ଯମୁନା ଗ୍ରାମର ଚାଷୀ ଅରକ୍ଷିତ ମହାକୁରଙ୍କ ଆକସ୍ମିକ ବିୟୋଗ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ଯମୁନା ଗ୍ରାମର ଚାଷୀ ଅରକ୍ଷିତ ମହାକୁର(୫୬)ଙ୍କ ଶନିବାର ବଲାଙ୍ଗିର ଭୀମଭୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । ଶୁକ୍ରବାର ହଠାତ୍ ତାଙ୍କ ଦେହ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ପ୍ରଥମେ ମୁରିବାହାଲ ସିଏଚସି, ଟିଟିଲାଗଡ ମେଡିକାଲ୍ ଓ ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଅକାଳ ବିୟୋଗ ଘଟିଛି । ତାଙ୍କ ମୃତଦେହ ଗାଁକୁ ଅଣାଯାଇଥିବା ବେଳେ ଗାଁରେ ଅତ୍ୟନ୍ତ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ, ଏକମାତ୍ର ଝିଅ ଓ ଜଣେ ପୁଅଙ୍କ ସହ ଅନ୍ୟ ତିନିଭାଇ, ସମସ୍ତ ପରିବାର, ଜ୍ଞାତିକୁଟୁମ୍ବ ଓ ଆତ୍ମୀୟସ୍ୱଜନ ତଥା ଗ୍ରାମବାସୀ ଉପସ୍ଥିତ ଥିଲେ । ମୃତ ଅରକ୍ଷିତ ଅସୁସ୍ଥତା ପୂର୍ବରୁ ଜଣେ ପରିଶ୍ରମୀ ଯୁବକ ତଥା ଚାଷୀ ରୂପେ ଅଞ୍ଚଳରେ ସୁପରିଚିତ ଥିବା ବେଳେ ଯମୁନା ଗ୍ରାମର ଚନ୍ଦନ ଯାତ୍ରା ମହୋତ୍ସବରେ ଅଭିନୟ ମଧ୍ୟ କରୁଥିଲେ । ସେ ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାରୁ ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି । ଏକମାତ୍ର ପୁତ୍ର ଆଦିତ୍ୟ ମହାକୁର ଓ ପୁତୁରା ରିଙ୍କୁ ମହାକୁର ମୁଖାଗ୍ନି ଦେଇଥିଲେ । ତାଙ୍କ ପରଲୋକରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.