ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ କଲ୍ୟାଣ ପାଇଁ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି : କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠାୱଲେ

  • ‘‘ସୁଗମ୍ୟ ଭାରତ ଅଭିଯାନରେ ଦିବ୍ୟାଙ୍ଗଙ୍କୁ ୧୬ ହଜାରରୁ ଅଧିକ ସାଇକେଲ୍ ଯୋଗାଇ ଦିଆଯାଇଛି’’
  • ‘‘ଚାକିରି ଏବଂ ଶିକ୍ଷା କ୍ଷେତ୍ରରେ ଦିବ୍ୟାଙ୍ଗଙ୍କ ସଂରକ୍ଷଣ ସୁବିଧାକୁ ୩ରୁ ୪%କୁ ବୃଦ୍ଧି କରାଯାଇଛି’’
  • ‘‘ଦେଶରେ ନିର୍ବାଚନ ଆୟୋଗ ସମ୍ପୂର୍ଣ୍ଣ ସ୍ୱାଧୀନ ଏବଂ ନିରପେକ୍ଷ ଭାବେ କାମ କରୁଛନ୍ତି’’

ଭୁବନେଶ୍ୱର, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଦେଶର ମହିଳା, ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ଅନେକ ଯୋଜନା ପ୍ରଣୟନ କରିଥିବା କହିଛନ୍ତି କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ରାମଦାସ ଅଠାୱଲେ । ଆଜି ଭୁବନେଶ୍ୱରଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସେ କହିଛନ୍ତି, ଦିବ୍ୟାଙ୍ଗଙ୍କ କଲ୍ୟାଣ ପାଇଁ ମୋଦୀ ସରକାର ଅନେକ ଯୋଜନା ଆଣିଛନ୍ତି । ସୁଗମ୍ୟ ଭାରତ ଯୋଜନା ଦିବ୍ୟାଙ୍ଗଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ସହିତ ସେମାନଙ୍କର ଅଧିକାର ସୁରକ୍ଷା ସୁନିଶ୍ଚିତ କରୁଛି। ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ଦିବ୍ୟାଙ୍ଗମାନଙ୍କୁ ୧୬ ହଜାରରୁ ଅଧିକ ସାଇକେଲ୍ ଏବଂ ସହାୟତା ଉପକରଣ ଯୋଗାଇ ଦିଆଯାଇଛି । ଦିବ୍ୟାଙ୍ଗଙ୍କ ପାଇଁ ସରକାରୀ ଚାକିରି ଏବଂ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ସୁବିଧାକୁ ୩ରୁ ୪%କୁ ବୃଦ୍ଧି କରାଯାଇଛି ବୋଲି ସେ କହିଛନ୍ତି । ଶ୍ରୀ ଅଠାୱଲେ ଆହୁରି କହିଛନ୍ତି, କେନ୍ଦ୍ର ସରକାର ବରିଷ୍ଠ ନାଗରିକଙ୍କ ପାଇଁ ମଧ୍ୟ ଅନେକ ଯୋଜନା ଆଣିଛନ୍ତି। ଅବସର ପରେ ସେମାନଙ୍କୁ ରୋଜଗାରକ୍ଷମ କରିବା ଲାଗି ଯୋଜନା କାର୍ଯ୍ୟକାରୀ କରାଯାଇଛି । ଅନୁରୂପ ଭାବେ ମହିଳାଙ୍କ ପାଇଁ ମଧ୍ୟ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଇଥିବା କେନ୍ଦ୍ର ମନ୍ତ୍ରୀ କହିଛନ୍ତି । ବିରୋଧୀମାନେ ଆଣିଥିବା ଭୋଟ୍ ଚୋରି ଅଭିଯୋଗ ଖଣ୍ଡନ କରିବା ସହିତ ଏହି ପ୍ରସଙ୍ଗରେ ମତ ରଖି ଶ୍ରୀ ଅଠାୱଲେ କହିଛନ୍ତି, ନିର୍ବାଚନ ଆୟୋଗ ଦେଶର ନିର୍ବାଚନ ପ୍ରକ୍ରିୟାକୁ ସ୍ୱଚ୍ଛ ଏବଂ ପାରଦର୍ଶୀ କରିବା ଲାଗି ପଦକ୍ଷେପ ନେଉଛନ୍ତି । ଗତ ଲୋକସଭା ନିର୍ବାଚନ ସମୟରେ ବିରୋଧୀ ଦଳଗୁଡ଼ିକୁ ପୂର୍ବାପେକ୍ଷା ଅଧିକ ଆସନ ମିଳିବା ସମୟରେ ଏଭଳି ଅଭିଯୋଗ ଆସିନଥିଲା । ଯେଉଁଠି ବିରୋଧୀ ଦଳ ପରାଜିତ ହେଉଛି ସେଠାରେ ଏଭଳି ଅଭିଯୋଗ ଆସୁଛି। ଇଭିଏମରେ ମତଦାନ ବ୍ୟବସ୍ଥା ପୂର୍ବ ସରକାରଙ୍କ ଅମଳରେ ଆସିଥିଲା । ଏନଡିଏ ସରକାର ଏହି ବ୍ୟବସ୍ଥା କରିନାହାନ୍ତି। ଇଭିଏମକୁ ନେଇ କୌଣସି ଅଭିଯୋଗ ଆଣିବା ଭିତ୍ତିହୀନ । ଭୋଟ୍ ଚୋରି ସମ୍ପର୍କରେ କୌଣସି ଅଭିଯୋଗ ଥିଲେ ତଥ୍ୟ ପ୍ରମାଣ ସହିତ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିବା ଉଚିତ୍ ହେବ ବୋଲି ସେ କହିଛନ୍ତି । କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ନିର୍ବାଚନ ଆୟୋଗ ସମ୍ପୂର୍ଣ୍ଣ ସ୍ୱାଧୀନ ଏବଂ ନିରପେକ୍ଷ ଭାବେ କାମ କରୁଛନ୍ତି ଏବଂ ଆୟୋଗଙ୍କ ଉପରେ ସରକାରଙ୍କର କୌଣସି ପ୍ରଭାବ ନାହିଁ ।

Leave A Reply

Your email address will not be published.