଛନ୍ତି । ୧୫ ବର୍ଷରୁ କମ ବାଳିକା ଡବଲସ ଫାଇନାଲରେ ଓଡ଼ିଆ ଯୋଡି ସ୍ଵାତି ନାୟକ ଓ ନିମିଶା ଓଝା ମହାରାଷ୍ଟ୍ର ଯୋଡି ସରାୟୁ ରଂଜନେ ଓ ସୋୟାରା ସେଲାରଙ୍କ ଠାରୁ ୧୫-୨୧, ୧୪-୨୧ ପଏଣ୍ଟରେ ହାରି ରନର୍ସ ଅପରେ ସନ୍ତୁଷ୍ଟ ହୋଇଛନ୍ତି । ୧୭ ବର୍ଷ କମ ବାଳକ ବିଭାଗରେ ଟପ ସିଡ ଜଗସେର ସିଂ ଖାଙ୍ଗୁରା ନିଜ ରାଜ୍ୟର ବିରାଜ ଶର୍ମାଙ୍କୁ ୨୧-୧୨, ୨୧-୧୩ର ଦୁଇଟି ଗେମରେ ହରାଇ ଚାମ୍ପିୟନ ହୋଇଛନ୍ତି । ୧୫ ବର୍ଷ କମ ଡବଲ ବାଳକ ଫାଇନାଲରେ ପଶ୍ଚିମବଙ୍ଗ ଉତ୍ତରରାଖଣ୍ଡ ଯୋଡି ସ୍ୱୟଂମଦ୍ୟୁତି ଘୋଷ ଓ ସୌର୍ଯ୍ୟ ସିଂ ରଣା ହରିୟାଣା ଦିଲ୍ଲୀ ଯୋଡି ଜୟବର୍ଦ୍ଧନ ହୁଡା ଓ ହର୍ଷିତ ଖତ୍ରୀଙ୍କୁ ୨୧-୧୮, ୧୯-୨୧ ଓ ୨୧-୧୪ର ତିନୋଟି ଗେମରେ ହରାଇ ଚମ୍ପିୟାନ ହୋଇଛନ୍ତି । ୧୫ ବର୍ଷରୁ କମ ମିକ୍ସଡ଼ ଡବଲସ ଫାଇନାଲରେ ତାମିଲନାଡୁ ଆନ୍ଧ୍ର ଯୋଡି ନିଥିନ ପ୍ରକାଶ ଓ ବିଜୟ ତେଜସ୍ୱିନୀ ପଶ୍ଚିମବଙ୍ଗ ତାମିଲନାଡୁ ଯୋଡିସ୍ୱୟଂମଦ୍ୟୁତି ଘୋଷ ଓ ନେହା ଏସଙ୍କୁ ୨୧-୧୧, ୧୯-୨୧ଓ ୨୧-୧୩ ପଏଣ୍ଟରେ ହରାଇ ଚମ୍ପିୟାନ ହୋଇଛନ୍ତି । ୧୭ ବର୍ଷରୁ କମ ମିକ୍ସଡ଼ ଡବଲ ଫାଇନାଲରେ କର୍ଣ୍ଣାଟକ ଯୋଡି ପୁନିଥ ଏସ ଓ ଦୀପକ ରାଜ ଅଦିତି ରାଜସ୍ଥାନ ତାମିଲନାଡୁ ଯୋଡି ଅର୍ଣ୍ଣବ ଶର୍ମା ଓ ଅଞ୍ଜନା ମାଣିକନ୍ଦନଙ୍କୁ ୨୧-୧୬, ୨୧-୧୪ରେ ହରାଇ ଚାମ୍ପିୟନ ହୋଇଛନ୍ତି । ବାଳକ ଡବଲସ ୧୭ ବର୍ଷରୁ କମ ଫାଇନାଲରେ କର୍ଣ୍ଣାଟକ ଯୋଡି ପବନ ଏସ ଓ ପୁନିଥ ଏସ ଚମ୍ପିୟାନ ହୋଇଥିବା ବେଳେ ବାଳିକାରେ ଦୀପକ ରାଜ ଅଦିତି ଓ ପୋନ୍ନାମ୍ମା ବି. ଭି. ଦ୍ଭି. ଚାମ୍ପିୟନ ହୋଇଛନ୍ତି । ଜାତୀୟ ଚମ୍ପିୟାନସିପ୍ର ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ଉନ୍ନୟନ ସଚିବ ଅନୁ ଗର୍ଗ, କ୍ରୀଡା ଓ ଯୁବ ସେବା ସଚିବ ସଚିନ ଯାଦବ, ଓସବା ସଭାପତି ରାଜେଶ ପ୍ରଭାକର ପାଟିଲ, ଶିଳ୍ପ ବିଭାଗ ନିର୍ଦେଶକ ଆବୋଲି ସୁନୀଲ ନର୍ବୋଣେ, ବାଇ ଉପସଭାପତି ତଥା ଟୁର୍ଣ୍ଣାମେଣ୍ଟ କମିଟି ଅଧ୍ୟକ୍ଷ ଶେଖର ବିଶ୍ୱାସ, ଟୁର୍ଣ୍ଣାମେଣ୍ଟ ପର୍ଯ୍ୟବେକ୍ଷକ କେ. କେ.ଶର୍ମା, ଓସବା ସମ୍ପାଦକ ତଥା ଆୟୋଜନ କମିଟି ସମ୍ପାଦକ ନିଲିନ କୁମାର ପ୍ରମୁଖ ଉପସ୍ଥିତ ଥିଲେ । ଓସବା ତରଫରୁ ଚମ୍ପିୟାନ ଖେଳାଳୀ ତନଭି ପତ୍ରିଙ୍କୁ ପାଞ୍ଚ ଲକ୍ଷ ଓ ଡବଲସ ରନର୍ସ ଅପ ହୋଇଥିବା ନିମିଶା ଓଝା ଓ ସ୍ଵାତି ନାୟକଙ୍କୁ ଅଢେଇ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବା ବୋଲି ଓସବା ସଭାପତି ତଥା ସମବାୟ ସଚିବ ରାଜେଶ ପ୍ରଭାକର ପାଟିଲ ଘୋଷଣା କରିଥିଲେ । ଏହି ଜାତୀୟ ଚାମ୍ପିୟନସିପ୍ର ପୁରସ୍କାର ରାଶି ୪୦ ଲକ୍ଷ ଟଙ୍କା ଯାହାକି ଚମ୍ପିୟାନ ଓ ରନର୍ସ ଅପ ଖେଳାଳୀ ମାନଙ୍କୁ ବଣ୍ଟନ କରାଯାଇଥିଲା ।