ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରଜାପିତା ବ୍ରହ୍ମାକୁମାରୀ, ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ, ଶାନ୍ତିକୁଣ୍ଡ ତରଫରୁ ଆୟୋଜିତ ଗୋପାଳପୁର ନିକଟସ୍ଥ ରାମଚନ୍ଦ୍ରପୁରରେ ଅବସ୍ଥାପିତ ପ୍ରଭୁ ଉପହାର ରିଟ୍ରିଟ୍ ସେଣ୍ଟରଠାରେ ୨୫ ବର୍ଷର ଅଭିଜ୍ଞତା ସମ୍ପନ୍ନ ମାଇଣ୍ଡ ଟ୍ରେନର (ପ୍ରଶିକ୍ଷକ) ତଥା ଯୁବ ପ୍ରେରଣା ପାଇଁ ବିଶ୍ୱ ଖ୍ୟାତିନାମା ପୁରୁଷ ମୁଖ୍ୟାଳୟ ମାଉଣ୍ଟ ଆବୁସ୍ଥ ରାଜଯୋଗୀ ବ୍ରହ୍ମାକୁମାର ଭ୍ରାତା ଶକ୍ତିରାଜ ତ୍ରିଦିବସୀୟ ରାଜଯୋଗ ଧ୍ୟାନ ଶିବିରର ଉଦଯାପନ ଦିବସରେ ଉଦବୋଧନ ଦେଇ କହିଥିଲେ ଯେ ନିଜ ସମ୍ପୂର୍ଣ୍ଣ ସ୍ଥିତି ପ୍ରାପ୍ତ କରିବା ପାଇଁ ରାଜଯୋଗର ନିରନ୍ତର ଅଭ୍ୟାସ ଆବଶ୍ୟକ । କାରଣ ମନ ଚଞ୍ଚଳ ହେବା ଯୋଗୁଁ ନକରାତ୍ମକ ଶକ୍ତି ଯେପରିକି କାମ, କ୍ରୋଧ, ଲୋଭ, ମୋହ, ଅହଙ୍କାର, ଈର୍ଷା, ଆଳସ୍ୟ, ଅଲବେଲାପନ, ହତାଶ, ନିରାଶଭାବ ଆତୁରତା ଆଦିର ବଶୀଭୂତ ହୋଇଯାଉଛି । ପରିଣାମ ସ୍ୱରୂପ ଦୁଃଖ, ଅଶାନ୍ତି, ରୋଗ, ଶୋକ ଆଦିର ଶିକାର ହେଉଛି । ଏଣୁ ୱାଚ୍, କ୍ୟାଚ୍, ମ୍ୟାଚ୍ ବିଧି ଦ୍ୱାରା ଆମେ କିଛି ସମୟ କେବଳ ଇତସ୍ଥତଃ ଭ୍ରମିତ ମନକୁ ୱାଚ୍ ବା ନିରୀକ୍ଷଣ କରିବା ଦ୍ୱାରା ମନ ଶାନ୍ତ ତଥା ଏକାଗ୍ର ହେବ । ଏଥି ସକାଶେ ନିରନ୍ତର ଅଭ୍ୟାସ ଏବଂ ବୈରାଗ୍ୟ ଭାବ ଧାରଣ କରିବାକୁ ହେବ । ମୁଁ ଏକ ଆତ୍ମା ଅଟେ, ଶରୀର ନୁହଁ ଏହା ଚିନ୍ତନ କରିବା ଦ୍ୱାରା ଆମ ହାତକୁ ଏକ ଲଗାମ ଆସିଯିବ ଏବଂ ଏହି ଲଗାମ ଦ୍ୱାରା ଆମେ ଭ୍ରମିତ ଲକ୍ଷ୍ୟହୀନ ମନକୁ ନିୟନ୍ତ୍ରିତ କରିପାରିବା । ଏହା ହେଉଛି କ୍ୟାଚ୍ । ତତପରେ ଏକ ପାୱାର ହାଉସ୍, ସର୍ବଶକ୍ତିବାନ ପରମାତ୍ମାଙ୍କ ସହ ମନକୁ ଯୋଡ଼ିବା ଦ୍ୱରା ପରମାତ୍ମା ଶକ୍ତି ଆମ ନିକଟକୁ ପ୍ରବାହିତ ହେବ । ଏହା ହେଉଛି ମ୍ୟାଚ୍ । ସେତେବେଳେ ଏକ ଉଚ୍ଚତର ଉତ୍ସରୁ ସକରାତ୍ମକ ଶକ୍ତି ପ୍ରବାହିତ ହେବା ଦ୍ୱରା ଆମ ମନ ମଧ୍ୟ ଶକ୍ତିଶାଳୀ ହେବ । ଏଥି ସକାଶେ ଭ୍ରାତା ଶକ୍ତିରାଜ ରିଲେକ୍ସନ୍ ଟେକ୍କ୍ନିକ୍ ସହ ଓଁ ଧ୍ୱନୀର ଉଚ୍ଚାରଣ ଦ୍ୱାରା ଶରୀରର ପ୍ରତ୍ୟେକ ଅଙ୍ଗକୁ ରିଲେକ୍ସ କରିବାର ଶିକ୍ଷା ପ୍ରଦାନ କରିଥିଲେ । ନିୟମ ଅଛି ଆମେ ଯେପରି ବିଚାର କରିବା ସେପରି ହୋଇଯିବାର ଅନନ୍ତ ସଂଭାବନା ନିହିତ ଅଛି । ଏଣୁ ”ମୁଁ କିଛି କରିପାରିବିନି, ମୋତେ ଅନ୍ୟ ଜଣେ କଣ୍ଟ୍ରୋଲ୍ କରୁଛି କିମ୍ବା ଦୁଃଖ ଦେଉଛି” ଏପରି ବିଚାର କେବେ କରିବା ଉଚିତ ନୁହଁ । ଏଣୁ ସକରାତ୍ମକ ଆତ୍ମିକ ଶକ୍ତି ଦ୍ୱାରା ଆମେ ଅନ୍ୟମାନଙ୍କର ବିକାର ଯୁକ୍ତ ନକରାତ୍ମକ ଶକ୍ତିର ଅଧିନ ନ ହୋଇ ସର୍ବଦା ମନକୁ ଆଦେଶ ଦେବା – ମୋତେ ପରମାତ୍ମା ଦ୍ୱାରା ଯେପରି ଆଦେଶ ମିଳିବ, ସେହି ଅବସ୍ଥାରେ ସ୍ଥିତ ହୋଇପାରିବି ଏବଂ ”ମୋର ଭବିଷ୍ୟ ବହୁତ ଉଜ୍ଜଳ” – ଏପରି ଭିଜନ୍ ଧାରଣ ଦ୍ୱାରା ଆମେ ଏକ ସାଧାରଣ ଆତ୍ମାରୁ ଦେବଆତ୍ମାରେ ପରିଣତ ହୋଇପାରିବା । ପରେ ଟିଆରପି (ଞରଦ୍ଭଗ୍ଦସକ୍ଟଦ୍ଭ ଜବଗ୍ଧସଦ୍ଭଶ ଚକ୍ସକ୍ଟଶକ୍ସବଜ୍ଞଜ୍ଞର) ଦ୍ୱାରା ନିଜର ଅନ୍ତରର ଯେଉଁ ଅବଗୁଣ ନକାରାତ୍ମକ ଶକ୍ତିକୁ ଆମେ ବ୍ଳାଷ୍ଟ କରିପାରିବା । ତେବେ ଯାଇ ମନ ସ୍ୱତନ୍ତ୍ର ହୋଇ ବିଶ୍ୱ କଲ୍ୟାଣ ଦିଶାରେ ନିଜକୁ ନିୟୋଜିତ କରିପାରିବ । ଏହାପରେ କିଛି ସମୟ ପାଇଁ ନିଜ ଜୀବନକୁ ପରିବର୍ତ୍ତନ କରିବା ସକାଶେ ଦୃଢ଼ପ୍ରତିଜ୍ଞ ହେବାର ଶିକ୍ଷା ପ୍ରଦାନ କରିଥିଲେ । ଏବଂ ସର୍ବଶେଷରେ ପରମାତ୍ମାଙ୍କ ପ୍ରତି, ପରିବାର ପ୍ରତି ତଥା ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ କୃତଜ୍ଞ ଭାବ ଧାରଣ କରି ଅଗ୍ରସର ହେବା ସକାଶେ ପ୍ରେରଣା ପ୍ରଦାନ କରିଥିଲେ । ବ୍ରହ୍ମପୁର ସବଜୋନ ସଂଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ଭଗ୍ନୀ ମାଳା ସାଂସାରିକ ସମ୍ବନ୍ଧ ଏବଂ ବସ୍ତୁର ଆକର୍ଷଣରୁ ମୁକ୍ତ ହେବା ପାଇଁ ଏକ ପରମାତ୍ମାଙ୍କ ସହ ବୁଦ୍ଧିଯୋଗ ସ୍ଥାପନ କରିବାର ଶିକ୍ଷା ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସହର, ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଏବଂ ଗୋଲାବନ୍ଧ ଆର୍ମି ଏୟାର ଡିଫେନ୍ସ କଲେଜର ପ୍ରାୟ ତିନିଶହ ଜଣ ଉଚ୍ଚ ପ୍ରତିଷ୍ଠ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ ।