ବଙ୍ଗୋମୁଣ୍ଡାରେ ଜିଲ୍ଲା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ପକ୍ଷରୁ ସାଙ୍ଗଠନିକ ବୈଠକ ଓ ଆଲୋଚନା ଚକ୍ର

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦରରେ ଥିବା ବାବାମଠ ଠାରେ ବଲାଙ୍ଗିର ଜିଲ୍ଲା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ତରଫରୁ ସାଙ୍ଗଠନିକ ବୈଠକ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ପ୍ରଥମେ ସନ୍ଥକବି ଭୀମ ଭୋଇଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା କରାଯିବା ପରେ ସଭାକାର୍ଯ୍ୟ ହୋଇଥିଲା । ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ରାଜ୍ୟ ସଭାପତି ବ୍ରହ୍ମାନନ୍ଦ ମହାରଣା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ରୂପେ ରାଜ୍ୟ କାର୍ଯ୍ୟକାରୀ ସଭାପତି ସୁଧାଂଶୁ ମଣ୍ଡଳ, ରାଜ୍ୟ ଏକ୍ସ୍ କ୍ୟାଡ଼ର ସଭାପତି ଜୟନ୍ତୀଲାଲ ସାହୁ, ବରିଷ୍ଠ ଶିକ୍ଷକ ହରିରାମ ସତନାମୀ ଯୋଗ ଦେଇଥିଲେ । ବ୍ଲକ ଶିକ୍ଷକ ସଂଘ ସଭାପତି କୋଷରାଜ ବେହେରା ଉକ୍ତ ବୈଠକରେ ସଭାପତିତ୍ୱ କରିଥିଲେ । ରାଜ୍ୟ ସଭାପତି ବ୍ରହ୍ମାନନ୍ଦ ମହାରଣା ଯୋଗ ଦେଇ ଶିକ୍ଷକଶିକ୍ଷୟିତ୍ରୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବା ପାଇଁ ଜଣାଇଥିଲେ । ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ସମସ୍ତ ସହକାରୀ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ଅବିକଳ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ସହ ଚାକିରୀ କାଳୀନ ପ୍ରମୋସନ୍ ଏବଂ କନିଷ୍ଠ ଶିକ୍ଷକ (ଯୋଜନା ଭିତ୍ତିକ)ଙ୍କୁ ରେଗୁଲାର ଏବଂ ୬ ବର୍ଷ ଠିକା ସମୟକୁ ମୂଳ ଚାକିରୀରେ ଗଣନା କରିବା ନିମନ୍ତେ ଜଣାଇଥିଲେ । ତତ୍ ସହ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଚଳନ ହେବାକୁ ଥିବା ୟୁଏସ୍‌ ସିଷ୍ଟମ୍‌କୁ ତୀବ୍ର ବିରୋଧ କରିଥିଲେ । ଏନ୍‌ଇପି ୨୦୨୦ ଲାଗୁ ହେବା ଫଳରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସୁଧାର ହେବା ପରିବର୍ତ୍ତେ ଦୁର୍ବଳ ହୋଇ ପଡୁଛି । ତେଣୁ ଏହାର ସ୍ଥାୟୀ ସମାଧାନ ସହ ଶିକ୍ଷକ ମାନଙ୍କର ବିଭିନ୍ନ ସମସ୍ୟାକୁ ଗୁରୁତର ସହ ବିଚାରକୁ ନେଇ ଯଦି ରାଜ୍ୟ ସରକାର ଏହାର ସମାଧାନ ନ କରନ୍ତି, ତେବେ ଆଗାମୀ ଶୀତକାଳୀନ ବିଧାନସଭା ଅଧିବେଶନରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି କଡ଼ା ଚେତାବନୀ ଦେଇଛି । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଶିକ୍ଷକ ରାଘବ ବାଗ, ନରହରି ସାହୁ, ଜିଲ୍ଲା ସଭାପତି ଅମର ବାଗ, ନରେଶ ସେଠ୍, ଦେବକାନ୍ତ ମେହେର, ରାଜ୍ୟ ଉପସଭାପତି ଚିନ୍ତାମଣି ପାଢ଼ୀ, ବୁଲୁ ହିଆଲ୍, ମୁଖ୍ୟବକ୍ତା ଠଣ ସୁନ୍ଦର ତାଣ୍ଡି ଓ ମାନସୀ ସତନାମୀ ଯୋଗ ଦେଇଥିଲେ । ଏହି ବୈଠକ ଶିକ୍ଷକ ଲଳିତ ସାହୁ ମଞ୍ଚ ପରିଚାଳନା କରିଥିଲେ । ଶିକ୍ଷକ ରଞ୍ଜନ ମଲ୍ଲିକ, ଜୟକୃଷ୍ଣ ମେହେର୍, ଡୋଳେନ୍ଦ୍ର ମେହେର, ତୀବ୍ରରାଜ ମେହେର, ଭଜମନ ବିଶ୍ୱାଳ, ମନୋଜ ବେହେରା, ଦୀପକ ବେହେରା, ଭାସ୍କର ଚନ୍ଦ୍ର ପ୍ରଧାନ ସହଯୋଗ କରିଥିବା ବେଳେ ସୁରେଶ ବେହେରା ସଭା ପରିଚାଳନା କରିଥିଲେ । ଏଥିରେ ଜିଲ୍ଲାର ବିଭିନ୍ନ ବ୍ଲକର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.