କ୍ଷତିପୂରଣ ପ୍ରାପ୍ୟ ଲାଳସା, ଅଧିଗୃହୀତ ଜମିରେ ତୋଳାଚାଲିଛି ପକ୍କା ଘର

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ରେଳ ଜଙ୍କସନକୁ ପ୍ରବେଶ କରୁଥିବା ମାଲବାହୀ ଟ୍ରେନ ଗୁଡିକର ବାଇପାସ ନିର୍ମାଣ କାର୍ଯ୍ୟ ପାଇଁ ପ୍ରାୟ ୮୦୦ କୋଟି ଟଙ୍କା ମଞ୍ଜୁର ହୋଇଛି । ଏନେଇ ଭୂଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ରେଳ ବିଭାଗ ଅଧିକାରୀଙ୍କ ସମେତ ଜିଲ୍ଲା ଭୂଅଧିଗ୍ରହଣ ଅଧିକାରୀଙ୍କ ଭୂମିକାକୁ ନେଇ ଟିଟିଲାଗଡ଼ ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି । ପୂର୍ବତଟ ରେଳବାଇ ଅଧୀନରେ ଥିବା ଟିଟିଲାଗଡ଼ ରେଳ ଜଙ୍କସନର ଟିଟିଲାଗଡ଼ ସହର ନିକଟସ୍ଥ ଶିକେର ଏବଂ ରହେନଭଟା ରେଳଷ୍ଟେସନ ମଧ୍ୟରେ ତିନିଗୋଟି ପ୍ରକଳ୍ପ କାର୍ଯ୍ୟକାରୀ ହେବା ନେଇ ଏବେ ସ୍ଥାନୀୟ ଖଜୁରପଡ଼ା ଅଞ୍ଚଳରେ ପୁର୍ବରୁ ବିଜ୍ଞପ୍ତି ପ୍ରକାଶ ସହ ବର୍ତ୍ତମାନ ଜମି ଅଧିଗ୍ରହଣ କାମ ଜାରି ରହିଛି । ଶିକେର ଷ୍ଟେସନରୁ ରହେନଭଟା ଷ୍ଟେସନକୁ ବାଇପାସ ରେଳ ଲାଇନ ନିର୍ମାଣ କାମ ସାଙ୍ଗକୁ ଦୀର୍ଘ ଆଠ କିଲୋମିଟର ବିଶିଷ୍ଟ ଓଭର ବ୍ରିଜ ନିର୍ମାଣ ସହ ଭୂତଳ ଗ୍ୟାସ ପାଇପ ନେଇ ଯୋଜନା ରହିଛି । ହେଲେ କେତେକ ଅସାଧୁ ବ୍ୟକ୍ତି ରାତାରାତି କୋଟିପତି ହେବା ନେଇ ଏକ ବଡ଼ ଧରଣର ଚଞ୍ଚକତା କରୁଥିବା ଦେଖିବାକୁ ମିଳିଛି । ଝାରସୁଗୁଡା, ସମ୍ବଲପୁର, ବଲାଙ୍ଗିର, ସୋନପୁର, ବରଗଡ଼ ଅଞ୍ଚଳର କିଛି ବ୍ୟକ୍ତି ଆସି ଅଧିଗୃହୀତ ହେବାକୁ ଥିବା ଉକ୍ତ ଜମି ଉପରେ ଆଖି ପକାଇବା ଚର୍ଚ୍ଚା ଜୋର ଧରିଛି । ରାତାରାତି ଉକ୍ତ ଅଧିଗୃହୀତ ଜମି ଉପରେ ନାମକୁ ମାତ୍ର ପକ୍କା ଘର ନିର୍ମାଣ କରି କେନ୍ଦ୍ର ସରକାର ଏବଂ ରେଳବିଭାଗକୁ ଅନ୍ଧକାରରେ ରଖି କ୍ଷତିପୂରଣ ନାମରେ କୋଟି କୋଟି ଟଙ୍କା ଉପାର୍ଜନ ପାଇଁ ଯୋଜନା ହୋଇଥିବା