- ବାଳିକା ସିଙ୍ଗଲ ୧୫ଓ ୧୭ ବର୍ଷରୁ କମ ଉଭୟ ବର୍ଗର ଫାଇନାଲରେ ଓଡ଼ିଆ ଖେଳାଳୀ ତନଭି ପତ୍ରି
- ବାଳିକା ଫାଇନାଲରେ ସ୍ଵାତି-ନିମିଶା ଯୋଡି
- ବାଳକ ୧୫ ବର୍ଷରୁ କମ ଫାଇନାଲରେ ପୁଷ୍କର ସାଇ ଓ ହର୍ଷିତ ଖତ୍ରୀ ମଧ୍ୟରେ ମୁକାବିଲା
- ୧୭ ବର୍ଷରୁ କମ ବାଳକ ଫାଇନାଲରେ ଜଗସେର ସିଂ ଓ ବିରାଜ ଶର୍ମା
ଭୁବନେଶ୍ୱର, (କେପିଏନ୍ଏସ୍) : ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମ ପରିସର ସ୍ଥିତ ଡାଲମିଆ ଭାରତ ଗୋପିଚାନ୍ଦ ବ୍ୟାଡ଼ମିଣ୍ଟନ ଉତ୍କର୍ଷ କେନ୍ଦ୍ର (ସଟଲ)ରେ ଆୟୋଜିତ ୩୭ତମ ଜାତୀୟ ସବ ଜୁନିଅର ବେଡ଼ମିଣ୍ଟନ ଚମ୍ପିୟାନସିପର ପଞ୍ଚମ ଦିନରେ ଉଭୟ ବୟସ ବର୍ଗରେ ସମସ୍ତ ବିଭାଗର ଫାଇନାଲ ଲାଇନ ଚୂଡାନ୍ତ ହୋଇଯାଇଛି । ପଞ୍ଚମ ଦିନର ଖେଳରେ ଓଡ଼ିଆ ଖେଳାଳୀ ତନଭି ପତ୍ରି ୧୫ବର୍ଷରୁ କମ ବୟସ ବର୍ଗର ସେମି ଫାଇନାଲରେ ତେଲେଙ୍ଗାନାର ହାମସିନୀ ଚଦରମଙ୍କୁ ୨୧-୧୨ ଓ ୨୧-୧୯ ପଏଣ୍ଟର ଦୁଇଟି ଗେମରେ ପରାଜିତ କରି ଫାଇନାଲରେ ପହଞ୍ଚିଛନ୍ତି । ଏହି ବୟସ ବର୍ଗର ଅନ୍ୟ ସେମିରେ ତେଲେଙ୍ଗାନାର ଅବନି ବିକ୍ରମ ଗୋବିନ୍ଦ, ପଞ୍ଜାବର ଇନାୟତ ଗୁଲାଟିଙ୍କୁ ୨୧-୧୪,୨୧-୧୩ର ଦୁଇଟି ଗେମରେ ହରାଇ ଫାଇନାଲରେ ତନଭି ପତ୍ରିଙ୍କୁ ଭେଟିବେ । ୧୭ ବର୍ଷରୁ କମ ବାଳିକା ସିଙ୍ଗଲ ସେମିରେ ମଧ୍ୟ ତନଭି ଉଚ୍ଚକୋଟିର ଖେଳ ପ୍ରଦର୍ଶନ କରି ଆନ୍ଧ୍ର ପ୍ରଦେଶର ହସାନା ଶ୍ରୀଙ୍କୁ ୨୧-୧୧, ୨୧-୪ର ସିଧାସଳଖ ଦୁଇ ଗେମରେ ହରାଇ ଏହି ବର୍ଗର ଅନ୍ୟ ସେମିଫାଇନାଲ ଜିତିଥିବା ତାମିଲନାଡୁ ଖେଳାଳୀ ଦୀକ୍ଷା ଏସ. ଆରଙ୍କୁ ଫାଇନାଲ ମୁକାବିଲାରେ ଭେଟିବେ । ବାଳକ ୧୫ ବର୍ଷରୁ କମ ବିଭାଗର ସେମି ଫାଇନାଲ ଲଢେଇରେ କର୍ଣ୍ଣାଟକର ପୁଷ୍କର ସାଇ ତେଲେଙ୍ଗାନାର ଶ୍ରୀଚେତନ ସୌର୍ଯ୍ୟ ସାମଲାଙ୍କୁ ୨୧-୮ ୨୧-୧୩ ପଏଣ୍ଟରେ ହରାଇ ଫାଇନାଲ ପହଞ୍ଚିଛନ୍ତି । ଏହି ବିଭାଗ ଦ୍ଵିତୀୟ ସେମିରେ ଦିଲ୍ଲୀର ହର୍ଷିତ ଖତ୍ରୀ, ରାଜସ୍ଥାନର ଅଂଶୁମାନ ଚୌଧୁରୀଙ୍କୁ ୨୧-୧୦,୨୧-୧୪ ପଏଣ୍ଟ ହରାଇ ଫାଇନାଲରେ ପହଂଚି ଯାଇଛନ୍ତି । ୧୫ବର୍ଷରୁ କମ ବାଳିକା ଡବଲସ ସେମିରେ ଓଡ଼ିଆ ଯୋଡି ସ୍ଵାତି ନାୟକ ଓ ନିମିଶା ଓଝା ତାମିଲନାଡୁ ଯୋଡି ନୟୋନିକା. ଏ. ଏବଂ ଧନ୍ୟା. ଏସ.ଜେଙ୍କୁ ୨୧-୧୬,୯-୨୧,୨୧-୧୨ ପଏଣ୍ଟରେ ପରାସ୍ତ କରି ଫାଇନାଲରେ ପହଂଚିଛନ୍ତି । ଏହି ବିଭାଗର ଅନ୍ୟ ସେମିରେ ମହାରାଷ୍ଟ୍ର ଯୋଡି ସରାୟୁ ରଂଜନେ ଏବଂ ସୋୟାରା ସେଲାର ତାମିଲନାଡୁ ଯୋଡି ଭଭନ୍ଥିଗା ରାମକୁମାର ଏବଂ ୟାଲିନି ଏସ. କେଙ୍କୁ ୨୧-୧୪,୨୧-୧୨ ପଏଣ୍ଟରେ ହରାଇ ଫାଇନାଲରେ ଓଡ଼ିଆ ଯୋଡି ସ୍ଵାତି-ନିମିଶାଙ୍କ ସହ ମୁକାବିଲା କରିବେ । ୧୭ ବର୍ଷ କମ ବାଳକ ବିଭାଗରେ ଟପ ସିଡ ଜଗସେର ସିଂ ଖାଙ୍ଗୁରା ଆସାମର ବର୍ଣ୍ଣିଲ ଆକାଶଙ୍କୁ ୨୧-୧୯,୨୧-୧୨ ହରାଇ ଫାଇନାଲରେ ପହଞ୍ଚିଛନ୍ତି । ଏହି ବିଭାଗର ଅନ୍ୟ ସେମିଫାଇନାଲ ଲଢେଇ ପଞ୍ଜାବର ବିରାଜ ଶର୍ମା ଓ ମହାରାଷ୍ଟ୍ରର ଦେବ ରୂପରେଲିଆଙ୍କ ମଧ୍ୟରେ ହୋଇଥିଲା । ଏହି ସଂଘର୍ଷପୂର୍ଣ୍ଣ ଲଢେଇରେ ବିରାଜ ଶର୍ମା ୧୩-୨୧,୨୧-୧୯ ଓ ୨୧-୧୯ ପଏଣ୍ଟରେ ବିଜୟୀ ହୋଇ ଫାଇନାଲରେ ପଞ୍ଜାବର ଜଗସେର ସିଂଙ୍କୁ ଭେଟିବେ । ୬ ତାରିଖ ପୂର୍ବାହ୍ନ ସମୟ ୧୧ ଘଣ୍ଟାରେ ଏହି ଜାତୀୟ ଚମ୍ପିୟାନସିପର ସମସ୍ତ ଫାଇନାଲ ଖେଳ ଅନୁଷ୍ଠିତ ହେବ ବୋଲି ଓସବା ତଥା ଆୟୋଜନ କମିଟି ସମ୍ପାଦକ ନିଲିନ କୁମାର ଜଣାଇଛନ୍ତି ।