ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନ୍.ଏ .ସି ସ୍ଥିତ ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିୟମରେ ଗଞ୍ଜାମ ଥାନା ପୁଲିସ ପକ୍ଷରୁ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଥାନା ଅଧିକାରିଣୀ ସୁମିତ୍ରା ପାତ୍ରଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ଏସ୍ଡ଼ିିପିଓ ଚନ୍ଦନ ଘଡେଇ ଯୋଗଦେଇ ସାଇବର ଠକେଇ ବିଷୟରେ ଗୁରୁତ୍ୱପୂର୍ଣ୍ଣ ମତ ରଖିଥିଲେ । “ସାଇବର ଠକେଇ ଏବେ ପାରମ୍ପରିକ ଅପରାଧ ଠାରୁ ଦ୍ରୁତ ଗତିରେ ବଢିବାକୁ ଲାଗିଛି । ଲୋକମାନେ ଅଜଣା ଲିଙ୍କ ଓ ମେସେଜରେ ନିଜ ତଥ୍ୟ ଦେବାରୁ ଆର୍ଥିକ କ୍ଷତି ସହିବାକୁ ପଡୁଛି । ଠକେଇ ରୋକିବା ପାଇଁ ପ୍ରତ୍ୟେକ ନାଗରିକଙ୍କୁ ସଚେତନ ହେବା ଆବଶ୍ୟକ” ବୋଲି ଶ୍ରୀ ଘଡେଇ କହିଛନ୍ତି । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଗଞ୍ଜାମ ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଚ୍ୟୁତାନନ୍ଦ ଜାନୀ, ସାଇବର ଥାନା ପୋଲିସ ଅଧିକାରୀ କିରଣ ପାତ୍ର, ଗ୍ରାସିମ୍ କମ୍ପାନୀର ୟୁନିଟ ମୁଖ୍ୟ ଅଜୟ ଗୁପ୍ତା, ମାନବ ସମ୍ବଳ ମୁଖ୍ୟ ନୀରୋଜା ପଟ୍ଟନାୟକ ଓ ବରିଷ୍ଠ ସାମ୍ବାଦିକ ତଥା ବରିଷ୍ଠ ନାଗରିକ ସଭାପତି ରବୀନ୍ଦ୍ର କୁମାର ପଣ୍ଡା, ସମ୍ପାଦକ ବିନୋଦ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ସାଇବର ଥାନା ପୋଲିସ ଅଧିକାରୀ କିରଣ ପାତ୍ର ନିଜ ଉଦ୍ୱୋଧନରେ କହିଥିଲେ “ସାଇବର ସୁରକ୍ଷା ସଚେତନତା ହିଁ ଏହାର ପ୍ରମୁଖ ଅସ୍ତ୍ର । ଆମେ ସମସ୍ତେ ଯଦି ସତର୍କ ହେବା, ଅଜଣା ଲିଙ୍କ ନ ଖୋଲିବା, ଅଜଣା ଫୋନରେ ତଥ୍ୟ ନ ଦେବା ଓ ସାଇବର ସହାୟତା ହେଲ୍ପଲାଇନ ‘୧୯୩୦’ ରେ ତୁରନ୍ତ ଅଭିଯୋଗ ଦେବା ତେବେ ଠକେଇକୁ ଅନେକ ଅଂଶରେ ରୋକାଯାଇପାରିବ । ଗଞ୍ଜାମ ଥାନା ଅଧିକାରିଣୀ ଶ୍ରୀମତୀ ପାତ୍ର ସଭାକୁ ସମ୍ବର୍ଦ୍ଧିତ କରି କହିଛନ୍ତି । ସାଇବର ଅପରାଧ ଏକ ନୂତନ ଆହ୍ୱାନ । ଆମେ ଯଦି ଘରେ ଓ ଶିକ୍ଷାସ୍ଥାନରେ ଛୋଟଛୋଟ ପିଲାଙ୍କୁ ଡିଜିଟାଲ ସୁରକ୍ଷା ଶିଖାଇପାରିବା, ତେବେ ଏହି ଅପରାଧର ପ୍ରଭାବ କମିଯିବ । ସଚେତନତା ହିଁ ସାଇବର ଠକେଇ ବିରୋଧରେ ଆମର ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର । କାର୍ଯ୍ୟକ୍ରମରେ ସ୍ଥାନୀୟ ଜନସାଧାରଣ, ବରିଷ୍ଠ ନାଗରିକ, ଶିକ୍ଷକ, ଛାତ୍ରଛାତ୍ରୀ, ଅଙ୍ଗନବାଡ଼ି କର୍ମୀ, ସ୍ୱୟଂସହାୟକ ଗୋଷ୍ଠି ଓ ବିଭିନ୍ନ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ ।
ସଭା ଶେଷରେ ସଚେତନତା ପ୍ଲେକାର୍ଡ ଓ ସାଇବର ସୁରକ୍ଷା ସନ୍ଦେଶ ବିତରଣ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଛୋଟ ଛୋଟ ପ୍ରତିଭା ଶାଳୀ କଳାକାର ଦ୍ୱାରା ଅନୁଷ୍ଠିତ ହୋଇଥିଲା । ସେମାନେ ସାଇବର ସଚେତନତା ଭିତ୍ତିକ ନାଟକ, ଗୀତ ଓ ନୃତ୍ୟ ଦ୍ୱାରା ଜାଗୃକତା ସନ୍ଦେଶ ଜନ ସମ୍ମୁଖରେ ପ୍ରଚାର ଓ ପ୍ରସାର କରିଥିଲେ ।
Prev Post