ଦର୍ଲିପାଲି ନିରାମୟ ହସ୍ପିଟାଲରେ ହାଇଡ୍ରୋସିଲ ଅସ୍ତ୍ରୋପଚାର ଶିବିର ଅନୁଷ୍ଠିତ

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ଜିଲ୍ଲା ସ୍ୱାସ୍ଥ୍ୟ ସମିତି ସୁନ୍ଦରଗଡ଼ ଓ ଏନ.ଟି.ପି.ସି ଦର୍ଲିପାଲି ସ୍ଥିତ ନିରାମୟ ହସ୍ପିଟାଲର ମିଳିତ ଆନୁକୂଲ୍ୟରେ ଏକ ହାଇଡ୍ରୋସିଲ ଅସ୍ତ୍ରୋପଚାର ଶିବିର ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ଫାଇଲେରିଆ ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରୁ ହାଇଡ୍ରୋସିଲ ଅପରେସନ୍ ଏକ ମୁଖ୍ୟ କାର୍ଯ୍ୟକ୍ରମ ଅଟେ । ଏହି ପରିପ୍ରେକ୍ଷୀରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ସୁନ୍ଦରଗଡ଼ ଓ ନିରାମୟ ହସ୍ପିଟାଲ, ଦର୍ଲିପାଲିର ମିଳିତ ଉଦ୍ୟମ କ୍ରମେ ଅନୁଷ୍ଠିତ ହୋଇଥିବା ଏହି ଶିବିରରେ ମୋଟ ୨୦ ଜଣ ବ୍ୟକ୍ତିଙ୍କର ହାଇଡ୍ରୋସିଲ ଅସ୍ତ୍ରୋପଚାର ହୋଇଯାଇଛି । ହେମଗିର ବ୍ଲକ, ଟାଙ୍ଗରପାଲି ବ୍ଲକ ଓ ଲେଫ୍ରିପଡ଼ା ବ୍ଲକର ରୋଗୀମାନଙ୍କୁ ଏହି ଶିବିରକୁ ଅଣାଯାଇଥିଲା । ନିରାମୟ ହସ୍ପିଟାଲ ଦର୍ଲିପାଲିର ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା. ଅପରାଜିତା ମିଶ୍ରଙ୍କର ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା । ଏନ.ଟି.ପି.ସି ଦର୍ଲିପାଲି ତରଫରୁ ରୋଗୀ ମାନଙ୍କୁ ଖାଇବା, ପିଇବା, ଔଷଧ ପ୍ରଦାନ ଓ କମ୍ବଳ ମାଗଣାରେ ପ୍ରଦାନ କରାଯାଇଥିଲା । ଏନ.ଟି.ପି.ସି ଦର୍ଲିପାଲି ତରଫରୁ ଏଚ.ଓ.ପି. ଫାଇଜ ତୟବ, ଏଚ.ଓ. ଏଚ.ଆର ଶ୍ରୀମତୀ ପ୍ରଭାତୀ ସିଂହ ଓ ଅନ୍ୟାନ୍ୟ ଅଧିକାରୀଗଣ ଯୋଗଦାନ କରିଥିଲେ । ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ଶିବାଶିଷ ମହାରଣା, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ଭକ୍ତ ମୋହନ ସ୍ୱାଇଁ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ଡ଼ା. ଶ୍ୟାମବନ୍ଧୁ ରଥ, ସୁନ୍ଦରଗଡ଼ ସରକାରୀ ମେଡ଼ିକାଲ କଲେଜରୁ ଡ଼ା. ଅଜୟ ଭଟ୍ଟ, ସର୍ଗିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଡ଼ା. ପ୍ରଶାନ୍ତ ସାହୁ ପ୍ରମୁଖ ଯୋଗଦାନ କରିଥିଲେ । ଡ଼ା. ସ୍ୱାଇଁ ତାଙ୍କର ଅଭିଭାଷଣରେ ଏହା କହିଥିଲେ ଯେ, କ୍ୟୁଲେକ୍ସ ମଶା କାମୁଡିବା ଦ୍ୱାରା ଫାଇଲେରିଆ ତଥା ହାଇଡ୍ରୋସିଲ ସାଧାରଣତଃ ହୋଇଥାଏ । ଏହି ମଶା କାମୁଡିବାର ୫ରୁ ୧୫ ବର୍ଷ ମଧ୍ୟରେ ଗୋଦର ଗୋଡ ଏବଂ ଅଣ୍ଡକୋଷ ବୃଦ୍ଧି ହେବାର ସମ୍ଭାବନା ଥାଏ । ଜିଲ୍ଲା ଭେକ୍ଟର ବାହିତ ରୋଗ ପରାମର୍ଶଦାତା ବସନ୍ତ କୁମାର ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସର୍ଗିପାଲି ଗୋଷ୍ଠୀ ଜନ ସ୍ୱାସ୍ଥ୍ୟ ଅଧିକାରୀ ଦୀପକ ଶର୍ମା, ଭେକ୍ଟର ବାହିତ ରୋଗ ବୈଷୟିକ ପର୍ଯ୍ୟବେକ୍ଷକ ଜ୍ୟୋସ୍ନା ନାଏକ, ସୁମନ୍ତ ନାଏକ ଓ ସୁବାଷ ଚନ୍ଦ୍ର ପ୍ରଧାନ ପ୍ରମୁଖ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।

Leave A Reply

Your email address will not be published.