ଖପ୍ରାଖୋଲ, (ଅଶୋକ କୁମାର ବାଗ) : ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଦିବସ ଅବସରରେ ଜାତୀୟ ଏକତା ଦିବସ ଉପଲକ୍ଷେ ଖପ୍ରାଖୋଲ ପୋଲିସ ପକ୍ଷରୁ ଗରିମାମୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ଅବସରରେ ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଉତ୍ସାହର ସହ ମାରାଥନ ରେସରେ ଭାଗ ନେଇଥିଲେ । ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତ୍ରଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମକୁ ଡ଼ଃ ଅଭୟ ତ୍ରିପାଠୀ ସୁଚାରୁ ଭାବେ ପରିଚାଳନା କରିଥିଲେ । ସେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଅଦମ୍ୟ ସାହସ, ଦେଶଭକ୍ତି ଓ ଲୌହ ପୁରୁଷ ଭାବରେ ଜାତି ଏକତା ଗଠନରେ ତାଙ୍କ ଅବଦାନକୁ ସ୍ମରଣ କରାଇଥିଲେ । କାର୍ଯ୍ୟକ୍ରମରେ ଖପ୍ରାଖୋଲ ବିଡିଓ ବିବେକାନନ୍ଦ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୁବମାନଙ୍କୁ ଜାତୀୟ ଏକତା ଓ ସମନ୍ୱୟର ସନ୍ଦେଶ ଦେଇଥିଲେ । ତହସିଲଦାର ସତ୍ୟ ସୁନ୍ଦର ରାଉତରାୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅନୁଶାସନ ଓ ଦେଶଭକ୍ତିର ମୂଲ୍ୟବୋଧ ଉପରେ ଆଲୋକପାତ କରିଥିଲେ । ସେହିପରି ବିଧାୟକ ପ୍ରତିନିଧି ପଦ୍ମନ ସିଂ ବରିହା ମଧ୍ୟ ଉପସ୍ଥିତ ହୋଇ ଯୁବପିଢ଼ିଙ୍କୁ ଜାତି ଗଠନରେ ସକ୍ରିୟ ଭୂମିକା ନେବାର ଆହ୍ୱାନ କଲେ । ଖପ୍ରାଖୋଲ ଥାନା ଅଧିକାରୀଙ୍କ ନେତୃତ୍ୱରେ ଆୟୋଜିତ ଏହି ମାରାଥନ ରେସ ଶାନ୍ତି, ଏକତା ଓ ଜାତୀୟ ସଂଘଠନର ପ୍ରତୀକ ଭାବେ ସଫଳତାର ସହ ଅନୁଷ୍ଠିତ ହେଲା । ଅନ୍ତେ, ବିଜେତା ଛାତ୍ରଛାତ୍ରୀଙ୍କୁ ସ୍ମାରକ ଓ ପ୍ରଶଂସାପତ୍ର ଦେଇ ସମ୍ମାନିତ କରାଗଲା ।