ଆଲୋଚନା ହେଉଛି । ଅଧିଗୃହୀତ ଜମି ଉପରେ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲୁଥିବା ଦେଖାଯାଇଛି । କେବଳ ନାମକୁ ମାତ୍ର ସିମେଣ୍ଟ, ଇଟା, ଲୁହା ରଡ଼ ବ୍ୟବହାର କରି କେବଳ ବାଲିରେ ପ୍ଲାଷ୍ଟର ମାରି ରଙ୍ଗ ଲଗାଇ ପକ୍କାଘର ନିର୍ମାଣ କରାଯାଉଛି । ପ୍ରାୟ ବର୍ଷଟିଏ ପୂର୍ବରୁ ଝାରସୁଗୁଡା ଅଞ୍ଚଳର ଜୈନିକ ବ୍ୟବସାୟୀ ଖଜୁରପଡା ଏବଂ ଟିଟିଲାଗଡ଼ ସହରର ମଦଭାଟି ପଡାକୁ ସଂଯୋଗ କରୁଥିବା ରେଳ ଫାଟକ ନିକଟରେ ଅଧିଗ୍ରହଣ ହୋଇଥିବା ଜମିରେ ପକ୍କାଘର ନିର୍ମାଣ କରିଥିବା ବେଳେ ଉକ୍ତ ଘରରେ ପ୍ରାୟ ବାର ଗୋଟି ଛୋଟ ଛୋଟ କୋଠରୀ ନିର୍ମାଣ କରିଥିଲେ । ବାଇପାସ ରେଳ ଲାଇନ ଉକ୍ତ ଜମି ଦେଇଯାଉଥିବା ଯୋଗୁଁ ମାତ୍ର ଦୁଇ ମାସ ମଧ୍ୟରେ ଉକ୍ତ ଘର ପାଇଁ କୁଆଡେ ତିନି କୋଟିରୁ ଉର୍ଦ୍ଧ୍ଵ ଟଙ୍କା କ୍ଷତିପୂରଣ ବାବଦକୁ ପାଇଥିବା ଆଲୋଚନା ହୋଇଛି । ସମ୍ପୃକ୍ତ ବ୍ୟବସାୟୀ ବର୍ତ୍ତମାନ ଖଜୁରପଡ଼ା ଅଞ୍ଚଳର କିଛି ଜମି ମାଲିକ ମାନଙ୍କୁ ଆଗୁଆ ଟଙ୍କା ଦେଇ ରେଳ ଲାଇନ କଡ଼ରେ ନାମକୁ ମାତ୍ର ପକ୍କାଘର ନିର୍ମାଣ କରୁଛନ୍ତି । ଫଳରେ ଜମି ମାଲିକ ରାତାରାତି ଘର ନିର୍ମାଣ କରିବା ପାଇଁ ଲାଗି ପଡିଛନ୍ତି । ଏମିତି ବିଭିନ୍ନ ରକମର ଚାରା ଆଣି ଅଧିଗୃହୀତ ଜମିରେ ରୋପଣ କରଯାଉଥିବା ନେଇ ମଧ୍ୟ ସନ୍ଦେହ ପ୍ରକାଶ ପାଇଛି । ଯାହା ଫଳରେ ପକ୍କାଘର ଏବଂ ଗଛ ବାବଦକୁ ଅଧିକ ଟଙ୍କା ଯେଭଳି ଦାବୀ କରି ପାରିବେ ସେନେଇ ସମସ୍ତ ପ୍ରକାର ଯୋଜନା ପ୍ରସ୍ତୁତ ହୋଇସାରିଛି । ଏହି ପ୍ରକାର ଠକେଇ ପାଇଁ ରେଳ ବିଭାଗର କିଛି ଅଧିକାରୀ ମଧ୍ୟ ସମ୍ପୃକ୍ତ ଠକମାନଙ୍କୁ ସହଯୋଗ କରୁଥିବା ଚର୍ଚ୍ଚା ହେଉଛି । ତେବେ ଜିଲ୍ଲା ଜମି ଅଧିଗ୍ରହଣ ଅଧିକାରି ପୁର୍ବରୁ ବଲାଙ୍ଗିର ଜିଲ୍ଲାରେ ସୁକତେଲ ପ୍ରକଳ୍ପ କେଳେଙ୍କାରୀ ଭଳି ବର୍ତ୍ତମାନ ଉକ୍ତ ମାଫିଆ ମାନଙ୍କ ସହ ସିଧାସଳଖ ଯୋଗାଯୋଗରେ ଥିବା ଅଭିଯୋଗ ହୋଇଛି । ରେଳ ବିଭାଗର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ତଥା ଯୋଜନା କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମ ରହିଛି । ତେବେ ଜମି ଅଧିଗ୍ରହଣ ବିଜ୍ଞପ୍ତି ପ୍ରକାଶିତ ହେବା ପୁର୍ବରୁ କେଉଁଠି ବ୍ୟକ୍ତିଗତ ଘର, ଗଛ, ବ୍ୟବସାୟିକ ପ୍ରତିଷ୍ଠାନ ରହିଛି । ଜମିର କିସମ, ଜମି ଉପରେ କଣ ରହିଛି ସେ ସବୁ ପୂର୍ଣ୍ଣାଙ୍ଗ ରିପୋର୍ଟ ଜମି ଅଧିଗ୍ରହଣ ବିଭାଗ ଏବଂ ରେଳ ବିଭାଗ ମିଳିତ ଭାବରେ ଯାଞ୍ଚ କରି ରିପୋର୍ଟ ଦେଇଥାନ୍ତି । ତାହା ପରେ ଅଧିଗ୍ରହଣ ହୋଇଥିବା ଜମିର କ୍ଷତିପୂରଣ ସମେତ ସମସ୍ତ ବ୍ୟୟ ଅଟକଳ ହୋଇଥାଏ । ହେଲେ ଏଠାରେ ଜମି ଅଧିଗ୍ରହଣ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ରାତିଅଧିଆ ପକ୍କା ଘର ନିର୍ମାଣ ଜାରୀ ରହିବା ଅନେକ ପ୍ରଶ୍ନ ସୃଷ୍ଟି କରିଛି । ଏନେଇ ଜିଲ୍ଲା ଭୂ ଅଧିଗ୍ରହଣ ଅଧିକାରୀ ଗଣମାଧ୍ୟମର ପ୍ରଶ୍ନକୁ ବାଆଁରେଇ ନେଇଥିବା ବେଳେ ପୁର୍ବରୁ ଜିଲ୍ଲାରେ ସୁକତେଲ ପ୍ରକଳ୍ପ କ୍ଷତିପୂରଣ ରାଶି ହରିଲୁଟ ଜିଲ୍ଲା ଭୂଅଧିଗ୍ରହଣ ଅଧିକାରୀ ବର୍ତ୍ତମାନ ପରିପ୍ରେକ୍ଷୀରେ ସନ୍ଦେହ ଘେରରେ ବୋଲି ଆଲୋଚନା ହେଉଛି । ଏନେଇ ଟିଟିଲାଗଡ଼ ଉପଜିଲାପାଳ ପଦ୍ମନାଭ ସାମନ୍ତରାୟଙ୍କୁ ଯୋଗାଯୋଗ କରିବାରୁ ରେଳ ବିଭାଗର ପ୍ରକଳ୍ପ ନିର୍ମାଣ ନେଇ ଅଧିଗ୍ରହଣ ହୋଇଥିବା ଜମିରେ ରାତାରାତି ପକ୍କା ଗୃହ ନିର୍ମାଣ ଅଭିଯୋଗ ନେଇ ସେ ବଲାଙ୍ଗିର ଜିଲାପାଳଙ୍କୁ ଅବଗତ ସହ ଖୋଦ ସରଜମିନ ତଦନ୍ତ କରିବେ ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କୁ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

Leave A Reply

Your email address will not be published.