ଏକତ୍ର ଆୟୋଜିତ ତୃତୀୟ ଇସ୍ପାତ ନାଟ୍ୟ ମହୋତ୍ସବର ଚତୁର୍ଥ ଦିବସ

  • ନାଟ୍ୟାନୁଷ୍ଠାନ ଉପହାରର ଶେଷ ଚିଠି ମଞ୍ଚସ୍ଥ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସରକାରଙ୍କ ପୃଷ୍ଠପୋଷାକତା ଏବଂ ଆରଏସପି ଆନୁକୂଲ୍ୟରେ ଏକତ୍ର ରାଉରକେଲା ଦ୍ୱାରା ଆୟୋଜିତ ତୃତୀୟ ଇସ୍ପାତ ନାଟ୍ୟ ମହୋତ୍ସବ ଚତୁର୍ଥ ସନ୍ଧ୍ୟାରେ ସ୍ଥାନୀୟ ସିଭିକ ସେଣ୍ଟର ଠାରେ ନାଟ୍ୟାନୁଷ୍ଠାନ ତରଫରୁ ଶେଷ ଚିଠି ନାଟକ ମଞ୍ଚସ୍ଥ ହୋଇଯାଇଛି । ନାଟକଟି ଏହିପରି, ପ୍ରଥମ ସ୍ତ୍ରୀ ମରିଗଲା ପରେ ଦ୍ୱିତୀୟ ବିବାହ କରନ୍ତି ଅଭିନାଶ ବାବୁ। ପ୍ରଥମ ସ୍ତ୍ରୀର ଜନ୍ମିତ ଶିଶୁକୁ ଲାଳନ ପାଳନ କରି ବଡ଼ ମଣିଷ କରିବା ପାଇଁ ଶାନ୍ତି ଦେବୀ ନିଜ ମାତୃତ୍ଵକୁ ବନ୍ଧା ପକେଇ ଦିଅନ୍ତି । ସାବତ ପୁଅ ନ ଭାବି ପୁଅକୁ ମଣିଷ ପରି ମଣିଷ ଟିଏ ଗଢି ତୋଳିବା ପାଇଁ ସ୍ୱପ୍ନ ଦେଖନ୍ତି । ପୁଅ ସ୍ଵାଧୀନକୁ ପାଠ ପଢେଇବା ପାଇଁ ସାହୁକାରଙ୍କ ପାଖରେ ଘର ଡିହକୁ ବନ୍ଧା ପକେଇ ଟଙ୍କା କରଜ କରନ୍ତି ଏବଂ ପୁଅ ଚାକିରି କଲେ ସୁଝି ଦେବି ବୋଲି କୁହନ୍ତି । କିନ୍ତୁ ତାଙ୍କ ଆଶା, ଆଶାରେ ରହିଯାଏ । ପୁଅ ପାଠପଢ଼ି ହାକିମ ହୁଏ । ଧୀରେ ଧୀରେ ନିଜର ଗାଆଁ ଭିଟାମାଟିକୁ ଭୁଲି ଯାଇ ସହରରେ ରହିଯାଏ । ଅଭିନାଶ ବାବୁ ଆଉ ଶାନ୍ତି ଦେବୀ ପୁଅର ବାଟକୁ ଅନେଇ ଥାଆନ୍ତି । ପୁଅ ଟଙ୍କା ଦେଲେ ସାହୁକାର ଠାରୁ ଆଣିଥିବା କରଜ ଟଙ୍କା ସୁଝି ଘର ଡିହକୁ ମୁକୁଳେଇବା ପାଇଁ । ଚିଠି ପରେ ଚିଠି ଦେଇ ଚାଲନ୍ତି । କିନ୍ତୁ ଚିଠିର ଉତ୍ତର କିଛି ମିଳେନି । ସାହୁକାର ବାରମ୍ବାର ଆସି ସେମାନଙ୍କୁ କଟୁ କଥା କହି ଚାଲିଯାଏ । ଶାନ୍ତି ଦେବୀ ପୁଅର ବାଟକୁ ଚାତକ ପକ୍ଷୀ ପରି ଅନେଇ ଥାଆନ୍ତି । କେବେ ସ୍ୱାଧୀନର ଚିଠି ଆସିବ । ଶେଷରେ ଅଭିନାଶ ବାବୁ ଲେଖନ୍ତି ତାଙ୍କର “ଶେଷ ଚିଠି” । ସେ ଚିଠିର ବିଷୟବସ୍ତୁକୁ ନେଇ ଗତିଶୀଳ ହୋଇଛି ନାଟକ ଶେଷ ଚିଠି । ଏହି ନାଟକରେ ନାଟ୍ୟକାର ସୂର୍ଯ୍ୟକାନ୍ତ ସାହୁ, ନିର୍ଦ୍ଦେଶକ ଅଭିରାମ ପ୍ରଧାନ, ସଙ୍ଗୀତରେ ଦେବେନ୍ଦ୍ର ନାଥ ରଣା, ଆଲୋକ ବିଷ୍ଣୁ ସ୍ୱାଇଁ ଦାୟିତ୍ଵ ନିର୍ବାହ କରିଥିବା ବେଳେ ଅଭିନୟରେ ଅଭିରାମ ପ୍ରଧାନ, ପ୍ରଫୁଲ୍ଲ ଜେନା, ଯୁବଜାନି ବେଜ, ସୌମ୍ୟ ପରିଡା, ଦିବ୍ୟାଂଶୁ ସାହୁ, ଆୟୁଷ ବାରିକ, ରାଜଲକ୍ଷ୍ମୀ ପ୍ରଧାନ, ନିଲେଶ୍ଵରୀ ନାୟକ, ଅର୍ଚ୍ଚନା ମହାପାତ୍ର, ଲକ୍ଷ୍ମୀପ୍ରିୟା ସାହୁ, ପୁଷ୍ପଲତା ବାରିକ, ଫୁଲ ମୁର୍ମୁ, ସସ୍ମିତା ପରିଡା, ଖୁସିପ୍ରୀୟ ସେଠି, ପୂର୍ଣ୍ଣମାସୀ ସାହୁ ଏବଂ ନନ୍ଦିନୀ ପ୍ରମୁଖ ଅଭିନୟ କରିଥିଲେ । ଏଥିରେ ଆର୍‌ଏସ୍‌ପିର ପ୍ରାକ୍ତନ ମହାପ୍ରବନ୍ଧକ ଇଂ ଅଭୟ କୁମାର ଦାସ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ସେ ତାଙ୍କ ବକ୍ତବ୍ୟରେ କହିଲେ ଯେ, ନାଟକ ସମାଜକୁ ଦିଗଦର୍ଶନ ଦେଇଥାଏ । ନାଟକର ଆଭିମୁଖ୍ୟ ସମୃଦ୍ଧ ସମାଜ ଗଠନରେ ସହାୟକ ହୁଏ । ପ୍ରାକ୍ତନ ପ୍ରଶାସକ ମହେନ୍ଦ୍ର କୁମାର ପଟ୍ଟନାୟକ ଉଦଘାଟକ ଭାବେ ଯୋଗଦେଇ କହିଲେ ଯେ, ପ୍ରତ୍ୟେକଟି ନାଟକ ସମାଜକୁ କିଛି ନା କିଛି ବାର୍ତ୍ତା ଦେଇଥାଏ । ଏହି କଳାକୁ ବଞ୍ଚାଇ ରଖିବାକୁ ସେ ଆହ୍ୱାନ କରିଥିଲେ । ମୁଖ୍ୟଦର୍ଶକ ଭାବେ ୱାଟରକ୍ରାଫ୍ଟର ମୁଖ୍ୟ ନିହାରିକା ବସ୍ତିଆ ଯୋଗଦେଇଥିଲେ । ପ୍ରାରମ୍ଭରେ ଏକତ୍ରର ଉପସଭାପତି ଆଲୋକ ବୋଷ ସଭାପତିତ୍ୱ ସହ ସ୍ୱାଗତ ଭାଷଣ ଦେଇଥିବା ବେଳେ କାଶୀନାଥ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ଝିଲିମା ମହାନ୍ତି ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଏକତ୍ର ପକ୍ଷରୁ ପ୍ରସନ୍ନ କୁମାର ମହାନ୍ତି, ପ୍ରଜ୍ଞାନନ୍ଦ ମହାନ୍ତି, କଲ୍ୟାଣୀ ଦାଶ, ସନ୍ଧ୍ୟା ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.