“ମାଛ ତେଲ” ନାଁରେ ଚାଲିଛି ଠକେଇ, ସ୍ୱାସ୍ଥ୍ୟ ବିଭାଗ ନୀରବ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ଅଞ୍ଚଳର ନିରୀହ ଜନସାଧାରଣଙ୍କୁ ଲକ୍ଷ୍ୟ କରି “ମାଛ ତେଲ” ନାଁରେ କିଛି ପଶ୍ଚିମବଙ୍ଗର ବେପାରୀ ବେପରୁଆ ଠକେଇ କରୁଥିବା ନଜରକୁ ଆସିଛି । ଆୟୁର୍ବେଦିକ ଔଷଧ ବୋଲି ଦାବି କରୁଥିବା ଏହି ଲୋକମାନେ ନିଜକୁ ଲାଇସେନ୍ସଧାରୀ ବୋଲି ପରିଚୟ ଦେଇ ଲୋକଙ୍କୁ ମଧୁମେହ, ରକ୍ତଚାପ, ଆଣ୍ଠୁ-ଗଣ୍ଠି ଯନ୍ତ୍ରଣା, ମଲକଣ୍ଠ ଆଦି ବିଭିନ୍ନ ରୋଗ ପାଇଁ ମାଛ ତେଲ ଅତ୍ୟନ୍ତ ଫଳଦାୟକ ବୋଲି କହି ଠକୁଛନ୍ତି । ସ୍ଥାନୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏମାନେ ଗାଡି ଓ ମାଇକ୍ରୋଫୋନ ବ୍ୟବହାର କରି ଗାଁ ଗାଁ ଘୁରୁଛନ୍ତି ଏବଂ ବୋତଲ ପିଛା ୧୨୦ ଟଙ୍କା ହାରରେ ତେଲ ବିକ୍ରି କରୁଛନ୍ତି । ଲୋକଙ୍କ ସରଳତାର ଫାଇଦା ଉଠାଇ ଏହି ଠକେଇ ବ୍ୟବସାୟୀମାନେ ହଜାର ଟଙ୍କା ଆଦାୟ କରୁଛନ୍ତି । ସ୍ଥାନୀୟ ଲୋକ ଏହି ଅନୀତିପୂର୍ଣ୍ଣ କାରବାର ପ୍ରତି ତୀକ୍ଷ୍ଣ ଅସନ୍ତୋଷ ପ୍ରକାଶ କରି ସ୍ୱାସ୍ଥ୍ୟ ବିଭାଗ ନିଷ୍କ୍ରିୟତା ଉପରେ ପ୍ରଶ୍ନ ଉଠାଇଛନ୍ତି । ଲୋକଙ୍କ ଦାବି, ଏପରି ଠକେଇ ଚକ୍ରକୁ ଶୀଘ୍ର ବନ୍ଦ କରାଯାଉ, ଏବଂ ଦାୟୀ ବ୍ୟକ୍ତିମାନଙ୍କୁ ଆଇନ ଅନୁସାରେ କଠୋର ଶାସ୍ତି ଦିଆଯାଉ । ଜନସାଧାରଣଙ୍କ ମତ ଅନୁସାରେ, ଯଦି ସ୍ୱାସ୍ଥ୍ୟ ବିଭାଗ ଏଭଳି ସମୟରେ ଯଥୋଚିତ ପଦକ୍ଷେପ ନେଇ ନାହାନ୍ତି, ତେବେ ଏପରି ଠକ ମାଫିଆମାନେ ଗାଁ ଗାଁ ପହଞ୍ଚି ଲୋକଙ୍କୁ ଆର୍ଥିକ ଭାବେ ଶୋଷଣ କରିବେ । ବିଶେଷଜ୍ଞମାନେ ମତ ଦେଇଛନ୍ତି – ଯେକୌଣସି ଔଷଧ କିମ୍ବା ତେଲ ବିନା ଡାକ୍ତରୀ ପରାମର୍ଶ ନେଇ ବ୍ୟବହାର କରିବା ଜୀବନ ପାଇଁ ବିପଦଜନକ । ସ୍ୱାସ୍ଥ୍ୟ ବିଭାଗ ଶୀଘ୍ର ତଦନ୍ତ କରି ଏପରି ଅବୈଧ ବ୍ୟବସାୟ ଉପରେ ନିୟନ୍ତ୍ରଣ ଆଣିବା ଆବଶ୍ୟକ ।

Leave A Reply

Your email address will not be published.