ମାକ୍ରିପଡ଼ା-ଗଣ୍ଡପଦର ରାସ୍ତା ବୁଲାଣିରେ ବାଇକ୍ ଦୁର୍ଘଟଣାରେ ବାପ-ପୁଅଙ୍କ ଶୋଚନୀୟ ମୃତ୍ୟୁ, ନାତି ଗୁରୁତର

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଲେବଡ଼ା ପଞ୍ଚାୟତ ମାକ୍ରିପଡ଼ା-ଗଣ୍ଡପଦର ମୁଖ୍ୟ ରାସ୍ତାର ବୁଲାଣିରେ ନାଳ ତଳକୁ ବାଇକ୍ ଭାରସାମ୍ୟ ହରାଇ ଖସି ପଡ଼ିବାରୁ ବାପ-ପୁଅଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାପଡିଛି । ସିନ୍ଧେକେଲା ଥାନା ଅଲଣ୍ଡା ପଞ୍ଚାୟତ ବକାଗୁରା ଗ୍ରାମର ବଲମ୍ ବଗର୍ତ୍ତି (୫୮) ତାଙ୍କ ପୁଅ ଏକାମ୍ୱର ବଗର୍ତ୍ତି (୩୫) ଓ ସମ୍ପର୍କିୟ ନାତି ଚୈତନ୍ୟ ବଗର୍ତ୍ତି (୨୬) ଏକ ସୁପର ସ୍ପେଲଣ୍ଡର ବାଇକ୍ (ଓଡ଼ି ୦୮ ଏଚ୍‌ ୦୬୭୮) ଯୋଗେ ଟିଟିଲାଗଡ ମେଡିକାଲରେ ଭର୍ତ୍ତି ଝିଆରୀକୁ ଦେଖି ଫେରିବା ବେଳେ ବାଇକ୍ ଭାରସାମ୍ୟ ହରାଇ ବୁଲାଣିରେ ନାଳ ତଳକୁ ଖସି ଦୁର୍ଘଟଣା ଘଟିଥିଲା । ଘଟଣା ସ୍ଥଳରେ ହିଁ ବାପା ବଲମ୍ ଓ ପୁଅ ଏକାମ୍ୱରଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ନାତି ଚୈତନ୍ୟଙ୍କୁ ଉଦ୍ଧାର କରି ଟିଟିଲାଗଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଖବର ପାଇ ମୁରିବାହାଲ ଥାନା ପୁଲିସ ଏସ୍‌ଆଇ ପ୍ରମୋଦ କୁମାର ପଧାନଙ୍କ ସହ ପୁଲିସ ଟିମ୍ ଘଟଣା ସ୍ଥଳକୁ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଟିଟିଲାଗଡ ମେଡିକାଲ୍ ପଠାଇ ବାଇକ୍ ଜବତ କରିଥିଲେ । ବାପପୁଅଙ୍କ ଶୋଚନୀୟ ମୃତ୍ୟୁରେ ବକାଗୁରା ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଏ ସମ୍ପର୍କରେ ମୁରିବାହାଲ ଥାନାରେ କେଶ ନଂ ୨୩୮/୨୫ ରୁଜ୍ଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଥିବା ଥାନା ଭାରପ୍ରାପ୍ତ ଓଆଇସି ପଙ୍କଜିନୀ ବାଗ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.