ପୁଇଁତଲା, (କେପିଏନ୍ଏସ୍) : ଆଜି ସ୍ଥାନୀୟ ଗଇନ୍ତଲାପଡିଆଠାରେ ପୁଇଁନ୍ତଲା ବ୍ଲକର ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୁଇନ୍ତଲା ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତରୁ ୫୦୦ ରୁ ଅଧିକ ମତ୍ସ୍ୟଜୀବୀ ଏବଂ ପ୍ରାଣୀପାଳକ ତଥା ସ୍ଵୟଂ ସହାୟକ ଗୋଷ୍ଠୀ ଦଳର ମାଁ ମାନେ ଅଂଶ ଗ୍ରହଣ କରିଥିଲେ । ଡ. ମୋନାଲି ଦାଶ ପ୍ରାଣୀ ଚିକିତ୍ସାଧିକାରୀ ବଲାଙ୍ଗିର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏତଦ୍ ବ୍ୟତୀତ ଉତ୍ସାହୀ ଜନ ସାଧାରଣ, ପଞ୍ଚାୟତ ସମିତିର ସଭ୍ୟସଭ୍ୟା, ସରପଞ୍ଚ, ଜିଲ୍ଲା ପରିଷଦ ସଦସ୍ୟ, ବ୍ଲକ ସ୍ତରୀୟ ବିଭିନ୍ନ ବିଭାଗୀୟ କର୍ମଚାରୀ, ତାଙ୍କର ସହାୟକ କର୍ମଚାରୀ ସମସ୍ତେ ଉପସ୍ଥିତ ଥିଲେ । ଡ. ମୁକେଶ ମହାଲିଙ୍ଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ମେଳା ଓ ପ୍ରଦର୍ଶନୀକୁ ଫିତା କାଟି ଉଦ୍ଘାଟନ କରିଥିଲେ । ପୁଇଁନ୍ତଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଅମରେନ୍ଦ୍ର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଡ.ମହାଲିଙ୍ଗ, ଉପସ୍ଥିତ ଚାଷୀମାନଙ୍କୁ ଉତ୍ସାହିତ କରିଥିଲେ । ସମ୍ମାନନୀୟ ଅତିଥି ଭାବରେ ସରୋଜ କୁମାର ପଧାନ (ବ୍ଲକ ଅଧ୍ୟକ୍ଷ), କୁମର ମଣି ସେଠ (ଜିଲ୍ଲା ପରିଷଦ ସଦସ୍ୟ, ଜୋନ–୧୮), ଶ୍ରୀମତୀ ପୁଷ୍ପାଞ୍ଜଳି ହର୍ପାଲ ସମିତି ସଭ୍ୟା ଗୈନ୍ତଲା ଓ ଶ୍ରୀ ରାଜ କିଶୋର ନାୟକ, ସାଂସଦ ପ୍ରତିନିଧି, ଡ. ଅନିରୁଦ୍ଧ ବିଶ୍ଵାଳ, ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ, ଡ. ସୁଷମା ନାୟକ, ସରପଞ୍ଚ ଗଇନ୍ତଲା ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟ ବକ୍ତା ଭାବରେ ଡା.ଶାରଦା ପ୍ରସାଦ ସିଂ ବରିହା, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୁଇଁନ୍ତାଲା ବ୍ଲକର ଚାରି ଜଣ ଅଗ୍ରଣୀ ମତ୍ସ୍ୟ ଚାଷୀ ଏବଂ ତିନି ଜଣ ପ୍ରାଣୀପାଳକ ଓ କୁକୁଡ଼ା ପାଳନ ପାଇଁ ଗୋଟିଏ ସ୍ଵୟଂ ସହାୟକ ଦଳ ସମୁଦାୟ ଆଠଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମତ୍ସ୍ୟ ବିଭାଗର ଦୁଇ ଜଣଙ୍କୁ କାର୍ଯ୍ୟାଦେଶ ଓ ପ୍ରାଣୀ ସମ୍ପଦ ବିଭାଗର ଦୁଇ ଜଣଙ୍କୁ ସରକାରୀ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା । ଏହି ଅବସରରେ ଆୟୋଜିତ କୃଷକ ବିଶେଷଜ୍ଞ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ମତ୍ସ୍ୟ ବିଶେଷଜ୍ଞ ଭାବରେ ଦାମୋଦର ନାୟକ ଅବସରପ୍ରାପ୍ତ ସହକାରୀ ମତ୍ସ୍ୟ ଅଧିକାରୀ ଓ ସ୍ନିଗ୍ଧାରାଣୀ କହଁର, ସହକାରୀ ମତ୍ସ୍ୟ ଅଧିକାରୀ, ଦେଓଗାଁ, ଏବଂ ପ୍ରାଣୀ ସମ୍ପଦ ବିଶେଷଜ୍ଞ ଭାବରେ ଡ଼ା. ଶୁଭେନ୍ଦୁ ସୁଧା ଷଡ଼ଙ୍ଗୀ, ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ଟିଟଲାଗଡ ଓ ଡ଼ା. ଦେବଜ୍ୟୋତି ବେହେରା, ପ୍ରଶିକ୍ଷକ, ପ୍ରାଣୀଧନ ନିରୀକ୍ଷକ କେନ୍ଦ୍ର ଯୋଗ ଦେଇ ଚାଷୀଙ୍କୁ ମତ୍ସ୍ୟ ଚାଷ ଓ ପ୍ରାଣୀ ପାଳନ ସମ୍ପର୍କିତ ବିଭିନ୍ନ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ । ସଭା ପରିସମାପ୍ତି ପରେ ଭବାନୀ ଶଙ୍କର କଳା ପରିଷଦ ଗୀତ ଓ ପାଲା ମାଧ୍ୟମରେ ସରକାରୀ ଯୋଜନା ସମୂହର ପ୍ରଚାର ପ୍ରସାର କରିଥିଲେ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପ୍ରାଣୀ ପାଳନ ଓ ମତ୍ସ୍ୟ ଚାଷରେ ଉତ୍ପାଦନ ବୃଦ୍ଧି କରିବା, ତୃଣମୂଳ ସ୍ତରରେ ଗ୍ରାମୀଣ ଅର୍ଥନୀତିର ବିକାଶ ପାଇଁ ପ୍ରାଣୀ ପାଳନ, କୁକୁଡ଼ା ପାଳନ, ମତ୍ସ୍ୟ ଚାଷ କିପରି ସହାୟକ ହୋଇପାରିବ । ମତ୍ସ୍ୟ ଚାଷ ମାଧ୍ୟମରେ ସ୍ୱାବଲମ୍ବୀ ଚାଷୀ ତଥା ଉଦ୍ୟୋଗୀ ସୃଷ୍ଟି କରିବା ଏବଂ ପ୍ରାଣୀ ସମ୍ପଦକୁ ନିରୋଗ ଏବଂ ନିରାମୟ ରଖିବା । ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା ବ୍ଲକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳାକୁ ଆୟୋଜନ କରିଥିଲେ ଡ଼ା.ସଞ୍ଜୟ କୁମାର ମହାକୁଡ, ବ୍ଲକ୍ ପ୍ରାଣୀ ଚିକିତ୍ସାଧିକାରୀ ତଥା ଡ. ସ୍ପନ୍ଦନ ଶାଶ୍ଵତ ଦାଶ ଓ ଡ. ଓମ୍ କୁମାର ସାହୁ ଏବଂ ମନୋରଞ୍ଜନ ନାୟକ, ସହକାରୀ ମତ୍ସ୍ୟ ଅଧିକାରୀ ଓ ପ୍ରାଣୀ ସମ୍ପଦ ଉପ -ସହାୟକ ସତ୍ୟଜିତ ଛତ୍ରିଆ, ଏହି କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ଆୟୋଜନ କରିବାରେ ମୁଖ୍ୟ ଭୂମିକା ଅଂଶ ଗ୍ରହଣ କରିଥିଲେ ଓ ପ୍ରାଣୀଧନ ନିରୀକ୍ଷକମାନେ ତଥା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ସମସ୍ତ କର୍ମଚାରୀ ସହାୟତା କରିଥିଲେ ।