ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାଉରକେଲା ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଦୁଇ ଦିନିଆ କର୍ମଶାଳା ସ୍ଥାନୀୟ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ମୁଖ୍ୟ ପରିବେଶ ବୈଜ୍ଞାନିକ ତଥା ଆଞ୍ଚଳିକ ଅଧିକାରୀ ଡକ୍ଟର ଅନୁପ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତା କରିଥିଲେ । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ନିର୍ଦ୍ଧାରିତ ନୂତନ ଅନଲାଇନ୍ ନିରନ୍ତର ନିର୍ଗମନ ମନିଟରିଂ ସିଷ୍ଟମ ପ୍ରୋଟୋକଲ ସମ୍ପର୍କରେ ସମ୍ବେଦନଶୀଳତା କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏହି କର୍ମଶାଳାରେ ସମସ୍ତ ୧୭ ବର୍ଗର ଶିଳ୍ପ ଏବଂ ପ୍ରମୁଖ ଖଣି କର୍ତ୍ତୃପକ୍ଷ ଅଂଶଗ୍ରହଣ କରିଥିଲେ । ଶିଳ୍ପଗୁଡ଼ିକୁ ଓ.ସିଇ.ଏମ.ଏସ. ପୋର୍ଟାଲରେ ପଞ୍ଜୀକରଣ କରିବାକୁ ସକ୍ଷମ କରିବା, କାଲିବ୍ରେସନ୍ ପ୍ରୋଟୋକଲ ଏବଂ ରାଉରକେଲା ଏନ୍ସିଏପି (ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ) ଅଧୀନରେ ଆସୁଥିବା ସହର ମଧ୍ୟରୁ ଗୋଟିଏ ହୋଇଥିବାରୁ ଏହାର ଗୁରୁତ୍ୱ ବିଷୟରେ ଆଲୋଚନା କରାଯାଇଥିଲା । ପରିବେଶର ଉନ୍ନତି ଓ ପ୍ରଦୂଷଣର ମୁକାବିଲା ପାଇଁ ନୂତନ ପ୍ରଯୁକ୍ତିବିଦ୍ୟାକୁ ଦକ୍ଷତାର ସହିତ ପରିଚାଳନା କରିବାକୁ ଶିଳ୍ପ ଓ ଖଣି ଗୁଡ଼ିକୁ ପରାମର୍ଶ ଦିଆଯାଇଥିଲା । ଏଥିରେ ବିଭାଗୀୟ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି ସଚେତନ କରାଇଥିଲେ ।