ଦିଲ୍ଲୀ ଲାଲକିଲ୍ଲା ନିକଟ ବିସ୍ଫୋରଣ ଘଟଣାକୁ ନେଇ କେନ୍ଦ୍ର କ୍ୟାବିନେଟରେ ପ୍ରସ୍ତାବ ଗୃହୀତ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ୧୦ ନଭେମ୍ବର ୨୦୨୫ ସନ୍ଧ୍ୟାରେ ଦିଲ୍ଲୀର ଲାଲକିଲ୍ଲା ନିକଟରେ ଘଟିଥିବା ଏକ ଆତଙ୍କବାଦୀ କାର ବିସ୍ଫୋରଣ ଘଟଣାରେ ପ୍ରାଣହାନି ପାଇଁ ଗଭୀର ଶୋକ ପ୍ରକାଶ କରିଛି । ଏଥିରେ ଜୀବନ ହରାଇଥିବା ନିର୍ଦ୍ଦୋଷ ଲୋକଙ୍କ ସ୍ମୃତିଚାରଣ କରି କ୍ୟାବିନେଟ୍ ଦୁଇ ମିନିଟ୍ ନିରବତା ଅବଲମ୍ବନ କରିଛି ।
କ୍ୟାବିନେଟ୍ ମଧ୍ୟ ନିମ୍ନଲିଖିତ ପ୍ରସ୍ତାବ ଗ୍ରହଣ କରିଛି :
୧୦ ନଭେମ୍ବର ୨୦୨୫ ସନ୍ଧ୍ୟାରେ ଲାଲକିଲ୍ଲା ନିକଟରେ ଏକ କାର ବିସ୍ଫୋରଣ ମାଧ୍ୟମରେ ଦେଶ ବିରୋଧୀ ଶକ୍ତିମାନେ ଏକ ଜଘନ୍ୟ ଆତଙ୍କବାଦୀ ଘଟଣା ଘଟଣାଇଛନ୍ତି । ଏହି ବିସ୍ଫୋରଣରେ ବହୁ ଲୋକ ପ୍ରାଣ ହରାଇଛନ୍ତି ଏବଂ ଅନେକ ଲୋକ ଆହତ ହୋଇଛନ୍ତି । ଏହି ହିଂସାରେ ପୀଡିତଙ୍କ ପ୍ରତି କ୍ୟାବିନେଟ୍ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି ଏବଂ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛି । କ୍ୟାବିନେଟ୍ ସମସ୍ତ ଆହତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛି ଏବଂ ପୀଡିତଙ୍କୁ ସହାୟତା ଏବଂ ସେବା ପ୍ରଦାନ କରୁଥିବା ସ୍ୱାସ୍ଥ୍ୟକର୍ମୀ ଏବଂ ଜରୁରୀକାଳୀନ ସେବାରେ ନିୟୋଜିତ କର୍ମୀଙ୍କ ତ୍ୱରିତ ପ୍ରୟାସକୁ ପ୍ରଶଂସା କରୁଛି । କ୍ୟାବିନେଟ୍ ନିର୍ଦ୍ଦୋଷ ଜୀବନ ହାନିର କାରଣ ହୋଇଥିବା ଏହି ଘୃଣ୍ୟ ଏବଂ କାପୁରୁଷତାପୂର୍ଣ୍ଣ କାର୍ଯ୍ୟକୁ ଦୃଢ଼ ଭାବରେ ନିନ୍ଦା କରୁଛି । ସମସ୍ତ ପ୍ରକାର ଏବଂ ସ୍ୱରୂପରେ ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତାର ନୀତି ପ୍ରତି ଭାରତର ଅଟଳ ପ୍ରତିବଦ୍ଧତାକୁ କ୍ୟାବିନେଟ୍ ଦୋହରାଇଛି । ବିଶ୍ୱର ଅନେକ ସରକାରଙ୍କ ଏକଜୁଟତା ଏବଂ ସମର୍ଥନପୂର୍ଣ୍ଣ ବିବୃତିକୁ କ୍ୟାବିନେଟ୍ ମଧ୍ୟ ପ୍ରଶଂସା କରିଛି । ପ୍ରତିକୂଳ ପରିସ୍ଥିତିରେ ସାହସ ଓ କରୁଣା ସହିତ କାର୍ଯ୍ୟ କରିଥିବା କର୍ତ୍ତୃପକ୍ଷ, ସୁରକ୍ଷା ସଂସ୍ଥା ଏବଂ ନାଗରିକଙ୍କ ସମୟୋଚିତ ଓ ସମନ୍ୱିତ ପ୍ରତିକ୍ରିୟାକୁ କ୍ୟାବିନେଟ୍ ପ୍ରଶଂସା କରୁଛି । ସେମାନଙ୍କର ସମର୍ପଣ ଏବଂ କର୍ତ୍ତବ୍ୟନିଷ୍ଠା ଗଭୀର ପ୍ରଶଂସନୀୟ । କ୍ୟାବିନେଟ୍ ନିର୍ଦ୍ଦେଶ ଦେଇଛି ଯେ ଘଟଣାର ତଦନ୍ତ ଅତ୍ୟନ୍ତ ଜରୁରୀ ଏବଂ ପେସାଦାର ଆଭିମୁଖ୍ୟ ସହିତ ଏହା କରାଯିବା ଉଚିତ ଯାହା ଦ୍ୱାରା ଅପରାଧୀ, ସେମାନଙ୍କର ସହଯୋଗୀ ଏବଂ ସେମାନଙ୍କ ପ୍ରାୟୋଜକମାନଙ୍କୁ ଚିହ୍ନଟ କରାଯାଇ ଅବିଳମ୍ବେ ଶାସ୍ତବିଧାନ କରାଯାଇପାରିବ । ସରକାରଙ୍କ ସର୍ବୋଚ୍ଚ ସ୍ତରରେ ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି । କ୍ୟାବିନେଟ୍ ସମସ୍ତ ଭାରତୀୟଙ୍କ ଜୀବନ ଏବଂ କଲ୍ୟାଣକୁ ସୁରକ୍ଷା ଦେବା ପାଇଁ ସରକାରଙ୍କ ଦୃଢ଼ ସଂକଳ୍ପକୁ ଦୋହରାଉଛି । ଜାତୀୟ ସୁରକ୍ଷା ଏବଂ ପ୍ରତ୍ୟେକ ନାଗରିକଙ୍କ ସୁରକ୍ଷା ପ୍ରତି ସରକାର ଦୀର୍ଘସ୍ଥାୟୀ ରୂପେ ସଂକଳ୍ପବଦ୍ଧ ରହିଛନ୍ତି ।

Leave A Reply

Your email address will not be published.